ରେଲୱେର ନୂଆ ବ୍ୟବସ୍ଥା: ଏଣିକି କିସ୍ତିରେ ଦେଇ ପାରିବେ ରାମାୟଣ ତୀର୍ଥ ଯାତ୍ରାର ଭଡ଼ା; ଦୁଇ ବର୍ଷ ଯାଏ ସୁଝି ପାରିବେ ଏହି ଟଙ୍କା
ଇଣ୍ଡିଆନ୍ ରେଲୱେ କ୍ୟାଟରିଙ୍ଗ୍ ଟୁରିଜମ୍ କର୍ପୋରସନ (IRCTC) ମଝିରେ ମଝିରେ ପର୍ଯ୍ୟଟନ ଏବଂ ତୀର୍ଥ ସ୍ଥାନ ପରିଭ୍ରମଣ ପାଇଁ ସ୍ପେଶାଲ ଟ୍ରେନ ସବୁ ଚଲାଇଥାଏ। ଏଗୁଡ଼ିକର ଭଡ଼ା ଯାତ୍ରୀମାନଙ୍କଠାରୁ ଆଡ୍ଭାନ୍ସରେ ନିଆଯାଇଥାଏ, କିନ୍ତୁ ଏବେ IRCTC କିସ୍ତିରେ ଭଡ଼ା ନେବାର ସୁବିଧା ଆଣି ଦେଇଛି। ରେଲୱେ ପ୍ରଶାସନ ଯାତ୍ରୀମାନଙ୍କଠାରୁ କିସ୍ତିରେ ଭଡ଼ା ନେଇ ‘ରାମାୟଣ ତୀର୍ଥ ଯାତ୍ରା’ର ସୁବିଧା ଉପଲବ୍ଧ କରିବାକୁ ଯାଉଛି। ଏଣିକି ଏହି ଭଡ଼ା ୨ ବର୍ଷ ପର୍ଯ୍ୟନ୍ତ ମାସିକ କିସ୍ତି ଆକାରରେ ନିଆଯାଇ ପାରିବ। ଯାତ୍ରୀମାନେ ଭାରତ ଏବଂ ନେପାଳରେ ଥିବା ରାମାୟଣ ସମୟର ତାର୍ଥ ସ୍ଥାନଗୁଡ଼ିକୁ ଦର୍ଶନ କରି ପାରିବେ।
IRCTC ଆସନ୍ତା ଜୁନ୍ ୨୧ରୁ ସଫଦରଗଞ୍ଜରୁ ରାମାୟଣ ତୀର୍ଥ ଯାତ୍ରା ଟ୍ରେନ୍ ଚଲାଇବାକୁ ଯାଉଛି। ଏହି ଯାତ୍ରା ୧୮ ଦିନର ହେବ। ଯାତ୍ରୀମାନଙ୍କୁ ଗରମରୁ ମୁକ୍ତି ଦେବା ନିମନ୍ତେ IRCTC ସ୍ଲିପର ପରିବର୍ତ୍ତେ ଏସି ଥ୍ରୀ କୋଚ୍ର ମଧ୍ୟ ସୁବିଧା ପ୍ରଦାନ କରିଛି। ଏହି ଟ୍ରେନର ପ୍ରଥମ ଯାତ୍ରା ରାମ ଜନ୍ମଭୂମି ଅଯୋଧ୍ୟାରୁ ଆରମ୍ଭ ହେବ। ଏଠାରେ ରାମ ଜନ୍ମଭୂମି ମନ୍ଦିର, ହନୁମାନ ମନ୍ଦିର, ନନ୍ଦୀଗ୍ରାମ, ଭରତ ମନ୍ଦିର ଆଦି ଦର୍ଶନ କରାଯିବ। ଏହା ପରେ ଯାତ୍ରୀମାନେ ବକ୍ସର ଅଭିମୁଖେ ଯିବେ, ଯେଉଁଠି ସେମାନେ ବିଶ୍ୱାମିତ୍ର ଆଶ୍ରମ ଏବଂ ରାମରେଖା ଘାଟ ଦେଖି ପାରିବେ।
ପରେ ସୀତମଢ଼ିରେ ଥିବା ଜାନକୀ ଜନ୍ମସ୍ଥଳ, ନେପାଳର ଜନକପୁରରେ ଥିବା ରାମ ଜାନକୀ ମନ୍ଦିର ଦର୍ଶନ କରାଯିବ। ପୁଣି ଯାତ୍ରୀମାନେ ବାରାଣସୀରେ କାଶୀର ପ୍ରସିଦ୍ଧ ମନ୍ଦିର ଏବଂ ମାତା ସୀତାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଦର୍ଶନ କରିବେ। ଯାତ୍ରୀମାନଙ୍କୁ ଚିତ୍ରକୂଟ ଏବଂ ନାସିକର ପଞ୍ଚବଟୀ ମନ୍ଦିର ମଧ୍ୟ ନିଆଯିବ। ଦକ୍ଷିଣ ଭାରତରେ ଥିବା ପ୍ରାଚୀନ କିସ୍କିନ୍ଧା ନଗରୀ ହମ୍ପି ପରେ ଯାତ୍ରୀମାନେ ରାମେଶ୍ୱର ଦର୍ଶନ କରିବାକୁ ଯିବେ। ଟ୍ରେନର ଅନ୍ତିମ ଗସ୍ତ ଭଦ୍ରାଚଲମ୍ ହେବ, ଯାହାକୁ ଦକ୍ଷିଣ ଭାରତରେ ଅଯୋଧ୍ୟା ନାମରେ ଜଣାଯାଇଥାଏ।
୮ ହଜାର କିଲୋମିଟର ଯାତ୍ରା କରିବା ପରେ ଟ୍ରେନ୍ ପ୍ରତ୍ୟାବର୍ତ୍ତନ କରିବ। IRCTC ପ୍ୟାକେଜ୍ର ଭଡ଼ା ଜଣେ ଯାତ୍ରୀ ପିଛା ୬୨,୩୭୦ ଟଙ୍କା ରଖାଯାଇଛି। ଏହି ପ୍ୟାକେଜ୍ରେ ଟ୍ରେନ୍ ଭଡ଼ା, ଖାଦ୍ୟ, ହୋଟେଲରେ ରହଣୀ, ଟ୍ୟାକ୍ସି ଭଡ଼ା ଆଦି ସାମିଲ ରହିଛି। ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ ଟିକେଟ୍ କିଣୁଥିବା ଯାତ୍ରୀମାନଙ୍କୁ କିସ୍ତିରେ ଭଡ଼ା ଦେବାର ସୁବିଧା ଦିଆଯାଇଛି। ଯାତ୍ରୀମାନେ ୩ ମାସରୁ ଆରମ୍ଭ କରି ୨ ବର୍ଷ ପର୍ଯ୍ୟନ୍ତ ଟ୍ରେନ୍ ଭଡ଼ା କିସ୍ତି ଆକାରରେ ସୁଝି ପାରିବେ। ବିଭାଗୀୟ ଲୋକସମ୍ପର୍କ ଅଧିକାରୀ କହିଛନ୍ତି ଯେ ଯାତ୍ରାରେ ୬୦୦ ଯାତ୍ରୀଙ୍କୁ ନେଇଯିବାର ବ୍ୟବସ୍ଥା ରହିଛି। ରାମାୟଣ ଯାତ୍ରା ପାଇଁ ଅନଲାଇନ ଟିକେଟ୍ ବୁକ୍ କରିବାକୁ ହେବ।