ମେକ୍‌ଅପ୍‌ ନେଇ କାହିଁକି ଏକ୍ସରସାଇଜ୍‌ କରିବା କଥା ନୁହେଁ, ଜାଣନ୍ତୁ ଦେଖାଦିଏ କି କି ଗମ୍ଭୀର ସମସ୍ୟା

ଏକ୍ସରସାଇଜ୍‌ କରିବା ବେଳେ ଦେହ ଝାଳ ହୋଇଯାଏ। ଅଧିକ ଏକ୍ସସାଇଜ୍‌ କରୁଥିବା ଲୋକଙ୍କ ଲୁଗାପଟା ବି ଓଦା ହୋଇଯାଏ। କିନ୍ତୁ କିଛି ଲୋକ ଏକ୍ସରସାଇଜ୍‌ କରିବା ବେଳେ ବି ଭଲ ଦିଶିବାକୁ ମେକ୍‌ ଅପ୍‌ ନେଇଥାନ୍ତି। ସେହିପରି ଆଉ କିଛି ଲୋକ ଏକ୍ସରସାଇଜ୍‌ କରିବା ବେଳେ ଫଟୋ ଉଠାଇବାକୁ ଘରୁ ମେକ୍‌ଅପ୍‌ କରି ଯାଇଥାନ୍ତି। କିନ୍ତୁ କେବେ ଚିନ୍ତା କରିଛନ୍ତି ଓ୍ଵାର୍କ ଆଉଟ୍‌ ବେଳେ ମେକ୍‌ଅପ୍‌ କରିବା ଠିକ୍‌ ନା ଭୁଲ?

ଏକ୍ସପର୍ଟଙ୍କ କହିବାନୁସାରେ, ମେକ୍‌ଅପ୍‌ ସହ ଓ୍ଵାର୍କ ଆଉଟ୍‌ କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଝାଳ ହୋଇଥିବା ତ୍ୱଚାକୁ ତୁରନ୍ତ ପୋଛି ସଫା କରିନେବା ଉଚିତ। କିନ୍ତୁ ଯଦି ମେକ୍‌ ଅପ୍‌ କରୁଥାନ୍ତି ତେବେ ଝାଳକୁ ପୋଛିପାରିନଥାନ୍ତି। ଏହା ଦ୍ୱାରା ମେକ୍‌ଅପ୍‌ ପୋଛି ହେବା ଭୟ ଥାଏ। ଫଳରେ ଏହି ଝାଳ ମେକ୍‌ଅପ୍‌ ସହ ମିଶି ତ୍ୱଚାକୁ ଖରାପ କରିଥାଏ।

ଓ୍ଵାର୍କ ଆଉଟ୍‌ କରିବା ସମୟରେ ଆମ ଶରୀରର ତାପମାତ୍ରା ବଢ଼ିଯାଏ। ଏଣୁ ଶରୀରକୁ ଥଣ୍ଡା ରଖିବା ପାଇଁ ଏହି ସମୟରେ ଝାଳ ବାହାରେ। ଶରୀର ଭିତରର ତାପମାତ୍ରା ବଢ଼ିବା ଦ୍ୱାରା ଆମ ତ୍ୱଚାର ଲୋମକୂପ ଖୋଲିଯାଏ। ଏହି ଲୋମକୂପ ପଟେ ଶରୀରରୁ ଝାଳ ଓ ଅତିରିକ୍ତ ଅଏଲ ବାହାରିଥାଏ। ଯଦି ଆପଣ ଓ୍ଵାର୍କ ଆଉଟ୍‌ କରିବା ବେଳେ ମେକ୍‌ଅପ୍‌ କରୁଛନ୍ତି ତେବେ ଏହା ଲୋମ କୂପକୁ ବନ୍ଦ କରିଦିଏ। ଏହା ଦ୍ୱାରା ଝାଳ ଓ ଅଏଲ ଅଂଶ ବାହାରକୁ ବାହାରି ନପାରି ଭିତରେ ହିଁ ଜମା ହୋଇଯାଏ। ଫଳରେ ବ୍ୟାକ୍ଟେରିଆ ଜନ୍ମିଥାନ୍ତି। ପରେ ଏହି ସ୍ଥାନରୁ ବ୍ରଣ ବାହାରିବା ସହ ଦାଗ ହୋଇଯାଏ।

ଏଣୁ ଓ୍ଵାର୍କ ଆଉଟ୍‌ କରିବା ପୂର୍ବରୁ ସବୁବେଳେ ମୁହଁକୁ ପରିଷ୍କାର ଭାବେ ସଫା କରି ନରମ ତଉଳିଆରେ ପୋଛି ଦିଅନ୍ତୁ। ଏହା ଦ୍ୱାରା ଲୋମ କୂପ ଖୋଲିଯିବ ଓ ଓ୍ଵାର୍କ ଆଉଟ୍‌ ବେଳେ ସହଜରେ ଅଏଲ ଓ ଝାଳ ବାହାରକୁ ବାହାରି ପାରିବ। ସେହିପରି ଓ୍ଵାର୍କ ଆଉଟ୍‌ କରିସାରିବା ପରେ ଟିକେ ଝାଳ ଶୁଖିଗଲେ ତ୍ୱଚାକୁ ପରିଷ୍କାର କରି ଧୋଇ ନେବା ବି ଜରୁରୀ। ଏହା ଦ୍ୱାରା ଶରୀରରେ କୌଣସି ବର୍ଜ୍ୟବସ୍ତୁ ଆଉ ଜମା ହେବା ସୁଯୋଗ ପାଇବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.