Black Seaରେ ତାଲିମପ୍ରାପ୍ତ ଡଲ୍‌ଫିନ! ସୈନ୍ୟ ଠିକଣାକୁ ସୁରକ୍ଷିତ ରଖିବା ପାଇଁ ରୁଷ୍‌ କରୁଛି ବ୍ୟବହାର…ସାଟେଲାଇଟ୍‌ ଫଟୋରୁ ହେଲା ଖୁଲାସା

ଏବେ ସୁଦ୍ଧା ଜାରି ରହିଛି ରୁଷ୍‌-ୟୁକ୍ରେନ ଯୁଦ୍ଧ। ଯୁଦ୍ଧକୁ ଆଜି ୬୮ ଦିନ। ତଥାପି ଦୁଇ ଦେଶ ହାର୍‌ ମାନିବାକୁ ପ୍ରସ୍ତୁତ ନାହାନ୍ତି। ଏହାରି ଭିତରେ ସାଟେଲାଇଟ୍‌ରୁ ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରୁ ରୁଷ୍‌ ବିଷୟରେ ଏକ ଭୟଙ୍କର ଖୁଲାସା ହୋଇଛି। ଏହା ମାଧ୍ୟମରେ ରୁଷ୍‌ର ଶକ୍ତିଶାଳୀ ବ୍ୟବସ୍ଥାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି। କ୍ରିମିୟାରେ କଳା ସାଗରରେ ନୌସେନା ଆଡ୍ଡାକୁ ଅଣ୍ଡର ଓ୍ଵାଟର ଆଟାକ୍‌ରୁ ବଞ୍ଚାଇବା ପାଇଁ ରୁଷ୍‌ ସୈନ୍ୟ ପ୍ରଶିକ୍ଷିତ ଡଲ୍‌ଫିନଙ୍କୁ ମୁତୟନ କରିଛି। ଏହି ସାଟେଲାଇଟ୍‌ ଫଟୋକୁ ଆମେରିକୀୟ ସାଟେଲାଇଟ୍‌ କମ୍ପାନୀ ମ୍ୟାକ୍ସାର ନେଇଥିବା ବେଳେ ୟୁଏସ୍‌ ନାଭାଲ୍‌ ଇନ୍‌ଷ୍ଟିଚ୍ୟୁଟ ଏହାର ବିଶ୍ଳେଷଣ କରିଛି।

ଫଟୋରୁ ଜଣାପଡ଼ିଛି, ଫେବୃୟାରୀରେ ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ଆରମ୍ଭ ହେବା ସମୟରେ ସେଭଷ୍ଟୋପୋଲ୍‌ ବନ୍ଦର ପ୍ରବେଶ ଦ୍ୱାରରେ ଦୁଇଟି ଡଲ୍‌ଫିନଙ୍କୁ ମୁତୟନ କରାଯାଇଥିଲା। କ୍ରିମିୟାର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ଏହି ପୋତାଶ୍ରୟ ଏକ ମୁଖ୍ୟ ବନ୍ଦର। ଏଠାରେ ଥିବା ଅନେକ ରୁଷୀୟ ଜାହାଜ ୟୁକ୍ରେନର ମିସାଇଲ ରେଞ୍ଜରୁ ସୁରକ୍ଷିତ ଭାବରେ ବାହାରି ଆସିଥିଲେ ମଧ୍ୟ ପାଣି ଭିତରେ ସେମାନଙ୍କ ଉପରେ ଆକ୍ରମଣ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ପ୍ରଶିକ୍ଷିତ ବଟଲ୍‌ନୋଜ ଡଲ୍‌ଫିନ ସେମାନଙ୍କ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଜଣାପଡ଼ିଛି ଯେ ନିଜ ସାମୁଦ୍ରିକ ସୈନ୍ୟ ଠିକଣାଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ରୁଷ୍‌ ଏହି ଡଲ୍‌ଫିନମାନଙ୍କୁ ତାଲିମ୍‌ ପ୍ରଦାନ କରିଛି।

ତେବେ ରୁଷୀୟ ସେନା ପ୍ରଥମ ଥର ଏମିତି କରି ନାହାନ୍ତି। ୧୯୬୦ ଦଶକରୁ ରୁଷ୍‌ ସାମୁଦ୍ରିକ ଜୀବମାନଙ୍କୁ ସୈନ୍ୟ ପ୍ରଶିକ୍ଷଣ ଦେଇ ଆସୁଛି ଏବଂ ସେମାନଙ୍କୁ ମୁତୟନ କରୁଛି। ଶୀତଳ ଯୁଦ୍ଧ ସମୟରେ ଆମେରିକା ଓ ସୋଭିଏତ୍‌ ସଂଘ ଉଭୟ ସୈନ୍ୟ ସାମୁଦ୍ରିକ ସ୍ତନ୍ୟପାୟୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଆମେରିକା ଡଲ୍‌ଫିନ ଏବଂ କାଲିଫର୍ନିଆ ସାମୁଦ୍ରିକ ସିଂହ ଅର୍ଥାତ୍‌ ସିଲ୍‌କୁ ବ୍ୟବହାର କରିଥିଲା। ଯେତେବେଳେ କି, USSR ଆର୍କଟିକ ଅଞ୍ଚଳରେ ଡଲ୍‌ଫିନ, ବେଲୁଗା ହେ୍ଵଲ୍‌ ଓ ସିଲ୍‌କୁ ମୁତୟନ କରିଥିଲା। ସେହିପରି ଫୋର୍ବସ୍‌ ମୁତାବକ, ୨୦୧୮ରେ ସାଟେଲାଇଟ୍‌ ଫଟୋରୁ ଜଣାପଡ଼ିଥିଲା ଯେ ରୁଷ୍‌, ସିରିଆ ଯୁଦ୍ଧ ସମୟରେ ସିରିଆର ଟାର୍ଟସ୍‌ରେ ଏକ ବେସ୍‌ରେ ଡଲ୍‌ଫିନ ମୁତୟନ କରିଥିଲା।

ଡଲ୍‌ଫିନ ହାଇ ପିଚ୍‌ ସିଟି ଶବ୍ଦ ଜରିଆରେ ଯୋଗାଯୋଗ କରି ପାରନ୍ତି। ଏଥି ସହିତ ସେମାନେ ବସ୍ତୁକୁ ସେନ୍ସ କରି ନିଅନ୍ତି ଏବଂ ଇକୋଲୋକେସନ ମାଧ୍ୟମରେ ଦୂରତାର ପତ୍ତା ଲଗାଇ ପାରନ୍ତି। ଖାସ୍‌ କରି ପ୍ରଶିକ୍ଷିତ ଡଲ୍‌ଫିନ ପ୍ରାକୃତିକ ସୋନାର (ଶବ୍ଦର ପ୍ରତିଧ୍ୱନି ଦ୍ୱାରା ପାଣି ତଳେ ଥିବା ବସ୍ତୁର ସନ୍ଧାନ ପାଇବା ପଦ୍ଧତି) ମାଧ୍ୟମରେ ଶତ୍ରୁ ଡାଇଭରମାନଙ୍କର ସନ୍ଧାନ କରିବା ଏବଂ ସେମାନଙ୍କ ଧ୍ୟାନ ଆକର୍ଷଣ କରିପାରି ଥାଆନ୍ତି। ରୁଷ୍‌ ଏହା ମଧ୍ୟ ଦାବି କରିଛି ଯେ ସେ ଡଲ୍‌ଫିନର ‘ସନ୍ଧାନ କରିବା କ୍ଷମତା’ ଉପଯୋଗ କରିବା ପାଇଁ ନୂଆ ତରିକା ଖୋଜୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.