ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର
ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କର ରବିବାର ଦେହାନ୍ତ ହୋଇଛି। ସେ ୯୯ ବର୍ଷ ବୟସରେ ନରସିଂହପୁରର ଝୋତେଶ୍ୱରସ୍ଥିତ ପରମହଂସୀ ଗଙ୍ଗା ଆଶ୍ରମରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ଝୋତେଶ୍ୱରରେ ସାଢ଼େ ୩ଟାରେ ହେବ। ଆଜି ରାତି ଏବଂ ଆସନ୍ତାକାଲି ଶେଷ ଦର୍ଶନ ପାଇଁ ମର ଶରୀରକୁ ରଖାଯିବ।
ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଆସନ୍ତାକାଲି ଆଶ୍ରମରେ ହିଁ ତାଙ୍କୁ ସମାଧି ଦିଆଯିବ। କିଛି ଦିନ ପୂର୍ବେ ସେ ତାଙ୍କର ୯୯ତମ ଜନ୍ମଦିନ ପାଳନ କରିଥିଲେ। ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ଜେଲ ମଧ୍ୟ ଯାଇଥିଲେ। ସେ ରାମ ମନ୍ଦିର ନିର୍ମାଣ ପାଇଁ ବି ଏକ ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିଲେ।
ସ୍ୱାମୀ ସ୍ୱରୂପାନନ୍ଦଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକପ୍ରକାଶ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ମୃତ୍ୟୁ ଧର୍ମ ଏବଂ ଆଧ୍ୟାତ୍ମିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ଗୋବର୍ଦ୍ଧନ ମଠର ପୀଠାଧୀଶ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମଧ୍ୟ ଶୋକପ୍ରକାଶ କରିଛନ୍ତି।