ସ୍ତ୍ରୀକୁ ନିଦରୁ ଉଠାଇ ଚଳନ୍ତା ଟ୍ରେନ୍ ସାମ୍ନାକୁ ପେଲି ଦେଲା ସ୍ୱାମୀ, ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ; ଦେଖନ୍ତୁ ଭିଡିଓ
ମହାରାଷ୍ଟ୍ର: ଚଳନ୍ତା ଟ୍ରେନ୍ ଆଗକୁ ସ୍ତ୍ରୀକୁ ଠେଲି ଦେଲା ସ୍ୱାମୀ। ମୁହୂର୍ତ୍ତକରେ ଖଣ୍ଡ ବିଖଣ୍ଡିତ ହୋଇଗଲା ଶରୀର। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ମହାରାଷ୍ଟ୍ର ପାଲଘର ଜିଲ୍ଲାର ବସଇ ରୋଡ୍ ରେଳ ଷ୍ଟେସନରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ସୋମବାର ଦିନ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ୍ ସାମ୍ନାକୁ ସ୍ତ୍ରୀକୁ ଧକ୍କା ଦେଇଛି। ଟ୍ରେନ୍ରେ କଟି ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।
ରେଲୱେ ପୋଲିସ ମୁତାବକ, ଏହି ଘଟଣା ଭୋର ୪ଟା ବେଳର। ରେଲୱେ ସିସିଟିଭି ଫୁଟେଜ୍ରେ ପୂରା ଘଟଣା କଏଦ ହୋଇଛି। ବସଇ ରେଲୱେ ପୋଲିସ ଆଇପିସି ଧାରା ୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି।
ଦେଖନ୍ତୁ ଭିଡିଓ:
#Mumbai Shocker: Man pushes wife in front of a moving train and flees with two children; incident caught on CCTV (Viewer discretion is advised) pic.twitter.com/a7gkMAd6LQ
— Free Press Journal (@fpjindia) August 22, 2022
ରେଲୱେ ପୋଲିସର ଜଣେ ଅଧିକାରୀଙ୍କ କହିବାନୁସାରେ, ମହିଳା ପ୍ଲାଟଫର୍ମ ନମ୍ବର ୫ରେ ୨ ପିଲାଙ୍କ ସହ ଶୋଇଥିଲେ। ଏହି ସମୟରେ ସ୍ୱାମୀ ତାଙ୍କ ପାଖକୁ ଆସି ନିଦରୁ ଉଠାଇଥିଲେ ଓ ସାମ୍ନା ପଟୁ ଆସୁଥିବା ଟ୍ରେନ୍ ଆଗକୁ ଧକ୍କା ଦେଇଥିଲେ। ଭୋର ୪.୧୦ରେ ଘଟିଥିବା ଏହି ଘଟଣା ସିସିଟିଭି ଫୁଟେଜ୍ରେ କଏଦ ହୋଇଛି। ଏଥିରେ ଜଣେ ୩୦ ବର୍ଷର ବ୍ୟକ୍ତି ଶୋଇଥିବା ନିଜ ସ୍ତ୍ରୀକୁ ଉଠାଉଛନ୍ତି ଓ ତାଙ୍କୁ ରେଲୱେ ପ୍ଲାଟଫର୍ମ କଡ଼କୁ ଘୋଷାଡ଼ି ନେଇ ଟ୍ରେନ୍ ସାମ୍ନାକୁ ଠେଲି ଦେଉଛନ୍ତି। ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପରେ ବ୍ୟକ୍ତି ଜଣକ ଦୁଇ ପିଲାଙ୍କୁ ବ୍ୟାଗ୍ ସହ ଉଠାଇ ପ୍ଲାଟଫର୍ମରୁ ପଳାଇଥିଲେ। ତା’ ପରେ ସେ ଦାଦର ଓ ସେଠାରୁ କଲ୍ୟାଣ ପାଇଁ ଯାଉଥିବା ଟ୍ରେନ୍ରେ ଚଢ଼ିଥିଲେ। ତାଙ୍କୁ ଧରିବା ପାଇଁ ରେଲୱେ ପୋଲିସ ଚେଷ୍ଟା ଜାରି ରଖିଛି।
Also Read: ସପନା ଚୌଧୁରୀଙ୍କ ନାଁରେ ଗିରଫ ଓ୍ଵାରେଣ୍ଟ ଜାରି, ପ୍ରୋଗ୍ରାମ୍ କ୍ୟାନ୍ସଲ କରି ଟଙ୍କା ହଜମ କରିଥିବା ଅଭିଯୋଗ