ଘରୋଇ ସହାୟିକାଙ୍କୁ ବନ୍ଧକ ରଖି ଖୁବ୍‌ ପିଟିଲେ ମହିଳା ଓକିଲ, ଜବରଦସ୍ତି କରାଇଲେ ଘର କାମ; ସିସିଟିଭିରେ କଏଦ ହେଲା ଦୃଶ୍ୟ

ନୋଏଡାର ସେକ୍ଟର-୧୧ସ୍ଥିତ ଏକ ହାଇ ପ୍ରୋଫାଇଲ ସୋସାଇଟିରେ ରହୁଥିବା ଜଣେ ମହିଳା ଘରୋଇ ସହାୟିକାଙ୍କୁ ବନ୍ଧକ ରଖି ଅତି ନିର୍ଦ୍ଦୟ ଭାବେ ପିଟାପିଟି କରିଛନ୍ତି। ଅଭିଯୁକ୍ତ ମହିଳା ହେଉଛନ୍ତି ପେସାରେ ଜଣେ ଓକିଲ। ଖବରରୁ ଜଣାପଡ଼ିଛି ଯେ ଚୁକ୍ତି ଶେଷ ହେବା ପରେ ବି ମହିଳା ଓକିଲ ଜଣକ ସହାୟିକାଙ୍କୁ ଘରେ ଜୋର୍‌ ଜବରଦସ୍ତି ରଖି ବାଡ଼ାବାଡ଼ି କରିବା ସହ ଘର କାମ କରାଉଥିଲେ।

ତେବେ ଏ ନେଇ କୌଣସି ପ୍ରକାରେ ସହାୟିକାଙ୍କ ଘର ଲୋକଙ୍କୁ ଖବର ପହଞ୍ଚିବା ପରେ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଥାନାରେ ପରିବାର ଲୋକେ ଅଭିଯୋଗ କରିଥିବା ଜାଣିବା ପରେ ମହିଳା ଓକିଲ ସହାୟିକାଙ୍କ ପରିବାରକୁ ନାନା ଧମକ ଦେଇଥିଲେ। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ସହାୟିକାଙ୍କୁ ମେଡିକାଲରେ ଭର୍ତ୍ତି କରାଇଛି।

ମଥୁରାର ମୂଳ ବାସିନ୍ଦା ପଦ୍ମା ସିଂ ପୋଲିସରେ ଅଭିଯୋଗ କରିଛନ୍ତି ଯେ ତାଙ୍କର ୨୦ ବର୍ଷୀୟା ଝିଅ ଅନିତା ଜଣେ ମହିଳା ଓକିଲ ଶେଫାଳିଙ୍କ ଘରେ ରହି କାମ କରୁଥିଲା। ତାଙ୍କର ୬ ମାସିଆ ଚୁକ୍ତି ୩୧ ଅକ୍ଟୋବରରେ ପୂରା ହୋଇଯାଇଥିଲା। ହେଲେ ଏହାପରେ ବି ଅନିତାକୁ ଶେଫାଳି ଜୋର୍‌ ଜବରଦସ୍ତି ଘରେ ରଖି କାମ କରାଉଥିଲେ।

ଅଭିଯୋଗ ଅନୁସାରେ, ଅନିତାକୁ ସବୁବେଳେ ମାରପିଟ କରାଯିବା ସହିତ ତାକୁ ନାନା ନିର୍ଯାତନା ଦିଆଯାଉଥିଲା। ଦୁଇ ଦିନ ପୂର୍ବରୁ ବି ଅନିତାକୁ କୌଣସି କଥାକୁ ନେଇ ନିର୍ଧୁମ ପିଟା ଯାଇଥିଲା। ସେ ଲିଫ୍ଟରେ ତଳକୁ ଓହ୍ଲାଇ ଖସି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଶେଫାଳି ତାଙ୍କୁ ଧରି ଲିଫ୍ଟରେ ମଧ୍ୟ ପିଟାପିଟି କରିଥିଲେ। ଏହି ସମୟରେ କେହି ଜଣେ ଅନିତାଙ୍କ ଘରଲୋକଙ୍କୁ ଫୋନ୍‌ରେ ଖବର ଦେଇଥିଲେ।

video courtesy: ZeeNewsEnglish

ଏହାପରେ ତାଙ୍କ ମା’, ବାପା ନୋଏଡାରେ ପହଞ୍ଚିଥିଲେ ଏବଂ ସୋସାଇଟି ଯାଇ ଝିଅକୁ ସାଥୀରେ ନେବାକୁ କହିଥିଲେ। କିନ୍ତୁ ଶେଫାଳି ଅନିତାକୁ ପଠାଇବାକୁ ମନା କରି ଦେଇଥିଲେ। ପରେ ପରିବାର ଲୋକେ ପୋଲିସରେ ଯାଇ ଏ ନେଇ ଅଭିଯୋଗ କରିଥିଲେ। ତେବେ ଅନିତାଙ୍କ ମୁହଁ, ପିଠି, ହାତ, ଗୋଡ଼, ବେକ ସମେତ ଶରୀରର ଅନ୍ୟାନ୍ୟ ସ୍ଥାନରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି।

Leave A Reply

Your email address will not be published.