ପଇସା ଅସୁଲ ମ୍ୟାଚ୍‌ରେ ଦମ୍‌ ଦେଖାଇ ଜିତିଲା ଭାରତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦର୍ଶକରେ ଖଚାଖଚ୍‌ କଳିଙ୍ଗ ଷ୍ଟାଡିୟମ । ତା ଭିତରେ ଭାରତ ପାଇଁ ପୁଲ୍‌ ପର୍ଯ୍ୟାୟର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ । ସିଧାସଳଖ ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିବା ପାଇଁ କାନାଡ଼ା ବିପକ୍ଷରେ ଜିତିବା ଜରୁରୀ ଥିଲା । କାରଣ ଆଜି ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ପୁଲ୍‌ ‘ସି’ରେ ଭାରତକୁ ହଟାଇ ବେଲଜିୟମ ଶୀର୍ଷରେ ରହିଥିଲା । ତେଣୁ ବିଜୟ ଓ ଗୋଲ୍‌ ବ୍ୟବଧାନରେ ବେଲଜିୟମକୁ ପଛରେ ପକାଇବା ଆବଶ୍ୟକ ଥିଲା । ସେଥିଲାଗି ପୂରା ଦମ୍‌ରେ ଖେଳିଲା ଭାରତ ।

INDIA-1

ମଧ୍ୟାନ୍ତ ବେଳକୁ ଦୁଇ ଦଳ ୧-୧ ସ୍ଥିତିରେ ରହିବା ଯୋଗୁଁ ଭାରତ ଉପରେ ଚାପ ବଢ଼ିଥିଲା । ହେଲେ ଏହାର ଖେଳାଳିମାନେ ଘରୋଇ ଦର୍ଶକଙ୍କ ସମର୍ଥନ ପାଇଁ ଦମ୍‌ଦାର ଖେଳ ଦେଖାଇଥିଲେ । ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ଗୋଲ୍‌ ପରେ ଗୋଲ୍‌ କରି ଚାଲିଥିଲେ । ଆଉ ଶେଷରେ ଭାରତ ୫-୧ ଗୋଲ୍‌ରେ ବିଜୟୀ ହୋଇ ପୁଲ୍‌ ‘ସି’ର ଶୀର୍ଷ ସ୍ଥାନ ଦଖଲ କରିବା ସହିତ ସିଧାସଳଖ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଥିଲା ।

INDIA-3

ଓଡ଼ିଆ ଖେଳାଳି ଅମିତ ରୋହିଦାସ ଚତୁର୍ଥ ଗୋଲ୍‌ ସ୍କୋର କରିଥିଲେ । ସେ ପେନାଲଟି କର୍ଣ୍ଣରରୁ ଏହି ଗୋଲ୍‌ ଦେବା ପରେ ସାରା ଷ୍ଟାଡିୟମ ଗୁଞ୍ଜରି ଉଠିଥିଲା କରତାଳିରେ ।

ଗୋଲ୍‌ ସବୁ କେମିତି ହେଲା

ମ୍ୟାଚ୍‌ର ୧୨ ମିନିଟ୍‌ରେ ପ୍ରଥମ ଗୋଲ୍‌ ଏକ ପେନାଲଟି କର୍ଣ୍ଣରରୁ ସ୍କୋର କରିଥିଲେ ହରମନପ୍ରୀତ ସିଂହ । ମଧ୍ୟାନ୍ତର ପର୍ଯ୍ୟନ୍ତ ୧-୦ରେ ଆଗୁଆ ଥିଲା ଘରୋଇ ଦଳ । କାନାଡ଼ାର ଭାନ୍‌ସନ୍‌ ଫ୍ଲୋରିସ୍‌ ଏହାକୁ ୩୯ତମ ମିନିଟ୍‌ରେ ଶୁଝାଇ ଦେଇଥିଲେ । ତେବେ ୭ ମିନିଟ୍‌ ପରେ ମ୍ୟାଚ୍‌ର ୪୬ତମ ମିନିଟ୍‌ରେ ଅଭିଜ୍ଞ ଚିଙ୍ଗଲେନ୍‌ସେନା ଏକ ଗୋଲ୍‌ ଦେଇ ଭାରତକୁ ୨-୧ରେ ଆଗେଇ ନେବା ପରେ ଏହାକୁ ଲଲିତ ଉପାଧ୍ୟାୟ ୩-୧ରେ ପରିଣତ କରିଥିଲେ । ଲଳିତ ୪୭ ଏବଂ ଏହା ପରେ ଓଡ଼ିଶାର ଅମିତ ରୋହିଦାସ ୫୧ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ ।

AMIT ROHI DAS
ଅମିତ ରୋହିଦାସ

ଅମିତ ଦଳ ପାଇଥିବା ପେନାଲଟି କର୍ଣ୍ଣରରୁ ଚତୁର୍ଥ ଗୋଲ୍‌ ସ୍କୋର କରିଥିଲେ । ପୁଣି ଲଳିତ ଉପାଧ୍ୟାୟ ୫୭ ମିନିଟ୍‌ରେ ତାଙ୍କର ଦ୍ୱିତୀୟ ଗୋଲ୍‌ ସ୍କୋର କରି ଭାରତକୁ ୫-୧ରେ ଜିତାଇଥିଲେ । ଧମାକେଦାର ଖେଳ ଦେଖି ଦର୍ଶକଙ୍କ ପଇସା ଅସୁଲ ହୋଇଗଲା । ଲଳିତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି ।

ପଏଣ୍ଟ ସମାନ ହେଲେ ଗୋଲ୍‌ ବ୍ୟବଧାନରେ ଆଗରେ

ଟୁର୍ଣ୍ଣାମେଣ୍ଟରେ ଭାରତ ବର୍ତ୍ତମାନ ସର୍ବାଧିକ ଗୋଲ୍‌ ସ୍କୋରର୍‌ ଭାବେ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ମୋଟ୍‌ ୧୬ଟି ଗୋଲ୍‌ କରିଥିବା ବେଳେ ଭାରତ ୩ଟି ମ୍ୟାଚ୍‌ରୁ ୧୨ଟି ଗୋଲ୍‌ ଦେଇଛି । ଆର୍ଜେଣ୍ଟିନା ୧୦ ଗୋଲ୍‌ ସହ ତୃତୀୟ ସ୍ଥାନରେ ରହିଛି । ପୁଲ୍‌ ‘ସି’ରେ ଭାରତ ୭ ଓ ବେଲଜିୟମ ୭ ପଏଣ୍ଟ ହାସଲ କରି ଯଥାକ୍ରମେ ପ୍ରତମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ଗୋଲ୍‌ ବ୍ୟବଧାନରେ ଭାରତ ବେଲଜିୟମଠାରୁ ଆଗରେ ରହି ପ୍ରଥମ ସ୍ଥାନ ଦଖଲ କରିଛି ।

INDIA-4

ପୁଲ୍‌ ପର୍ଯ୍ୟାୟରେ ଭାରତ ଓ ବେଲଜିୟମ ଅପରାଜେୟ ରହିଛନ୍ତି । ଉଭୟ ଦଳ ୨ଟି ବିଜୟ ଓ ଗୋଟିଏ ମ୍ୟାଚ୍‌ ଡ୍ର ରଖିଛନ୍ତି । ତେବେ ବେଲଜିୟମ ଓ କାନାଡ଼ା ଏବେ କ୍ରସ୍‌ଓଭରରେ ଖେଳିବେ । ଆଜିର ପରାଜୟ ପରେ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଛି ।

INDIA-5

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.