ଟିଭି, ଫ୍ରିଜ, ଏସି ହୋଇପାରେ ମହଙ୍ଗା, ଶିଳ୍ପ ବଜାରରେ କରୋନା ମାଡ଼
ଯଦି ଆପଣ ଟିଭି କିଣିବାକୁ ଚାହୁଁଛନ୍ତି, ତେବେ ଜଲଦି କିଣିନିଅନ୍ତୁ। କାହିଁକି ନା ଆସନ୍ତା ମାସରେ ଟିଭି ମହଙ୍ଗା ହୋଇପାରେ। ଟିଭି ୧୦ % ମହଙ୍ଗା ହୋଇପାରେ ବୋଲି ଖବର ମିଳିଛି। ଭାରତକୁ ଅଧିକାଂଶ ଓପନ ସେଲ୍ ଟିଭି ପ୍ୟାନେଲ ଚାଇନାରୁ ସପ୍ଲାଇ ହୋଇଥାଏ। ଚାଇନାରେ କରୋନା ଭାଇରସ ଯୋଗୁ ଟିଭି ଯନ୍ତ୍ରାଂଶ ଉତ୍ପାଦନ ବନ୍ଦ ହୋଇଯାଇଛି। କିଛି ମାନୁଫାକଚରିଂ ଫାସିଲିଟିରେ କାମ ଆରମ୍ଭ ହୋଇଛି। ମାତ୍ର ସେଗୁଡିକ ପୂର୍ଣ୍ଣ କ୍ଷମତାରେ ଏବେ ଯାଏ ଚାଲି ପାରିନାହିଁ। ଏଥି ଯୋଗୁ ଭାରତକୁ ଯୋଗାଣ ପ୍ରଭାବିତ ହୋଇଛି। ସୂଚନା ଯୋଗ୍ୟ ମୋଟ ଟିଭି ମୂଲ୍ୟରେ ପ୍ୟାନେଲର ଅଂଶ ୬୦% ରହିଥାଏ।
ଏହାକୁ ନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଉତ୍ପାଦନ ଏବଂ ଯୋଗାଣର ସ୍ଥିତି ସୁଧୁରିବା ଲାଗି ଅତି କମରେ ୩ ମାସ ସମୟ ଲାଗିବ। ଏହି ସମୟ ମଧ୍ୟରେ ଟିଭି ଦାମ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଭାରତରେ ଟିଭି ଉତ୍ପାଦନ ୩୦ରୁ ୫୦% ହ୍ରାସ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏହାସହିତ ଫ୍ରିଜ ଏବଂ ଏସି ମଧ୍ୟ ମହଙ୍ଗା ହେବାର ସମ୍ଭାବନା ରହିଛି। ପୂର୍ବରୁ ଡିପ୍ ଫ୍ରିଜର ମଧ୍ୟ ୨.୫% ମୂଲ୍ୟ ବୃଦ୍ଧି ଘଟିଛି। ଅଧିକାଂଶ କମ୍ପାନୀ ଚାଇନାରୁ ଫ୍ରିଜ ଏବଂ ଏସିର କମ୍ପ୍ରେସର ମଗାଇଥାନ୍ତି। କରୋନା ଯୋଗୁ ସେଠାରେ ସ୍ଥିତି ସ୍ୱାଭାବିକ ହୋଇ ନ ଥିବାରୁ ଭାରତରେ ଏହାର ପ୍ରଭାବ ପଡିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। କରୋନା ଯୋଗୁ ଚାଇନାରେ ସ୍ଥିତି ସୁଧାର ନ ଆସିଲେ ଆଗାମୀ ଦିନରେ ସୋଲାର ପ୍ୟାନେଲ, ଫାର୍ମା, ପ୍ଲାଷ୍ଟିକ ଏବଂ ଜେମ୍ସ ଆଣ୍ଡ ଜୁଏଲେରୀ ଶିଳ୍ପ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେବ ବୋଲି କୁହାଯାଉଛି।