ୟୁକ୍ରେନ-ରୁଷ୍‌ ଯୁଦ୍ଧ ଆଶଙ୍କା: ଭୟଭୀତ ହୋଇ କର୍ମଚାରୀ ସ୍ଥାନାନ୍ତର କଲେ ବିଶ୍ୱ ବ୍ୟାଙ୍କ ଓ IMF; କିନ୍ତୁ କହିଲେ, ‘ୟୁକ୍ରେନକୁ ଆମର ସମର୍ଥନ ରହିଛି’

ୟୁକ୍ରେନକୁ ନେଇ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଯୁଦ୍ଧ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଅନେକ ଦେଶ ପୂର୍ବରୁ ହିଁ ନିଜ ନାଗରିକମାନଙ୍କୁ ଯେତେ ଜଲ୍‌ଦି ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏହାରି ଭିତରେ ରୁଷ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣର ବିପଦକୁ ନଜରରେ ରଖି ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମ୍ଏଫ୍) ନିଜ କର୍ମଚାରୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଦେଇଛନ୍ତି। ଏହି ଦୁଇ ବିଶ୍ୱବ୍ୟାପୀ ସଂଗଠନ ୟୁକ୍ରେନରେ ଅସ୍ଥାୟୀ ଭାବରେ ରହିଥିବା ନିଜ କର୍ମଚାରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିଛନ୍ତି। ଯଦିଓ ବିଶ୍ୱ ବ୍ୟାଙ୍କ ଏବଂ ଆଇଏମ୍ଏଫ୍ ତରଫରୁ ଏହା ମଧ୍ୟ କୁହାଯାଇଛି କି, ସେମାନେ ୟୁକ୍ରେନକୁ ନିଜର ସମର୍ଥନ ଦେବା ଜାରି ରଖିବେ।

ବିଶ୍ୱ ବ୍ୟାଙ୍କ ପକ୍ଷରୁ ଜାରି ଇଣ୍ଟରନାଲ ମେମୋରେ ଦର୍ଶାଯାଇଛି, ରୁଷର ଆକ୍ରମଣକୁ ନେଇ ଚିନ୍ତା ବଢ଼ି ଚାଲିଛି। ଏହାରି ଭିତରେ ସେ ୟୁକ୍ରେନରୁ କିଛି କର୍ମଚାରୀଙ୍କୁ ଅସ୍ଥାୟୀ ରୂପରେ ସ୍ଥାନାନ୍ତର କରି ଦେଇଛି। କିନ୍ତୁ ଉଭୟ ସଂସ୍ଥା କହିଛନ୍ତି କି, ୟୁକ୍ରେନକୁ ସେମାନଙ୍କ ସମର୍ଥନ ଜାରି ରହିବ। ଇଣ୍ଟରନାଲ୍‌ ମେମୋରେ ବିଶ୍ୱ ବ୍ୟାଙ୍କ କହିଛି, ସେ ଅସ୍ଥାୟୀ ଭାବେ ୟୁକ୍ରେନରେ ଷ୍ଟାଫ୍‌ ମିଶନକୁ ନିଲମ୍ବିତ କରି ଦେଇଛି ଏବଂ ୟୁକ୍ରେନ ସୀମା ନିକଟରେ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛି। କହି ରଖୁଛୁ ଯେ ୟୁକ୍ରେନ ସୀମା ନିକଟରେ ରୁଷ ବହୁ ସଂଖ୍ୟାରେ ନିଜର ସୈନିକଙ୍କୁ ମୁତୟନ କରିଛି।

ବିଶ୍ୱ ବ୍ୟାଙ୍କ ଗ୍ରୁପ୍ ପକ୍ଷରୁ ଜାରି ଇଣ୍ଟରନାଲ୍‌ ମେମୋରେ ଏହା ମଧ୍ୟ କୁହାଯାଇଛି କି, ସଂସ୍ଥାର ସବୁଠାରୁ ବଡ଼ ପ୍ରାଥମିକତା ହେଉଛି, ନିଜ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷିତ ରଖିବା। ଥଇଥାନ ନୀତି ଅନୁସାରେ କର୍ମଚାରୀମାନଙ୍କୁ ଅସ୍ଥାୟୀ ରୂପରେ ସ୍ଥାନାନ୍ତର କରାଯାଉଛି ଏବଂ ସୁରକ୍ଷାର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଯଦିଓ ମେମୋରେ ଏହା କୁହାଯାଇ ନାହିଁ କି, କେତେ କର୍ମଚାରୀଙ୍କୁ କେଉଁଠାକୁ ସ୍ଥାନାନ୍ତର କରାଯାଉଛି। ସେପଟେ ଆଇଏମ୍ଏଫର ଜଣେ ମୁଖପାତ୍ର କହିଛନ୍ତି, ସଂସ୍ଥା ଅସ୍ଥାୟୀ ଭାବରେ ୟୁକ୍ରେନରେ ଥିବା ନିଜର ରେସିଡେଣ୍ଟ୍ ପ୍ରତିନିଧି ଭହରାମ ଷ୍ଟେପାନୟାନଙ୍କୁ ଦେଶ ବାହାରକୁ ସ୍ଥାନାନ୍ତର କରି ଦେଇଛି।

Leave A Reply

Your email address will not be published.