ପରିବା ଡାଲାରେ ରେଜା ନେଇ ସ୍କୁଟର କିଣିବାକୁ ଶୋ-ରୁମ୍‌ରେ ପହଞ୍ଚିଲେ ଯୁବକ, କଏନ୍‌ ଗଣି ଗଣି ମାଲିକ ବେହାଲ୍‌

ଆସାମର ଜଣେ ବ୍ୟକ୍ତିଙ୍କ ସ୍କୁଟର କିଣିବାର ଏକ ନିଆରା କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ସାଜିଛି। କାରଣ ବ୍ୟକ୍ତି ଜଣକ ଶୋ-ରୁମ୍‌କୁ ପରିବା ଡାଲାରେ ୫ ଡାଲା ଫୁଲ୍‌ କରି ରେଜା ପଇସା ନେଇ ସ୍କୁଟର କିଣିବାକୁ ଯାଇଥିଲେ। ଏହି ରେଜାକୁ ସେ ସଞ୍ଚୟ କରି ରଖିଥିଲେ। ବର୍ଷ ବର୍ଷ ଧରି ସେ ଏହି ପଇସାକୁ ସ୍କୁଟର କିଣିବାକୁ କୁମ୍ପିରେ ରଖିଥିଲେ। ଏହି ରେଜାକୁ ସେ ସିଧାସଳଖ କୁମ୍ପିରୁ ବାହାର କରି ସ୍କୁଟର କିଣିବାକୁ ଧରି ଆସିଥିବା ଜଣାଯାଇଛି।

ୟୁଟ୍ୟୁବର ହୀରକ ଜେ ଦାସ ଏହି କାହାଣୀକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତାଙ୍କ କହିବାନୁସାରେ, ଏହି ବ୍ୟକ୍ତି ଏକ ସ୍କୁଟର କିଣିବାକୁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ତାଙ୍କ ପାଖରେ ଏତେ ଟଙ୍କା ନଥିଲା। ଏଣୁ ସେ ଦୀର୍ଘ ବର୍ଷ ହେଲାଣି କୁମ୍ପିରେ କିଛି କିଛି ମୁଦ୍ରା ସଞ୍ଚୟ କରୁଥିଲେ। କିଛି ଦିନ ତଳେ ତାଙ୍କ କୁମ୍ପିରେ ସ୍କୁଟର କିଣିବାକୁ ଯେତିକି ଟଙ୍କା ଦରକାର, ସେତିକି ଟଙ୍କା ହୋଇଥିଲା। ଏଣୁ ସେ କୁମ୍ପିକୁ ଭାଙ୍ଗି ପରିବା ଡାଲାରେ ପଇସାକୁ ଭରି ସ୍କୁଟର କିଣିବାକୁ ଶୋ ରୁମ୍‌ ଆସିଥିଲେ। ଏହି ଘଟଣା ବେଳର ଭିଡିଓ ଏବେ ଭାଇରାଲ ହେଉଛି।

ଭିଡିଓରେ ଦେଖାଯାଇଛି ଯେ ଏହି ବ୍ୟକ୍ତି ଡାଲାରେ ପଇସା ଭରି ଆଣିଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ସେ ଏହି ରେଜାକୁ ଶୋ’ରୁମ୍‌ ମାଲିକଙ୍କୁ ଦେଉଛନ୍ତି ଓ ସ୍କୁଟର କିଣିବାକୁ ଚାହୁଁଥିବା କହିଛନ୍ତି। ପରେ ଶୋ’ ରୁମ୍‌ ମାଲିକ ସବୁ ରେଜା ପଇସାକୁ ଗଣିବା ପରେ ଗାଡ଼ିର କାଗତ ପତ୍ର କାମ କରିଛନ୍ତି। ବ୍ୟକ୍ତି ଜଣକ ଆଣିଥିବା ପରିବା ଡାଲାରେ ଟଙ୍କିକିଆ, ଦୁଇ ଟଙ୍କଆ, ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ୍‌ ଥିଲା। ପଇସା ଗଣାସରିବା ପରେ ଗାଡ଼ିର କାଗଜପତ୍ର କାମ ହୋଇଥିଲା। ତା’ପରେ ବ୍ୟକ୍ତି ସ୍କୁଟର ନେଇ ଘରକୁ ଆସିଛନ୍ତି।

ତେବେ ରେଜା ପଇସା ନେଇ ସ୍କୁଟର କିଣିବାକୁ ଆସିଥିବା ଏହି ବ୍ୟକ୍ତିଙ୍କ ପରିଚୟ ବିଷୟରେ ଭିଡିଓରେ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ଏହି ବ୍ୟକ୍ତିଙ୍କ ଏଭଳି ରେଜା ନେଇ ଆସିବା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.