ଏବେ ଚାର୍ଟ ପ୍ରସ୍ତୁତ ହେବା ପରେ ବି ମିଳିପାରିବ ଟ୍ରେନ୍‌ ଟିକେଟ୍‌, ଭାରତୀୟ ରେଳ ବିଭାଗ ଜାରି କଲା ନୂଆ ନିୟମ

ଟ୍ରେନ୍‌ରେ ଦୂର ସ୍ଥାନକୁ ଯିବା ବେଳେ ବହୁ ପୂର୍ବରୁ ଟିକେଟ୍‌ ନ କାଟିଲେ ଟିକେଟ୍‌ ମିଳିବା ଅସମ୍ଭବ କହିଲେ ଚଳେ। ଥରେ ଯଦି ଚାର୍ଟ ପ୍ରସ୍ତୁତ ହୋଇଗଲା ତେବେ ଆଉ ଟିକେଟ୍‌ କରିହୁଏ ନାହିଁ। ଏହି କାରଣରୁ ଯଦି କୌଣସି ସ୍ଥାନକୁ ତତ୍‌କ୍ଷଣାତ୍‌ ଯିବାକୁ ପଡ଼େ ତେବେ ଟ୍ରେନ୍‌ ଟିକେଟ୍‌କୁ ନେଇ ଲୋକମାନେ ଚିନ୍ତାରେ ପଡ଼ିଥାନ୍ତି। ଯାତ୍ରୀମାନଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ଏକ ନୂଆ ଯୋଜନା ପରିକଳ୍ପନା କରିବାକୁ ଯାଉଛି। ଏବେ ଚାର୍ଟ ତିଆରି ହେବା ପରେ ମଧ୍ୟ ଆପଣ ଟ୍ରେନ୍‌ରେ ସିଟ୍‌ ପାଇପାରିବେ। ଭାରତୀୟ ରେଲୱେ ରିଜର୍ଭେସନ୍‌ ଚାର୍ଟକୁ ଅନ୍‌ଲାଇନ୍‌ରେ ଦେଖାଇବା ଆରମ୍ଭ କରିଛି। ଅର୍ଥାତ୍‌ ଏବେ ରିୟଲ ଟାଇମ୍‌ରେ ସିଟ୍‌ ବିଷୟରେ ସୂଚନା ମିଳିପାରିବ। ଏହା ସାହାଯ୍ୟରେ ଆପଣ ଖାଲି ସିଟ୍‌ କିଣିପାରିବେ।

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ଵିଟ୍‌ କରି କହିଛନ୍ତି ଯେ ଯାତ୍ରୀମାନେ ଏବେ ରିଜର୍ଭେସନ୍‌ ଚାର୍ଟ ପ୍ରସ୍ତୁତ ହେବା ପରେ ଖାଲି, ବୁକ୍‌ ହୋଇଥିବା ଓ ଆଂଶିକ ଭାବେ ବୁକ୍‌ ହୋଇଥିବା ବର୍ଥର ସୂଚନା ଅନ୍‌ଲାଇନ୍‌ରେ ପାଇପାରିବେ। ଏଥିପାଇଁ ଯାତ୍ରୀଙ୍କୁ ନିଜ ମୋବାଇଲ୍‌ରେ IRCTC ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ। ଏହି ଆପ୍‌ ସାହାଯ୍ୟରେ ଅନ୍‌ଲାଇନ୍‌ରେ କେତୋଟି ସିଟ୍‌ ଉପଲବ୍ଧ ଅଛି ତାହା ଜାଣିହେବ। ଚାର୍ଟ ପ୍ରସ୍ତୁତ ହେବା ପରେ ମଧ୍ୟ ଉପଲବ୍ଧ ସିଟ୍‌ ଦେଖି ଯାତ୍ରୀମାନେ ଟିକେଟ୍‌ କିଣିପାରିବେ।

Indian Railways

 

ରେଳ ବିଭାଗୀୟ ଅଧିକାରୀଙ୍କ ମୁତାବକ ଟ୍ରେନ୍‌ ଖୋଲିବାର ଚାରି ଘଣ୍ଟା ପୂର୍ବରୁ ରିଜର୍ଭେସନ୍‌ ଚାର୍ଟ ଦେଖିହେବ। କିନ୍ତୁ ଏହା ଶେଷ ଚାର୍ଟ ନୁହେଁ। ନୂଆ ସେବା ମୁତାବକ ରେଲେଓ୍ଵ ଆପ୍‌ରେ ଟ୍ରେନ୍‌ ଷ୍ଟାର୍ଟ ହେବା ଅଧଘଣ୍ଟା ପୂର୍ବରୁ ମଧ୍ୟ ଅନ୍‌ଲାଇନ୍‌ରେ କେତୋଟି ସିଟ୍‌ ଉପଲବ୍ଧ ଅଛି ଜାଣିହେବ। ନୂଆ ଫିଚର IRCTC ର ଇ-ଟିକେଟ୍‌ ବୁକିଂ ପ୍ଲାଟଫର୍ମ ଉଭୟ ୱେବ୍‌ ଏବଂ ମୋବାଇଲ୍‌ ଆପ୍‌ରେ ଉପଲବ୍ଧ ହେବ। ଏହା ସାହାଯ୍ୟରେ ଯାତ୍ରା କରିବାକୁ ଇଚ୍ଛୁକ ଯାତ୍ରୀ ଟିକେଟ୍‌ ବୁକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.