ଏମିତି ରାଜନୀତି, ଗୋଟିଏ ପରିବାରର ଲୋକ ତିନି ତିନିଟି ଦଳରେ !

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏଥର ନିର୍ବାଚନ ବେଶ୍‌ କିଛି ରେକର୍ଡ଼ ସୃଷ୍ଟି କରିବ । ଭୋଟର୍‌ ସଂଖ୍ୟାରେ, ବିଶୃଙ୍ଖଳାରେ, କିଛି ଆଚମ୍ବିତ ଫଳାଫଳରେ । ଏଭଳି କିଛି ଅନୁମାନ କରୁଛନ୍ତି ରାଜନୀତି ବିଶେଷଜ୍ଞ । ତେବେ ୟା ଭିତରେ ନେତାଙ୍କ ଦଳ ବଦଳ ମଧ୍ୟ ନୂଆ ରେକର୍ଡ଼ ସ୍ଥାପନ କରିବ । ଆହୁରି ମଧ୍ୟ ଆଲୋଚନାକୁ ଆସିଛି ପରିବାରବାଦ ରାଜନୀତି କଥା । ଜାତୀୟସ୍ତରରେ କଣ ହେଉଛି ସେ କଥା ଛାଡ଼ନ୍ତୁ,ଆମ ରାଜ୍ୟ କଥାକୁ ଆସିବା । ଏଠି ଗୋଟିଏ ଗୋଟିଏ ପରିବାରର ତିନି ତିନି ଜଣ ନେତା ଭିନ୍ନ ଭିନ୍ନ ଦଳରେ ରହିଛନ୍ତି । ବାପ ଗୋଟିଏ ତ ପୁଅ ଅନ୍ୟ ଗୋଟିଏ ପୁଣି ଝିଅ କି ପତ୍ନୀ ଆଉ କେଉଁ ଦଳରେ ସାମିଲ ଅଛନ୍ତି ।
ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଳର ଘୋଷଣା କରିଥିବା ସେମାନଙ୍କ ପ୍ରାର୍ଥୀ ତାଲିକାରେ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିରୁ ୧୫ଟି ପରିବାରର ସଦସ୍ୟ ନିର୍ବାଚନ ମଇଦାନରେ ଅଛନ୍ତି । ବାପ-ପୁଅ, ବାପ-ଝିଅ, ସ୍ୱାମୀ-ସ୍ତ୍ରୀ, ଭାଇ-ଭାଇ, ଭଉଣୀ-ଭଉଣୀ, ଦିଅର-ଭାଉଜ ବିିଭିନ୍ନ ଦଳରୁ ନିର୍ବାଚନ ଲଢିବେ। ଗୋଟିଏ ପଟେ ପରିବାରବାଦ ରାଜନୀତିକୁ ନେଇ ଆଲୋଚନା ଚାଲିଥିବା ବେଳେ ଅନ୍ୟ ପଟେ ମହିଳାଙ୍କୁ ପ୍ରାଧାନ୍ୟ ଦେବାକୁ ମଧ୍ୟ ଘୋଷଣା କରିଥିଲେ ରାଜନୈତିକ ଦଳ ସବୁ । ଇଏ ତାରି ପ୍ରଭାବ ନୁହେଁ ତ ?
ତେବେ ଯେଉଁ ପରିବାରରେ ତିନି ତିନି ଜଣ ଲେଖାଏଁ ସଦସ୍ୟ ବିଭିନ୍ନ ଦଳରେ ଅଛନ୍ତି ସେମାନଙ୍କୁ ନେଇ ଅନେକ ଚର୍ଚ୍ଚା କରୁଛନ୍ତି ସାଧାରଣ ଲୋକେ । ଯଦି ପରିବାର ଭିତରେ ଏକତା ଓ ଏକମତ ନାହିଁ ତେବେ ନିର୍ବାଚନ ଜିତିଲେ ଇଏ କଣ ନିଜ ଅଞ୍ଚଳକୁ ଏକାଠି କରିବେ ? ଏଇ ପ୍ରଶ୍ନ ପଚାରୁଛନ୍ତି ଲୋକେ । ଅବଶ୍ୟ ପରିବାରରେ ସମସ୍ତଙ୍କର ରାଜନୈତିକ ସ୍ୱାଧୀନତା ରହିଛି ବୋଲି ଏଇ ନେତାମାନେ କୁହନ୍ତି । ହେଲେ ଲୋକେ କହୁଛନ୍ତି ଏମାନେ ଉପରେ ଯାହା କହୁଛନ୍ତି, ଭିତର କଥା କିନ୍ତୁ ଅଲଗା । ତଥାପି ଅନେକ ଜାଗାରେ ଏଇ ରାଜନୈତିକ ଇଚ୍ଛା ଶକ୍ତି ବା ସ୍ୱାର୍ଥ କୁହନ୍ତୁ, ତା ପାଇଁ ଘରେ ଘରେ ଅସନ୍ତୋଷ ଓ ଅଶାନ୍ତି ସୃଷ୍ଟି ହୋଇଛି । ଭାଇ ହୋଇଛି ଭଗାରୀ, ବାପା ପୁଅ ଶତ୍ରୁ ପାଲଟିଛନ୍ତି । ତେଣୁ କ୍ଷମତାର ଲୋଭ ରାଜନୀତିରେ ପରିବାରବାଦକୁ ବଢ଼ାଇ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.