ଏବେ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍‌ ଟିକା, ଏମରଜେନ୍ସିରେ ବ୍ୟବହାର ପାଇଁ ମିଳିଲା ଅନୁମତି

ଏବେ ଛୋଟ ପିଲାଙ୍କୁ ବି ଦିଆଯିବ କୋଭାକ୍ସିନ୍‌। ୨ରୁ ୧୮ ବର୍ଷ ବୟସ୍କର ପିଲାଙ୍କୁ ଜରୁରୀକାଳୀନ ସ୍ଥିତିରେ କୋଭାକ୍ସିନ୍‌ ଦେବାକୁ ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିଶ କରିଛନ୍ତି। ଏଣୁ ଖୁବ୍‌ଶୀଘ୍ର ପିଲାଙ୍କର ଏହି କରୋନା ଟିକା ବଜାରକୁ ଆସିବା ପଥ ପରିଷ୍କାର ହୋଇଛି। ଏହି ଟିକା ଭାରତ ବାୟୋଟେକ୍‌ ପକ୍ଷରୁ ପ୍ରସ୍ତୁତ କରାଯାଉଛି। ଅନୁମତି ମିଳିବା ପରେ ଏହା ଖୁବ୍‌ କମ୍‌ ଦିନ ମଧ୍ୟରେ ବଜାରରେ ଲଞ୍ଚ୍‌ ହେବ।

ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ୍‌ ଏହି ଭ୍ୟାକ୍‌ସିନ୍‌ର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ପୂରା କରିସାରିଛି। କମ୍ପାନୀ ନିଜ ଟ୍ରାଏଲ ସହ ଜଡ଼ିତ ଡାଟାକୁ କେନ୍ଦ୍ରୀୟ ଔଷଧୀୟ ମାନକ ନିୟନ୍ତ୍ରଣ ସଂଗଠନ(CDSCO)କୁ ଦେଇଥିଲା। ଏନେଇ କମ୍ପାନୀ କହିଥିଲା ଯେ ସେମାନେ ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ଦେଇଛନ୍ତି ଓ ଜରୁରୀକାଳୀନ ସ୍ଥିତିରେ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ମାଗିଛନ୍ତି। ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକ୍‌ସିନ୍‌ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଦିଆଯିବ। କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ଠାରେ କୋଭାକ୍ସିନ୍‌ର କ୍ଲିନିକାଲ ଟ୍ରାଏଲ କରାଯାଇଛି। ଏହି ଟ୍ରାଏଲର ସମସ୍ତ ଡାଟା CDSCOକୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ୨୧ ସେପ୍ଟେମ୍ବରରେ ଭାରତ ବାୟୋଟେକ୍‌ର ଚେୟାରମ୍ୟାନ୍‌ ଓ ପ୍ରବନ୍ଧ ନିର୍ଦ୍ଦେଶକ କୃଷ୍ଣା ଏଲ୍ଲା କହିଥିଲେ ଯେ ପିଲାଙ୍କ ପାଇଁ କୋଭାକ୍ସିନ୍‌ର ଦ୍ୱିତୀୟ ଓ ତୃତୀୟ ଫେଜ୍‌ର ଟ୍ରାଏଲ ପୂରା ହୋଇଛି। ଏହି ଟ୍ରାଏଲ ୧୦୦୦ ଜଣ ପିଲାଙ୍କ ଉପରେ କରାଯାଇଥିଲା। ଟ୍ରାଏଲ ବେଳେ ଦୁଇଟି ଡୋଜ୍‌ ମଧ୍ୟରେ ୨୮ ଦିନର ବ୍ୟବଧାନ ରଖାଯାଇଥିଲା। ସେତେବେଳେ ସେ କହିଥିଲେ ଯେ କମ୍ପାନୀ ଆସନ୍ତା ସପ୍ତାହରେ ଡାଟା ସରକାରଙ୍କୁ ଦେବ।

ଭାରତ ବାୟୋଟେକ୍‌ର ଚେୟାରମ୍ୟାନ୍‌ କହିଥିଲେ ଯେ କରୋନା ଭାଇରସ୍‌କୁ ମାତ୍‌ ଦେବା ପାଇଁ ନାକ ମାଧ୍ୟମରେ ଦିଆଯାଉଥିବା ଭ୍ୟାକ୍‌ସିନ୍‌ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏହି ନାଜାଲ ଭ୍ୟାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ଏହି ପରୀକ୍ଷଣ ଅକ୍ଟୋବର ଶେଷ ସପ୍ତାହ ମଧ୍ୟରେ ସରିବ।

ସୂଚନାଯୋଗ୍ୟ ଯେ ଏବେ ଭାରତରେ କରୋନା ଭାଇରସ୍‌ କବଳରୁ ମୁକ୍ତି ପାଇବାକୁ କୋଭାକ୍ସିନ୍‌, କୋଭିସିଲ୍ଡ, ଫାଇଜର, ସ୍ଫୁଟନିକ୍‌ ଭି ପ୍ରମୁଖ ଟିକା ଦିଆଯାଉଛି। ଇତି ମଧ୍ୟରେ ଦେଶରେ ୭୦ ପ୍ରତିଶତ ଲୋକ ଟିକା ନେଇ ସାରିଲେଣି। କିନ୍ତୁ ପିଲାଙ୍କ ପାଇଁ କୌଣସି ଟିକା ତିଆରି ହୋଇନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.