ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଉପରେ ମୋଟା ଅଙ୍କର ଜରିମାନା ଲଗାଇଲା ସେବି, ୪୫ ଦିନ ଭିତରେ ପୈଠ କରିବାକୁ ନିର୍ଦ୍ଦେଶ

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍‌ ଓ ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ଜିଓ-ଫେସ୍‌ବୁକ୍‌ ଚୁକ୍ତି ବିଷୟରେ ସେୟାର ମାର୍କେଟ୍‌କୁ ସୂଚନା ଦେଇ ନଥିବାରୁ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ପୁଞ୍ଜି ବଜାର ନିୟାମକ ସେବି (SEBI)।

ସିକ୍ୟୁରିଟି ଓ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (SEBI) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଛି ଯେ ଜିଓ-ଫେସ୍‌ବୁକ୍‌ ଚୁକ୍ତି ବିଷୟରେ ସେୟାର ମାର୍କେଟକୁ ସିଧାସଳଖ ସୂଚନା ଦିଆନଯାଇ ଖବରକାଗଜରେ ଏ ନେଇ ସୂଚନା ଦିଆଯାଇଥିଲା। ଏହାକୁ ସେବିର ନିୟମ ଉଲ୍ଲଂଘନ ବୋଲି କହିବା ସହ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଓ ସାବିତ୍ରୀ ପାରେଖ ଏବଂ କେ ସେତୁରାମନ୍‌ଙ୍କ ଉପରେ ମିଳିତ ଭାବେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।


ସେବିର ନିର୍ଦ୍ଦେଶ ମୁତାବକ, ଜରିମାନା ଟଙ୍କାକୁ ୪୫ ଦିନ ଭିତରେ ଜମା କରିବାକୁ ହେବ। ସେବିର ଅଧିନିର୍ଣ୍ଣୟ ଅଧିକାରୀ ବର୍ଣ୍ଣାଳୀ ମୁଖାର୍ଜୀ ଏହି ନିର୍ଦ୍ଦେଶରେ କହିଛନ୍ତି, ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଅଂଶୀଦାର ନେବା ପାଇଁ ଫେସ୍‌ବୁକ୍‌ ୪୩,୫୭୪ କୋଟି ଟଙ୍କା ନିବେଶ କରିବାକୁ ଚୁକ୍ତି ବିଷୟରେ ଖବର ୨୪-୨୫ ମାର୍ଚ୍ଚ, ୨୦୨୦ରେ ଆସିଥିଲା। କିନ୍ତୁ ଏ ନେଇ ସେୟାର ବଜାରକୁ ୨୨ ଏପ୍ରିଲ ୨୦୨୦ରେ ସୂଚନା ଦିଆଯାଇଥିଲା, ଯାହାକି ସେବିର ନିୟମକୁ ଉଲ୍ଲଂଘନ କରୁଛି। ଏଣୁ ଏବେ ଏଥିପାଇଁ ରିଲାଏନ୍ସକୁ ତଣ୍ଡ ଗଣିବାକୁ ପଡ଼ିବ।

Also Read: ‘ପୁଷ୍ପା ୨’ରେ ଶ୍ରୀବଲ୍ଲୀଙ୍କୁ ହତ୍ୟା କରିବ ଭିଲେନ୍‌! ସାମ୍ନାକୁ ଆସିଲା ଅଲ୍‌ଲୁ ଅର୍ଜୁନ୍‌ଙ୍କ ଫିଲ୍ମର କାହାଣୀ