ପନ୍ଭେଲ ଫାର୍ମହାଉସ୍ ପାଖରେ ହିଁ କରାଯାଇ ଥାଆନ୍ତା ସଲମାନ ଖାନଙ୍କୁ ହତ୍ୟା! ହୋଶ୍ ଉଡ଼ାଇ ଦେବ ବିଶ୍ନୋଇ ଗ୍ୟାଙ୍ଗ୍ର Plan B…ଜାଣନ୍ତୁ
ବଲିଉଡ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ଲଗାତାର ବିପଦ ରହି ଆସିଛି। ଥରେ ପ୍ଲାନ୍ ଫେଲ୍ ହେବା ପରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଆଉ ଏକ ପ୍ଲାନ୍ ପ୍ରସ୍ତୁତ କରିଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା ଖୁଲାସା କରିଛି ପଞ୍ଜାବ ପୋଲିସ। ପୋଲିସ କହିଛି ଯେ ବିଶ୍ନୋଇ ଗ୍ୟାଙ୍ଗ ସଲମାନ ଖାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଦ୍ୱିତୀୟ ଥର ଷଡଯନ୍ତ୍ର ରଚିଥିଲା। ଗ୍ୟାଙ୍ଗ୍ର ସଦସ୍ୟମାନେ ଅଭିନେତାଙ୍କୁ ତାଙ୍କରି ହିଁ ଫାର୍ମହାଉସ ପାଖରେ ହତ୍ୟା କରିବାକୁ ଯୋଜନା କରିଥିଲେ।
ପୋଲିସ କହିଛି, ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ପୂର୍ବରୁ ଲରେନ୍ସ ବିଶ୍ନୋଇ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଦ୍ୱିତୀୟ ଥର ଯୋଜନା କରିଥିଲେ। ପ୍ଲାନ୍ ଏ ବିଫଳ ହେବା ପରେ ଗ୍ୟାଙ୍ଗ ପ୍ଲାନ୍ ବି ପ୍ରସ୍ତୁତ କରିଥିଲା। ଏହି ପ୍ଲାନ୍କୁ ଆଉ କେହି ନୁହେଁ, ବରଂ ଗୋଲ୍ଡି ବରାଡ ଲିଡ୍ କରୁଥିଲେ। ଗୋଲ୍ଡି ସଲମାନଙ୍କୁ ହତ୍ୟା କରିବା ପାଇଁ କପିଲ ପଣ୍ଡିତ (ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଜଣେ ଶୁଟର)ଙ୍କୁ ଚୟନ କରିଥିଲେ। କହି ରଖୁଛୁ, ନିକଟରେ ପୋଲିସ କପିଲଙ୍କୁ ଭାରତ ଓ ନେପାଳ ସୀମାରୁ ଗିରଫ କରିଛି।
ପୋଲିସ ଏହି ଗ୍ୟାଙ୍ଗଷ୍ଟାର୍ସଙ୍କ ପ୍ଲାନ ବି ବିଷୟରେ ଖୁଲାସା କରି କହିଛି କି, ପନ୍ଭେଲରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଫାର୍ମହାଉସ ରହିଛି। ତେଣୁ କପିଲ ପଣ୍ଡିତ, ସନ୍ତୋଷ ଯାଦବ, ଦୀପକ ମୁଣ୍ଡି ଓ ଗ୍ୟାଙ୍ଗ୍ର ଅନ୍ୟ ଶୁଟରମାନେ ମୁମ୍ବାଇର ଓ୍ଵାଜେ ଅଞ୍ଚଳ ପନ୍ଭେଲରେ ଏକ ଭଡ଼ା ଘରେ ରହିବାକୁ ଆସିଥିଲେ। ପାଖାପାଖି ଦେଢ଼ ମାସ ଧରି ବିଶ୍ନୋଇ ଗ୍ୟାଙ୍ଗର ସଦସ୍ୟମାନେ ଏଠାରେ ରହିଥିଲେ।
ତେବେ ଯେବେଠାରୁ ସଲମାନ ଖାନଙ୍କ ନାମ ହିଟ୍ ଆଣ୍ଡ ରନ୍ ମାମଲାରେ ସାମ୍ନାକୁ ଆସିଛି, ସେବେଠାରୁ ସେ ନିଜ ଗାଡିର ବେଗ ବହୁତ କମ୍ ରଖୁଥିବା ଗ୍ୟାଙ୍ଗ୍ର ସଦସ୍ୟମାନେ ପୂର୍ବରୁ ଜାଣିଥିଲେ। ସେମାନେ ଖୋଳତାଡ଼ ସମୟରେ ଏହା ବି ଜାଣିବାକୁ ପାଇଥିଲେ କି, ସଲମାନ ଖାନ ଯେତେବେଳେ ଚାହାଁନ୍ତି, ସେତେବେଳେ ନିଜ ଫାର୍ମହାଉସକୁ ଆସନ୍ତି। ଆଉ ସେହି ସମୟରେ ତାଙ୍କ ସହିତ ତାଙ୍କର PSO ଶେରା ଉପସ୍ଥିତ ଥାଆନ୍ତି। ପୋଲିସ ସୂଚନା ମୁତାବକ, ଲରେନ୍ସ ବିଶ୍ନୋଇ ସଲମାନ ଖାନଙ୍କୁ ହତ୍ୟା କରି ୧୯୯୮ ମସିହାର କଳା ହରିଣ ଶିକାରର ପ୍ରତିଶୋଧ ନେବାକୁ ଚାହୁଁଥିଲେ। ପୋଲିସ ରିମାଣ୍ଡରେ ଲରେନ୍ସ ନିଜେ ଏହି କଥା ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ୨୦୧୮ରେ ସଲମାନଙ୍କୁ ହତ୍ୟା କରିବା ପାଇଁ ସେ ସମସ୍ତ ପ୍ରସ୍ତୁତି କରି ସାରିଥିଲେ। ଏଥିପାଇଁ ୪ ଲକ୍ଷ ଟଙ୍କାରେ ଏକ ସ୍ୱତନ୍ତ୍ର ରାଇଫଲ ମଧ୍ୟ କିଣିଥିଲେ।
କହି ରଖୁଛୁ, ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ଵାଲାଙ୍କ ମୃତ୍ୟୁ ପରଠାରୁ ତାଙ୍କ ଜୀବନ ପ୍ରତି ବିପଦ ବଢ଼ି ଯାଇଛି। ସଲମାନଙ୍କ ସୁରକ୍ଷା ଉପରେ ଖାସ୍ ଧ୍ୟାନ ଦିଆଯାଉଛି। ତାଙ୍କ ଗାଡିକୁ ମଧ୍ୟ ଅପ୍ଗ୍ରେଡ୍ କରି ଦିଆଯାଇଛି। ସେ ବୁଲେଟ୍ ପ୍ରୁଫ୍ ଧଳା କାରରେ ବୁଲୁଛନ୍ତି। ଏତିକି ନୁହେଁ, ସଲମାନଙ୍କୁ ବନ୍ଧୁକ ରଖିବା ପାଇଁ ମଧ୍ୟ ଲାଇସେନ୍ସ ମିଳିଛି।