ବଦଳିଲା ବ୍ୟାଙ୍କ ଲକର ଚାର୍ଜ ନିୟମ, କୌଣସି କ୍ଷତି ଘଟିଲେ ଗ୍ରାହକଙ୍କୁ ବ୍ୟାଙ୍କ ପକ୍ଷରୁ ବାର୍ଷିକ ଲକର ଚାର୍ଜକୁ ଶହେ ଗୁଣ ଅଧିକ ଦେବାକୁ ପଡ଼ିବ

କେନ୍ୟୁଜ୍(ବ୍ୟୁରୋ): ବଦଳିଲା ବ୍ୟାଙ୍କ ଲକର ଚାର୍ଜ ନିୟମ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କର ଲକର ଚାର୍ଜ ସମ୍ବନ୍ଧୀୟ ନିୟମାବଳୀରେ ସଂଶୋଧନ କରାଯାଇଛି। ନୂଆ ନିୟମାବଳୀ ଅନୁଯାୟୀ, କୌଣସି କ୍ଷତି ଘଟିଲେ ଗ୍ରାହକଙ୍କୁ ବ୍ୟାଙ୍କ ପକ୍ଷରୁ ବାର୍ଷିକ ଲକର ଚାର୍ଜକୁ ଶହେ ଗୁଣ ଅଧିକ ଦେବାକୁ ପଡ଼ିବ। ବ୍ୟାଙ୍କରେ ଅଗ୍ନିକାଣ୍ଡ, ଡକାୟତି, ବ୍ୟାଙ୍କ କୋଠା ଭୁଶୁଡ଼ିବା କିମ୍ବା ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଠକେଇ ମାମଲାରେ ଲକରକୁ ନେଇ ବ୍ୟାଙ୍କର ଦାୟିତ୍ୱ ବାର୍ଷିକ ଶହେ ଗୁଣ ବୃଦ୍ଧିପାଇବ।

ନୂଆ ନିୟମ ୨୦୨୨ ଜାନୁଆରି ପହିଲାରୁ ଲାଗୁ ହେବ। ଏହା ବ୍ୟତୀତ ଗ୍ରାହକ ଲକର ମଧ୍ୟରେ କୌଣସି ବେଆଇନ କିମ୍ବା ବିପଦପୂର୍ଣ୍ଣ ସାମଗ୍ରୀ ଯେଭଳି ନରଖିବେ ସେନେଇ ମଧ୍ୟ ନିୟମାବଳୀ ଜାରି ହୋଇଛି। ବ୍ୟାଙ୍କିଂ ଓ ବୈଷୟିକ କ୍ଷେତ୍ରର ବିଭିନ୍ନ ଘଟଣାରେ ଗ୍ରାହକଙ୍କ ଅଭିଯୋଗ ଏବଂ ବ୍ୟାଙ୍କ ଓ ଆଇବିଏ ପକ୍ଷରୁ ଲକର୍‌ ସମ୍ବନ୍ଧୀୟ ସୁବିଧାର ସମୀକ୍ଷା ପରେ ଆରବିଆଇ ଏହି ନିଷ୍ପତ୍ତି ନେଇଛି। ଆରବିଆଇ ପକ୍ଷରୁ ସଂଶୋଧିତ ନିୟମାବଳୀରେ କ୍ଷତିପୂରଣ ନୀତି ନେଇ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଖାମଖିଆଲି ମନୋଭାବରୁ ବ୍ୟାଙ୍କ ଲକରରେ ଥିବା ସାମଗ୍ରୀର ଯେଭଳି କ୍ଷତି ନଘଟେ ଏହାର ଦାୟିତ୍ୱ ନେଇ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ନିୟମ ପ୍ରଣୟନ କରିବେ। ତେବେ ଭୂମିକଂପ, ବନ୍ୟା, ବିଜୁଳି ଓ ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ବ୍ୟାଙ୍କର କ୍ଷତି ଘଟିଲେ ଲକର ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.