ଭାଙ୍ଗିଗଲା ଆଫଗାନିସ୍ତାନର ଆଥ୍‌ଲେଟ୍‌ଙ୍କ ସ୍ୱପ୍ନ, ପାରା ଅଲମ୍ପିକରେ ନେଇପାରିବେନି ଭାଗ

ଭାଙ୍ଗିଲା ଆଫଗାନିସ୍ତାନର ପାରା ଅଲମ୍ପିକ୍‌ ଆଥଲେଟ୍‌ଙ୍କ ସ୍ୱପ୍ନ। ଦେଶରେ ତାଲିବାନ୍‌ ରାଜ୍‌ ଆରମ୍ଭ ହୋଇଥିବାରୁ ଏହି ଖେଳାଳିମାନେ ଆଉ ୨୪ ଅଗଷ୍ଟରେ ଆରମ୍ଭ ହେଉଥିବା ପାରା ଅଲମ୍ପିକ୍‌ରେ ଭାଗ ନେଇପାରିବେ ନାହିଁ। ଏନେଇ ଇଣ୍ଟରନ୍ୟାସନାଲ ପାରାଅଲମ୍ପିକ କମିଟି(ଆଇପିସି)ର ଅଧ୍ୟକ୍ଷ କହିଛନ୍ତି, ଏହା ଏକ ଦୁଃଖର କଥା ଯେ କାବୁଲରେ ଫସିଥିବା ଆଫଗାନ୍‌ ଆଥଲେଟ୍‌ ଖେଳରେ ଅଂଶଗ୍ରହଣ କରିପାରୁନାହାନ୍ତି।

ଆଇପିସିର ଅଧ୍ୟକ୍ଷ ଆଣ୍ଡ୍ରୟୁ ପାର୍ସନ୍ସ କହିଛନ୍ତି, ଆଫଗାନିସ୍ତାନରେ କୌଣସି କମର୍ସିଆଲ ବିମାନ ସେବା ଉପଲବ୍ଧ ନାହିଁ। ଆମେ ସମସ୍ତେ କାବୁଲର ବିମାନବନ୍ଦରର ଫଟୋ ଦେଖିଛେ। ଏଭଳି ସ୍ଥିତିରେ ଏହି ଆଥଲେଟ୍‌ଙ୍କୁ ଟୋକିଓ ଆଣିବାକୁ ଚେଷ୍ଟା କରିବା ବି ସୁରକ୍ଷିତ ସାବ୍ୟସ୍ତ ହୋଇନପାରେ।

ତାଇକୋଣ୍ଡୋ ଆଥଲେଟ୍‌ ଜକିଆ ଖୁଦାଦାଦି ପାରା ଅଲମ୍ପିକରେ ଆଫଗାନିସ୍ତାନର ପ୍ରତିନିଧିତ୍ୱ କରିଥିବା ପ୍ରଥମ ମହିଳା ପାରାଅଲମ୍ପିକ ଆଥଲେଟ୍‌ ହୋଇଥାନ୍ତେ। କିନ୍ତୁ ଏବେ ସେ ପାରା ଅଲମ୍ପିକରେ ଅଂଶଗ୍ରହଣ କରିପାରିବେ ନାହିଁ। ସୂଚନାଯୋଗ୍ୟ ଯେ ଏକ ଭିଡିଓ ମେସେଜ୍‌ ମାଧ୍ୟମରେ ଖୁଦାଦାଦି ମଙ୍ଗଳବାର ସାହାଯ୍ୟ ମାଗିଥିଲେ। କିନ୍ତୁ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରିପାରୁନଥିବାରୁ ପାର୍ସନ୍ସ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୫ ଦିନ ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ରୂପେ ନିଜ କବ୍‌ଜାକୁ ନେଇଛି। ତାଲିବାନ ଉପରେ ବିଶ୍ୱାସ କରିବାକୁ ସେମାନେ କହୁଥିବା ବେଳେ କେହି ତାଙ୍କୁ ବିଶ୍ୱାସ କରୁନାହାନ୍ତି। ଫଳରେ ଲୋକେ ଆଫଗାନିସ୍ତାନ ଛାଡ଼ି ଚାଲିଯାଉଛନ୍ତି। ଏହାର ପ୍ରଭାବ ଖେଳାଳିଙ୍କ ଉପରେ ମଧ୍ୟ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.