ଧର୍ମ ନାଁରେ ଅଧର୍ମ କରୁଥିଲେ ବାବା। ଏମିତି କାମ କରୁଥିଲେ, ଯିଏ ଶୁଣିବ ଯିଏ ଚକିତ ହୋଇଯିବ। ଥାଇଲାଣ୍ଡରୁ ସାମ୍ନାକୁ ଆସିଥିବା ଏମିତି ଜଣେ ଭଣ୍ଡ ବାବାଙ୍କ କଳା କାରନାମା ଜାଣିଲେ ଆପଣ ମଧ୍ୟ ଥରି ଉଠିବେ। ପୋଲିସ ଏବେ ଛେୟାଫୁମ୍ ଅଞ୍ଚଳରୁ ସେହି ବାବାଙ୍କୁ ଗିରଫ କରିଛି। ପୋଲିସ ସୂଚନା ମୁତାବକ, ଭଣ୍ଡ ବାବା ଜଣକ ଲୋକଙ୍କୁ ବିଭିନ୍ନ କଥା କହି ନିଜର ମଳ, ମୂତ୍ର ଖାଇବାକୁ ଦେଉଥିଲେ। ଏପରି କି, ପାଟିରୁ ବାହାରୁଥିବା କଫକୁ ମଧ୍ୟ ସେ ଭକ୍ତମାନଙ୍କୁ ଖୁଆଉଥିଲେ।
ରିପୋର୍ଟ ମୁତାବକ, ବାବାଙ୍କ ନାଁ ଥାବି ନାନରା, ଯାହାଙ୍କ ବୟସ ପାଖାପାଖି ୭୫ ବର୍ଷ ବୋଲି ଜଣାପଡ଼ିଛି। ସବୁଠାରୁ ଚକିତ କଲା ଭଳି କଥା ହେଉଛି, ଭଣ୍ଡ ବାବାଙ୍କ ଆଶ୍ରମରେ ଚଢ଼ାଉ ବେଳେ ପୋଲିସ ୧୧ଟି ମୃତଦେହକୁ ଜବତ କରିଛି। ଏକ ଗୁଇନ୍ଦା ସୂତ୍ର ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁ ବ୍ୟକ୍ତି ବାବାଙ୍କ ଭଣ୍ଡାମି ଲୋକଲୋଚନକୁ ଆଣିଥିଲେ, ବାବା ତାଙ୍କ ମା’ଙ୍କୁ ଆଶ୍ରମରେ ବନ୍ଧକ ରଖି ଦେଇଥିବା ଏବଂ ଅନୁଗାମୀମାନେ ମହିଳାଙ୍କୁ ଯିବାକୁ ଦେଉ ନ ଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ଖବରରୁ ଜଣାପଡ଼ିଛି, ଏକ ଜଙ୍ଗଲ ଭିତରେ କ୍ୟାମ୍ପ୍ ପକାଇ ଆଶ୍ରମଟି ଚାଲୁଥିଲା।
ରିପୋର୍ଟରୁ ଖୁଲାସା ହୋଇଛି ଯେ ଭଣ୍ଡ ବାବା ଅନୁଗାମୀ ମାନଙ୍କୁ ନିଜର ମୂତ୍ର ପିଆଉଥିଲେ ଏବଂ ମଳ ଖାଇବା ପାଇଁ ବାଧ୍ୟ କରୁଥିଲେ। ଥାବି ନାନରା ନିଜକୁ ସମସ୍ତ ଧର୍ମର ପିତା ବୋଲି ଦାବି କରୁଥିଲେ। ବାବାଙ୍କ ଭକ୍ତ ହୋଇ ସାରିଥିବା ୮୦ ବର୍ଷୀୟା ଜଣେ ମହିଳାଙ୍କ ପୁଅ ଏହି କଥା ଖୁଲାସା କରିଛନ୍ତି। ଆଶ୍ରମ ଲୋକଙ୍କ କହିବା ହେଲା ଯେ ମଳ, ମୂତ୍ର ଓ କଫ ପିଇବା ଦ୍ୱାରା ସେମାନଙ୍କୁ କୌଣସି ପ୍ରକାର ଶାରୀରିକ ସମସ୍ୟା ହୋଇ ନ ଥାଏ।
ସ୍ଥାନୀୟ ଗଭର୍ଣ୍ଣରଙ୍କ କହିବା ମୁତାବକ, ଏହି ମାମଲା କେବଳ ଅନ୍ଧବିଶ୍ୱାସର ହିଁ ନୁହେଁ, ବରଂ ଏଠାରେ ଆହୁରି ବି ଭୟଙ୍କର ଘଟଣା ଘଟିଛି। ଆଶ୍ରମ ଭିତରୁ ପୋଲିସ ୧୧ଟି ମୃତଦେହ ଜବତ କରିଛି। ମୃତଦେହଗୁଡ଼ିକ ବାବାଙ୍କ ଭକ୍ତମାନଙ୍କର ବୋଲି କୁହାଯାଉଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି। ଅନ୍ୟପକ୍ଷରେ ଏକ ରିପୋର୍ଟ ମୁତାବକ, ଜବତ ମୃତଦେହଗୁଡ଼ିକ ମଧ୍ୟରୁ କେବଳ ୫ ଜଣଙ୍କର ଡେଥ୍ ସାର୍ଟିଫିକେଟ୍ ରହିଛି। ତେବେ ଆଶ୍ରମ ଉପରେ ସେତେବେଳେ ଚଢ଼ାଉ କରାଯାଇଥିଲା, ଯେତେବେଳେ ଏଠାରେ ବେଆଇନ ଜମି ଅକ୍ତିଆର ଏବଂ କୋଭିଡ୍ ନିୟମ ଉଲ୍ଲଂଘନ ନେଇ ଅଭିଯୋଗ ହୋଇଥିଲା।