ବଜେଟରେ ଶିକ୍ଷା କ୍ଷେତ୍ରକୁ ରେକର୍ଡ ବ୍ୟୟବରାଦ: ୨୦୦ ଟିଭି ଚ୍ୟାନେଲ ମାଧ୍ୟମରେ ଆଞ୍ଚଳିକ ଭାଷାରେ ପାଠ ପଢିବେ ଛାତ୍ରଛାତ୍ରୀ
କେନ୍ୟୁଜ୍(ବ୍ୟୁରୋ): ବଜେଟରେ ଶିକ୍ଷା କ୍ଷେତ୍ରକୁ ରେକର୍ଡ ବ୍ୟୟବରାଦ । ୨୦୨୨-୨୩ ପାଇଁ ୧ଲକ୍ଷ ୪ହଜାର ୨୭୭ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ୨୦୨୧-୨୨ରେ ଏହା ଥିଲା ୯୩ହଜାର ୨୨୪ କୋଟି ଟଙ୍କା । ଏବର୍ଷ ୧୧ହଜାର ୫୩ କୋଟି ଅଧିକ ବ୍ୟୟବରାଦ ହୋଇଛି । ଯାହାକି ୧୨ ପ୍ରତିଶତ ଅଧିକ । କରୋନା ଯୋଗୁ ଦେଶରେ ଦୁଇ ବର୍ଷ ହେବ ପ୍ରଭାବିତ ହୋଇଛି ପାଠପଢ଼ା । ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ଶିକ୍ଷାଦାନରେ ବାଧା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପିଏମ୍-ଇ ବିଦ୍ୟା ଅଧୀନରେ ଓ୍ଵାନ୍ କ୍ଲାସ୍, ଓ୍ଵାନ୍ ଟିଭି ଚ୍ୟାନେଲ୍ କାର୍ଯ୍ୟକ୍ରମର ସମ୍ପ୍ରସାରଣ କରିଛନ୍ତି । ଏଣିକି ୨୦୦ ଟିଭି ଚ୍ୟାନେଲରେ ପଢ଼ିବେ ପିଲା । ପୂର୍ବରୁ ୧୨ଟି ଚ୍ୟାନେଲରେ ପାଠ ପଢ଼ାଯାଉଥିଲା । ଏହାଦ୍ୱାରା ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଆଞ୍ଚଳିକ ଭାଷାରେ ଅତିରିକ୍ତ ଶିକ୍ଷାଦାନ କରାଯିବ । କରୋନା କାଳରେ ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ସମସ୍ୟା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଓ୍ଵାନ୍ କ୍ଲାସ୍, ଓ୍ଵାନ୍ ଟିଭି ଚ୍ୟାନେଲ୍କୁ ୨୦୦କୁ ବଢାଇଛନ୍ତି ।
ବଜେଟରେ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଘରେ ଛାତ୍ରଛାତ୍ରୀଙ୍କୁ ମିଳିବ ବିଶ୍ୱସ୍ତରୀୟ ଗୁଣାତ୍ମକ ଶିକ୍ଷା । ଅଲଗା ଅଲଗା ଭାଷାରେ ପାଠ ପଢ଼ାଯିବ । ଆଞ୍ଚଳିକ ଭାଷା ଓ ଇନଫରମେସନ୍ କମ୍ୟୁନିକେସନ୍ ଟେକ୍ନୋଲୋଜି ବା ଆଇସିଟି ଫର୍ମାଟରେ ଶିକ୍ଷାଦାନ କରାଯିବ । ସେହିପରି ଗିଫ୍ଟ ସିଟିରେ ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ, ଫିନ ଟେକ୍, ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ଗଣିତରେ ନିଜର କୋର୍ସ ପ୍ରଦାନ କରିପାରିବେ । ସେମାନଙ୍କ ଉପରେ କୌଣସି ଘରୋଇ କଟକଣା ରହିବ ନାହିଁ । କେବଳ ଏତିକି ନୁହଁ କୌଣସି ବିବାଦ ହେଲେ ମଧ୍ୟସ୍ଥ ଜରିଆରେ ସମାଧାନ ପାଇଁ ଗିଫ୍ଟ ସିଟିରେ ଏକ ଆନ୍ତର୍ଜାତିକ ଆର୍ବିଟ୍ରେସନ୍ ପ୍ରତିଷ୍ଠା କରାଯିବ ।
୨୦୨୨-୨୩ ଆର୍ଥିକ ବର୍ଷରେ ଧନ୍ଦାମୂଳକ ପାଠ୍ୟକ୍ରମର ଗଣିତ ଓ ବିଜ୍ଞାନରେ ୭୫୦ ଭର୍ଚୁଆଲ୍ ଲାବ୍ ପ୍ରତିଷ୍ଠା ହେବ । ଏଥିସହ ୭୫ଟି ସ୍କିଲିଂ ଇ-ଲାବ୍ ଖୋଲିବ । ମୋବାଇଲ୍ ଫୋନ୍, ଟିଭି, ରେଡିଓରେ ଡିଜିଟାଲ୍ ଶିକ୍ଷକଙ୍କ ଜରିଆରେ ସବୁ ଭାଷାରେ ଉଚ୍ଚ ଗୁଣବତ୍ତା ଇ-କଣ୍ଟେଣ୍ଟ୍କୁ ବିକଶିତ କରାଯିବ ।