କାହିଁକି ପାଳନ ହୁଏ ମହାଳୟା ଅମାବାସ୍ୟା , ଏହି ସମୟରେ ଶ୍ରାଦ୍ଧ ଦେଲେ କଣ ହୁଏ ଜାଣନ୍ତୁ

ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ’ମହାଳୟା ଶ୍ରାଦ୍ଧ’, ”’ସାମ୍ବତ୍ସରିକ ଶ୍ରାଦ୍ଧ”’ ବା ’ପାର୍ବଣ ଶ୍ରାଦ୍ଧ” ବା ’ମଉଳା ଶ୍ରାଦ୍ଧ’ କୁହାଯାଏ । ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ ।

ଯାହାକି ଚଳିତ ମାସ ୨୫ ଅର୍ଥାତ ରବିବାର ପଡୁଛି । ଏହି ଦିନ ପିତୃ ପୁରୁଷ ନିଜ ସ୍ଥାନକୁ ଫେରି ଯାଆନ୍ତି ,ଯେଉଁଥିପାଇଁ ପିତୃପକ୍ଷର ଏହି ଅନ୍ତିମ ଦିନ ଅତ୍ୟନ୍ତ ରୁରୁତ୍ୱପୂର୍ଣ୍ଣ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ଏପରି କିଛି କାର୍ଯ୍ୟ ଅଛି ଯାହାକୁ କରିବା ଦ୍ୱାରା ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିସହିତ ପିତୃ ପୁରୁଷମାନେ ମଧ୍ୟ କୋପ ଦୃଷ୍ଟି ପକାଇଥାନ୍ତି ।

ଜାଣନ୍ତୁ ମହାଳୟା ଅମାବାସ୍ୟାର ମହତ୍ତ୍ୱ:

ଶାସ୍ତ୍ରରେ ମହାଳୟା ଅମାବାସ୍ୟାର ମହତ୍ତ୍ୱ ଉଲ୍ଲେଖ କରାଯାଇଛି। କୁହାଯାଇଥାଏ ଯେଉଁ ବ୍ୟକ୍ତିଙ୍କୁ ପିତୃ-ପୁରୁଷଙ୍କ ମୃତ୍ୟୁର ତାରିଖ ଜଣା ନଥାଏ ସେମାନେ ମହାଳୟା ଅମାବାସ୍ୟାରେ ଶ୍ରାଦ୍ଧ କାର୍ଯ୍ୟ କରିପାରିବେ। ଏହି ଦିନ ପିତୃ-ପୁରୁଷଙ୍କ ପ୍ରତି ଶ୍ରଦ୍ଧାଭାବ ଦେଖାଇବା ଉଚିତ। ପିତୃପକ୍ଷ ସମୟରେ ପିତୃଲୋକରୁ ପିତୃ-ପୁରୁଷ ନିଜର ପ୍ରିୟ ଜନମାନଙ୍କ ପାଖକୁ କୌଣସି ନା କୌଣସି ରୂପରେ ଆସିଥାନ୍ତି। ଏହି କାରଣରୁ ପିତୃ-ପୁରୁଷଙ୍କୁ ପ୍ରସନ୍ନ କରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଥିଲେ ନିଶ୍ଚିତ ପିତୃପକ୍ଷରେ ତର୍ପଣ କରନ୍ତୁ। ତର୍ପଣର ଅର୍ଥ ହେଉଛି ଜଳଦାନ, ଭୋଜନ ଦାନ କରି ଶ୍ରାଦ୍ଧ କରିବା।

ମାନ୍ୟତା ଅନୁଯାୟୀ ପିତୃପକ୍ଷରେ ପିତୃ-ପୁରୁଷ ଧରିତ୍ରୀରେ ପଶୁ-ପକ୍ଷୀ ଏବଂ ବ୍ରାହ୍ମଣଙ୍କ ରୂପରେ ନିଜ ପ୍ରିୟଜନଙ୍କ ସହ ସାକ୍ଷାତ କରିବାକୁ ଆସିଥାନ୍ତି। ଏଭଳି ଦିନରେ ପୂର୍ବ-ପୁରୁଷଙ୍କ ଆତ୍ମ ତୃପ୍ତି ପାଇଁ ପବିତ୍ର ନଦୀରେ ତର୍ପଣ, ପିଣ୍ଡଦାନ ଏବଂ ବ୍ରାହ୍ମଣ ଭୋଜନ କରାଯାଇଥାଏ। ଏହାଦ୍ୱାରା ପିତୃ ଦୋଷ ଏବଂ ବିଭିନ୍ନ ପ୍ରକାର କଷ୍ଟ ଦୂର ହୋଇଥାଏ। ଏଥିସହ ମହାଳୟା ଅମାବାସ୍ୟା ଦିନ ଧରିତ୍ରୀକୁ ଆସିଥିବା ପିତୃ-ପୁରୁଷମାନେ ପୁଣି ଥରେ ଚାଲିଯାଇଥାନ୍ତି।

ମହାଳୟା ଅମାବାସ୍ୟାରେ କଣ କରିବା ଉଚିତ ନୁହେଁ :

ଏହି ଦିନମାନଙ୍କରେ ମଦ୍ୟପାନ ସମ୍ପୂର୍ଣ୍ଣ ନିଷିଧ। କାରଣ ଏହି ସମୟରେ ପିତର ଆମ ମାନଙ୍କ ସହ ରହୁଥିବା କୁହାଯାଏ। ଆମର ପ୍ରତ୍ୟେକ କାମରେ ସେ ନିଜର ଭଲମନ୍ଦ ଦେଖନ୍ତି। ଏଥିରେ ଯଦି ମଦ୍ୟପାନ କରାଯାଏ ପିତର ବ୍ୟଥିତ ହୁଅନ୍ତି ଓ ସେମାନଙ୍କ ପରଲୋକରେ ତାଙ୍କର ସନ୍ତତି ତାଙ୍କ ଲାଗି ଚିନ୍ତିତ ନୁହନ୍ତି ବୋଲି ଭାବନ୍ତି ଓ ଦୁଃଖି ହୁଅନ୍ତି।

ସେହିପରି ମତ୍ସ୍ୟ, ମାଂସ ଓ ଆମିଷାଦି ଆହାର ଛାଡିବାକୁ ପଡିଥାଏ। ଏମିତିରେ ମହାଳୟା ଶ୍ରାଦ୍ଧ ଲାଗି ଲୋକେ ଘର ଧୁଆଧୋଇ ରଙ୍ଗରାଙ୍ଗ କରନ୍ତି। ଏଣୁ ଆମିଷ ଆଦି ଖାଦ୍ୟ ଖାଇ ନଥାନ୍ତି। ଯଦି ବା ଭୁଲରେ କୌଣସି ପରିବାରରେ ଆମିଷ ଭୋଜନ ହେଉଥାଏ ତେବେ ପିତର ବ୍ୟଥୀତ ହୁଅନ୍ତି। ଏଭଳି ତାମସିକ ଖାଦ୍ୟରେ ସେମାନଙ୍କର ଋଚି ନଥାଏ ଏଣୁ ସେମାନଙ୍କ ଅସନ୍ତୋଷ ଆମକୁ ହିଁ ଭୋଗିବାକୁ ପଡିଥାଏ। ସେହିପରି ପିତର ଆମ ସହ ରହୁଥିବା ଅନୁଭ କରିବା ସହ ସେମାନଙ୍କ ଲାଗି ଘରେ ସମସ୍ତଙ୍କ ଖାଇବା ପୂର୍ବରୁ ଖାଦ୍ୟ କାଢି ରଖିବା ଉଚିତ। ପ୍ରତ୍ୟହ ସେମାନଙ୍କ ସନ୍ତୋଷ ଲାଗି ଜଳ ଅର୍ପଣ କରାଯାଏ। ଏପରି କରିବା ଦ୍ୱାରା ସେମାନେ ସନ୍ତୁଷ୍ଟ ହେବା ସହ ଆମର ହେଉନଥିବା କାମ ସବୁ ଆମ ସାଥିରେ ରହି କରାଇ ଦେଇଥାନ୍ତି।

ସର୍ବ ପିତୃ ଅମାବାସ୍ୟା ଦିନ କୌଣସି ଗରିବ ବ୍ୟକ୍ତି କିମ୍ବା ପଶୁକୁ ଘର ଆଗରୁ ଫେରାଇ ଦିଅନ୍ତୁ ନାହିଁ । ସେମାନଙ୍କୁ ନିଜ ସାମର୍ଥ ଅନୁସାରେ ଭୋଜନ ଦିଅନ୍ତୁ । ଏହି ଦିନ କୌଣସି ବ୍ୟକ୍ତିଙ୍କୁ ଅଟା, ତେଲ, ଲୁଣ ଆଦି ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ମହାଳାୟା ଦିନ ପିଆଜ,ରସୁଣ ମସୁର ଡାଲି , କୋଳଥ ଡାଲି, ଅଳସୀ ଆଦି ଖାଦ୍ୟ ସେବନ କରନ୍ତୁ ନାହିଁ । ଏହିଦିନ ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତୁ । ମହାଳୟା ଦିନ ଭୁଲରେ ବି କେଶ ଏବଂ ନଖ କାଟନ୍ତୁ ନାହିଁ । ନଚେତ୍ ଆପଣ ଏକ ଭୟଙ୍କର ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.