ବଡ଼ ଭୁଲ୍ କରିଦେଲା ରୁଷ୍! ନିଜର ହିଁ ସୈନିକଙ୍କୁ ଆକ୍ରମଣ କରି ମାରିଦେଲା; ୟୁକ୍ରେନ ଅଧିକାରୀ କହିଲେ, ‘ଧନ୍ୟବାଦ’
ରୁଷ୍ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧକୁ ଅଢ଼େଇ ମାସରୁ ଅଧିକ ସମୟ ହୋଇ ଗଲାଣି। ରୁଷ୍ ଆକ୍ରମଣରେ ୟୁକ୍ରେନର ଅନେକ ସହର ବର୍ବାଦ ହୋଇ ସାରିଲାଣି। ତଥାପି କୌଣସି ପ୍ରକାରେ ଥମୁ ନାହିଁ ଲଢ଼େଇ। ଏହାରି ଭିତରେ ୟୁକ୍ରେନ ଦାବି କରିଛି ଯେ ରୁଷ୍ର ସେନା ଭୁଲ୍ରେ ନିଜର ହିଁ ସୈନିକଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛି। ଆଉ ଏହି କାରଣରୁ ୟୁକ୍ରେନ ସେନାର ଅଧିକାରୀମାନେ ରୁଷ୍କୁ ‘ଥ୍ୟାଙ୍କ୍ ୟୁ’ ମଧ୍ୟ କହିଛନ୍ତି।
ରିପୋର୍ଟ ମୁତାବକ, ରୁଷ୍-ୟୁକ୍ରେନ ଯୁଦ୍ଧ ଭିତରେ ଭ୍ଲାଦିମିର୍ ପୁଟିନଙ୍କ ସେନାକୁ ଏକ ବଡ଼ ଝଟ୍କା ଲାଗିଛି। ରୁଷୀୟ ସୈନିକଙ୍କୁ ତାଙ୍କରି ହିଁ ସେନା ଭୁଲ୍ରେ ମାରି ଦେଇଛି। ରୁଷ୍ ସେନା ନିଜର ସୈନିକମାନଙ୍କୁ ଫ୍ଲେମ୍ଥ୍ରୋୟର ଦ୍ୱାରା ଆକ୍ରମଣ କରିଛି। କିନ୍ତୁ ଯେତେବେଳେ ରୁଷ୍ ସେନା ଆକ୍ରମଣ କରୁଥିଲା, ସେତେବେଳେ ସେମାନଙ୍କୁ ଜଣା ନ ଥିଲା ଯେ ସେମାନେ ୟୁକ୍ରେନ ନୁହେଁ, ବରଂ ନିଜର ହିଁ ସୈନିକଙ୍କୁ ମାରୁଛନ୍ତି। ସେପଟେ ରୁଷ୍ ସେନାର ଏଭଳି ଆକ୍ରମଣ ପରେ ୟୁକ୍ରେନର ମିଲିଟାରୀ ଅଧିକାରୀମାନେ ରୁଷ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ରୁଷ୍ ସେନା ଆମକୁ ସାହାଯ୍ୟ କରିଛି, ଏଥିପାଇଁ ଧନ୍ୟବାଦ। ତେବେ ରୁଷ୍ ସେନା ନିଜ ସୈନିକମାନଙ୍କ ଉପରେ ୟୁକ୍ରେନର Zaporizhzhya ଅଞ୍ଚଳରେ ଆକ୍ରମଣ କରିଥିବା ରିପୋର୍ଟ କହିଛି।
କିନ୍ତୁ ରୁଷ୍ ଏ ପର୍ଯ୍ୟନ୍ତ ସେନାର ଭୁଲ୍ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଏହା ମଧ୍ୟ ଜଣାପଡ଼ି ନାହିଁ ଯେ ରୁଷ୍ ସେନା ଆକ୍ରମଣରେ ତା’ର କେତେ ସୈନିକ ମରିଛନ୍ତି। ଏହାରି ଭିତରେ ୟୁକ୍ରେନ ତରଫରୁ ଏହା ମଧ୍ୟ ଦାବି କରାଯାଉଛି ଯେ ରୁଷ୍ ସେନା ନିଜେ ନିଜର ବାହନଗୁଡ଼ିକୁ କ୍ଷତି ପହଞ୍ଚାଉଛି, ଯଦ୍ଦ୍ଵାରା ସେମାନଙ୍କୁ ୟୁକ୍ରେନରେ ଆଗକୁ ବଢ଼ି ଯୁଦ୍ଧ କରିବାକୁ ନ ପଡ଼େ। ସେପଟେ ରୁଷ୍-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକାର ଗୁଇନ୍ଦା ଏଜେନ୍ସି ଏକ ଚେତାବନୀ ଦେଇଛି। ଏହା କହିଛି ଯେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ୟୁକ୍ରେନରେ ଏକ ଲମ୍ବା ଯୁଦ୍ଧର ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ମୁତାବକ, ଯେବେଠାରୁ ରୁଷ୍ ୨୪ ଫେବୃୟାରୀରୁ ୟୁକ୍ରେନ ଉପରେ ନିଜର ଆକ୍ରମଣ ଆରମ୍ଭ କରିଛି, ସେବେଠୁ ରାଜଧାନୀ କିଭ୍ରେ ୩୯୦ ଅଟ୍ଟାଳିକାକୁ ନଷ୍ଟ କରି ଦେଇଛି, ଯେଉଁଥିରୁ ୨୨୨ଟି ଆବାସୀୟ ଆପାର୍ଟମେଣ୍ଟ ରହିଛି।
ଅନ୍ୟ ପକ୍ଷରେ ରୁଷ୍ ଓ ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ମିଲିଟାରୀ ଜ୍ୟାଲେଟ୍ ନିଲାମ୍ ହୋଇଛି। ଏହି ନିଲାମୀରୁ ଯେଉଁ ଫଣ୍ଡ୍ ସଂଗୃହୀତ ହୋଇଛି, ସେଥିରେ ୟୁକ୍ରେନରେ ଫସିଥିବା ଲୋକଙ୍କର ସହାୟତା କରାଯିବ।