ଅତିଷ୍ଠ କଲାଣି ‘ଜିରୋ କୋଭିଡ୍‌ ପଲିସି’; ଘରେ ବନ୍ଦୀ ୧୬.୫ କୋଟି ଲୋକ…ହୋଇପାରୁନି ଅନ୍ତିମ ସଂସ୍କାର କି ବିବାହ

ଚୀନରେ ଅତିଷ୍ଠ କଲାଣି ସରକାରଙ୍କ ‘ଜିରୋ କୋଭିଡ୍‌ ପଲିସି’। ମହାମାରୀ କାରଣରୁ ଏଠି ସରକାର ଯେଉଁ ଜିରୋ କୋଭିଡ୍‌ ପଲିସି ଆପଣାଇଛନ୍ତି, ତାହାକୁ ନେଇ ଦେଶରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ନୀତି ଯୋଗୁ ସାମାନ୍ୟ ମାମଲା ବି ସାମ୍ନାକୁ ଆସିଲେ କୋଟି କୋଟି ଜନସଂଖ୍ୟା ବିଶିଷ୍ଟ ସହରରେ ତୁରନ୍ତ ଲକ୍‌ଡାଉନ ଲଗାଇ ଦିଆଯାଉଛି। ଏହାରି ଭିତରେ ବର୍ତ୍ତମାନ ଚୀନର ୨୭ ସହରରେ କଡ଼ା ଲକ୍‌ଡାଉନ ଲାଗିଛି, ଯେଉଁଠି ପାଖାପାଖି ୧୬.୫ କୋଟି ଲୋକ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି।

ସବୁଠାରୁ ଜଟିଳ ସ୍ଥିତି ରହିଛି ସାଂଘାଇ ଓ ବେଜିଂରେ। ଏଠାରେ ଲୋକମାନଙ୍କର ସପ୍ତାହରେ ୩ ଥର କରୋନା ଟେଷ୍ଟ କରାଯାଉଛି। ବେଜିଂରେ ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇ ବିବାହ ଓ ଅନ୍ତିମ ସଂସ୍କାର ଉପରେ ପ୍ରତିବନ୍ଧକ ଲଗାଯାଇଛି, ଯାହାଫଳରେ ଲୋକେ ମଲେ ମଧ୍ୟ ସେମାନଙ୍କ ସଂସ୍କାର ହୋଇପାରୁନାହିଁ। ମହାମାରୀ ସମୟରେ ଚୀନ ନିଜ ଜିରୋ କୋଭିଡ୍‌ ପଲିସିକୁ ବଳବତ୍ତର ରଖିଛି। ଏହା ଅଧୀନରେ ଭାଇରସ୍‌କୁ ରୋକିବା ପାଇଁ ଦେଶରେ ଲକ୍‌ଲାଡନ, ମାସ୍‌ ଟେଷ୍ଟିଂ, କ୍ୱାରେଣ୍ଟାଇନ ଏବଂ ସୀମା ବନ୍ଦ ଭଳି କଠୋର ପଦକ୍ଷେପମାନ ଗ୍ରହଣ କରାଯାଉଛି। କିନ୍ତୁ ବର୍ତ୍ତମାନ ଅତ୍ୟଧିକ ସଂକ୍ରାମକ ‘ଓମିକ୍ରନ ଭ୍ୟାରିଏଣ୍ଟ’ ଚୀନର ଏହି ପଲିସି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଡ଼ା ପ୍ରତିବନ୍ଧକ ସତ୍ତ୍ୱେ କିପରି ଏହି ଭ୍ୟାରିଏଣ୍ଟ ବ୍ୟାପିଚାଲିଛି, ତାହା ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି। ଚୀନର ବିଭିନ୍ନ ରାଜ୍ୟ ଏବଂ ସହରରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏଭଳି ସ୍ଥିତିରେ ଜିରୋ କୋଭିଡ୍‌ ପ୍ରତିବନ୍ଧକ ପ୍ରଭାବ ପକାଇ ପାରୁନାହିଁ। ପରିଣାମ ସ୍ୱରୂପ ଲୋକେ ଭୋକରେ ମରିବାକୁ ବାଧ୍ୟ ହେଉଛନ୍ତି।

୨୭ ସହରରେ ୧୬.୫ କୋଟି ଲୋକ ବନ୍ଦୀ

ରିପୋର୍ଟ ମୁତାବକ, ଚୀନର ୨୭ ସହରରେ ପୂର୍ଣ୍ଣ ଏବଂ ଆଂଶିକ ଲକ୍‌ଡାଉନ ଲାଗିଥିବା ବେଳେ ୧୬.୫ କୋଟି ଲୋକ ପ୍ରତିବନ୍ଧକ କବ୍‌ଜାରେ ଅଛନ୍ତି। ଏଠି ଲୋକମାନଙ୍କୁ ଘରୁ ବାହାରିବାକୁ ଦିଆଯାଉନାହିଁ। ଏପରି କି, ଲକ୍‌ଡାଉନ ପୂର୍ବରୁ ନୂଆ ଅଞ୍ଚଳରେ କୌଣସି ବି ପ୍ରକାର ଚେତାବନୀ ଜାରି କରାଯାଉନାହିଁ। ଏମିତିରେ ଲୋକଙ୍କୁ ହଠାତ୍‌ ଘରୁ ବାହାରିବାକୁ ଦିଆ ନ ଯିବା ଅରାଜକତା ସୃଷ୍ଟି କରୁଛି।

ଖାଦ୍ୟପେୟ ଜିନିଷର ଘୋର ଅଭାବ

ପରିସ୍ଥିତି ଏମିତି ହୋଇଛି ଯେ ଲୋକଙ୍କୁ ଖାଦ୍ୟପେୟ ଜିନିଷ ଆଣି ଘରେ ଷ୍ଟକ୍‌ କରିବାକୁ ବି ମଉକା ମିଳିପାରୁ ନାହିଁ। ଦୁଇଟି କେସ୍‌ ବାହାରିଲେ ମଧ୍ୟ ଲୋକେ ଲକ୍‌ଡାଉନ ଭୟରେ କିଣାକିଣି ଆରମ୍ଭ କରି ଦେଉଛନ୍ତି। ବଜାରରେ ପ୍ରବଳ ଭିଡ଼ ଜମୁଛି। ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ନାହିଁ ନ ଥିବା ଗହଳିର ଚିତ୍ର ବିଭିନ୍ନ ସ୍ଥାନରୁ ଆସୁଛି। ଏହି କାରଣରୁ ଚୀନର ବିଭିନ୍ନ ସହରରେ ବର୍ତ୍ତମାନ ଖାଦ୍ୟପେୟ ଏବଂ ଜରୁରୀ ଜିନିଷର ଘୋର ଅଭାବ ଦେଖାଦେବାରେ ଲାଗିଛି। କିଛି ସ୍ଥାନରେ ଷ୍ଟକ୍ ବି ସରିବାକୁ ବସିଲାଣି। ଏବେ ୨ କୋଟିରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ହେବ। ସେପଟେ ସାଂଘାଇରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଲାଗୁ ହୋଇଛି। ସମାନ ସ୍ଥିତି ବେଜିଂରେ ଉପୁଜିବା ନେଇ ବଡ଼ ଆଶଙ୍କା ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.