କଳା ରଙ୍ଗ ପାଲଟିଲା ନଦୀର ଜଳ । ମରି ଭାସୁଛନ୍ତି କୁଢ଼ କୁଢ଼ ମାଛ । ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅଚାନକ କାମେଙ୍ଗ ନଦୀ ଜଳର ରଙ୍ଗ କଳା ପଡ଼ିଯାଇଥିଲା । ମାଛ ମରିବା ସହ ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ବାସିନ୍ଦା । ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀ ଜଳ ଅନୁଧ୍ୟାନ କରିବା ପରେ ଏହାକୁ ବ୍ୟବହାର ନ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ପରାମର୍ଶ ଦେଇଛନ୍ତି । କାମେଙ୍ଗ ନଦୀର ଆଖପାଖ ଅଞ୍ଚଳରେ ଚୀନର ନିର୍ମାଣ କାର୍ଯ୍ୟ ବଢିବା ପରେ ନଦୀ ଜଳରେ Total dissolved substances ବା TDS ମାତ୍ରା ବୃଦ୍ଧି ପାଇଛି। ଏହା ଦ୍ୱାରା ପାଣିର ରଙ୍ଗ କଳା ପଡ଼ିଯାଇଥିବା ଅନୁମାନ କରାଯାଉଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି ।
ଜଳରେ ଟିଡିଏସର ପରିମାଣ ବୃଦ୍ଧି ପାଇଲେ ଜଳଚର ଜୀବ ଶ୍ୱାସପ୍ରକ୍ରିୟାରେ କଷ୍ଟ ଅନୁଭବ କରି ମୃତ୍ୟୁବରଣ କରିଥାନ୍ତି । କାମେଙ୍ଗ ନଦୀ ଜଳରେ ଟିଡିଏସର ମାତ୍ରା ଲିଟର ପ୍ରତି ୬ ହଜାର ୮ଶହ ମିଲିଗ୍ରାମ ରହିଛି। ଏହା ଅତ୍ୟଧିକ ବିପଜ୍ଜନକ ସ୍ତରରେ ରହିଥିବା ଜିଲ୍ଲା ପ୍ରଶାସନ କହିଛି। ନଦୀ ଜଳର ସାଧାରଣ ଟିଡିଏସ ମାତ୍ରା ଲିଟର ପ୍ରତି ୩ଶହରୁ ୧୨ଶହ ମିଲିଗ୍ରାମ ରହିଥାଏ। ତେବେ ନଦୀ ଜଳ କଳା ପଡିବାର କାରଣ ଖୋଜିବାକୁ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଛି। ମୃତ ମାଛକୁ ମଧ୍ୟ ନଖାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ମତ୍ସ୍ୟ ବିଭାଗ ।