ରାଜନୀତିରେ ପାଦ ରଖିଲେ ଲକ୍ଷ୍ନୌ ଗାର୍ଲଙ୍କ ହାତରୁ ନିର୍ଦ୍ଧୁମ ଚାପୁଡ଼ା ଖାଇଥିବା କ୍ୟାବ୍ ଡ୍ରାଇଭର, ଏହି ଉଦ୍ଦେଶ୍ୟରେ କରିବେ କାମ
ୟୁପି ରାଜଧାନୀ ଲକ୍ଷ୍ନୌରେ ଟ୍ରାଫିକ୍ ପୋଲିସଙ୍କ ସାମ୍ନାରେ ଥପ୍ପଡ ଗାର୍ଲଙ୍କଠାରୁ ଖୁବ୍ ମାଡ଼ ଖାଇଥିବା କ୍ୟାବ୍ ଡ୍ରାଇଭର ସଆଦତ ଅଲୀ ରାଜନୀତିରେ ପ୍ରବେଶ କରିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ କ୍ୟାବ୍ ଡ୍ରାଇଭର ସଆଦତ ଅଲୀ ଅଖିଳେଶ ଯାଦବଙ୍କ ଚାଚା ଶିବପାଲ ଯାଦବଙ୍କ ପାର୍ଟିରେ ମିଶିଛନ୍ତି। ସେ ନିଜେ ମଧ୍ୟ ଏ ନେଇ ଜଣାଇଛନ୍ତି କି, ସେ ପ୍ରଗତିଶୀଳ ସମାଜବାଦୀ ପାର୍ଟିରେ ମିଶି ସାରିଛନ୍ତି। ପାର୍ଟି ଜଏନ୍ କରିବା ପରେ ସଆଦତ ଅଲୀ କହିଛନ୍ତି, ତାଙ୍କ ସହିତ ଯାହା କିଛି ବି ଘଟିଥିଲା, ତାହାକୁ ସେ କେବେ ବି ଭୁଲି ପାରିବେ ନାହିଁ।
ତାଙ୍କ କହିବା ହେଲା, ସେ ରାଜନୀତିକୁ ଏଥିପାଇଁ ମଧ୍ୟ ଆସିଛନ୍ତି କି, ଯେପରି ତାଙ୍କ ଭଳି ପୁରୁଷଙ୍କ ଲଢ଼େଇ ସେ ଲଢ଼ି ପାରିବେ ଓ ସେଭଳି ପୁରୁଷମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ପହଞ୍ଚି ପାରିବେ। ସଆଦତ ଆହୁରି କହିଥିଲେ ଯେ ଦେଶରେ ଖାସ୍ କରି ଉତ୍ତର ପ୍ରଦେଶର ଯୁବପିଢ଼ି ଏବଂ ପୁରୁଷଙ୍କ ପାଟିରୁ ମୁଁ ଶବ୍ଦ ଶୁଣିବାକୁ ଚାହୁଁଛି, ଯେପରି ସେମାନଙ୍କ ଆତ୍ମସମ୍ମାନ ରକ୍ଷା ହୋଇ ପାରିବ।
ଯୁବତୀ ଚାପୁଡ଼ା ମାରିବାର ଭିଡିଓ ହୋଇଥିଲା ଭାଇରାଲ
କ୍ୟାବ୍ ଡ୍ରାଇଭର ସଆଦତଙ୍କ ଉପରେ ଦୁର୍ଘଟଣାର ଅଭିଯୋଗ ଆଣି ଲକ୍ଷ୍ନୌର ଜଣେ ଯୁବତୀ ବିଚ୍ ରାସ୍ତାରେ ଟ୍ରାଫିକ୍ ପୋଲିସ ସାମ୍ନାରେ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ। ସେ ତାଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ଡେଇଁ ଡେଇଁ ମାରି ଚାଲିଥିଲେ। ଶେଷରେ ତାଙ୍କର ଫୋନ୍ ମଧ୍ୟ ଛଡ଼ାଇ ନେଇଥିଲେ। ଏ ସବୁକିଛି ପୋଲିସ ଏବଂ ଜନତାଙ୍କ ସାମ୍ନାରେ ରାତିରେ ଘଟିଥିଲା। ହେଲେ କେହି କିଛି ପ୍ରତିବାଦ କରି ନ ଥିଲେ। ଏହି ଘଟଣାର ଭିଡିଓ ସେହି ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇ ଯାଇଥିଲା। ଲୋକେ ଏହାକୁ ବହୁତ ଲଜ୍ଜାଜନକ ବୋଲି କହିଥିଲେ। ଯୁବତୀଙ୍କୁ କିଏ ପିଟିବାର ଅଧିକାର ଦେଲା ବୋଲି ଲୋକେ ସ୍ୱର ଉଠାଇଥିଲେ। ପୋଲିସ ତୁରନ୍ତ ଏହି ମାମଲାର ତଦନ୍ତ କରିବା ଉଚିତ ଏବଂ ଆଇନକୁ ହାତକୁ ନେଇଥିବା ଯୁବତୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ମଧ୍ୟ ଜୋର୍ ଧରିଥିଲା।
ନିର୍ଦ୍ଦୋଷ ବାହାରିଥିଲେ କ୍ୟାବ୍ ଡ୍ରାଇଭର, ଯୁବତୀଙ୍କ ଉପରେ ହୋଇଥିଲା ମାମଲା
ସୋସିଆଲ ମିଡିଆରେ ଅନେକ ଲୋକ ଯୁବତୀଙ୍କର ଏଭଳି ବ୍ୟବହାର ପାଇଁ ତାଙ୍କୁ ସମାଲୋଚନା କରିଥିଲେ। ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେବା ପରେ ପୀଡ଼ିତ କ୍ୟାବ୍ ଡ୍ରାଇଭର ସଆଦତ ପୋଲିସରେ ଏ ନେଇ ଅଭିଯୋଗ କରିଥିଲେ। ପରେ ତଦନ୍ତରୁ ଜଣା ପଡ଼ିଥିଲା କି, ମାଡ଼ ଖାଇଥିବା କ୍ୟାବ୍ ଚାଳକ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ। ସେପଟେ ଯୁବତୀଙ୍କ ବିରୋଧରେ ଲୁଟ୍, ମାରପିଟ ସହ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଥିଲା।