ଯୋଗୀ ସରକାର ଦେଲେ ଦୀପାବଳି ଉପହାର; ଉତ୍ତର ପ୍ରଦେଶରେ ଇଲେକ୍ଟ୍ରିକ୍‌ ଗାଡ଼ି କ୍ରୟ ଉପରେ ମିଳିବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି!

ଉତ୍ତର ପ୍ରଦେଶର ଯୋଗୀ ସରକାର ଦୀପାବଳି ପୂର୍ବରୁ ବଡ଼ ଉପହାର ଦେଇଛନ୍ତି। ସରକାର ଇଲେକ୍ଟ୍ରିକ୍‌ ଯାନ କ୍ରୟ ଉପରେ ୧୫ ପ୍ରତିଶତ ସବ୍‌ସିଡି ଦେବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗୁଓ୍ଵାଇରେ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅଭିଯାନ ଦ୍ୱାରା ଇଲେକ୍ଟ୍ରିକ୍‌ ଗାଡ଼ି ମୂଲ୍ୟ ହ୍ରାସ ପାଇବା ସାଙ୍ଗକୁ ପ୍ରଦୂଷଣ ସ୍ତର କମାଇବାରେ ମଧ୍ୟ ସାହାଯ୍ୟ ମିଳି ପାରିବ।

ଉତ୍ତର ପ୍ରଦେଶରେ ଇଲେକ୍ଟ୍ରିକ୍‌ ଯାନ ନୀତିକୁ ମଞ୍ଜୁରି ମିଳିଛି, ଯଦ୍ଦ୍ଵାରା ବର୍ତ୍ତମାନ ଏଠାରେ ଇ-ଯାନ କିଣିବା ଉପରେ ଗ୍ରାହକ ମାନଙ୍କୁ ବିପୁଳ ସବସିଡି ମିଳିବ। ରାଜ୍ୟରେ ଇଲେକ୍ଟ୍ରିକ୍ କାର କିଣୁଥିବା ଗ୍ରାହକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ଏହା ସହିତ ନୂଆ ନୀତିର ପ୍ରଭାବୀ ଅବଧିର ପ୍ରଥମ ତିନି ବର୍ଷ ମଧ୍ୟରେ ଇଲେକ୍ଟ୍ରିକ୍‌ ଗାଡ଼ିର ସମସ୍ତ ବର୍ଗର କ୍ରୟ ଉପରେ ୧୦୦ ପ୍ରତିଶତ ରୋଡ୍‌ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଶୁଳ୍କରୁ ରିହାତି ଉପଲବ୍ଧ ହେବ। ଯଦି ରାଜ୍ୟରେ ଇଲେକ୍ଟ୍ରିକ୍‌ ଗାଡ଼ିର ନିର୍ମାଣ ହୋଇଥିବ, ତା’ ହେଲେ ଏହି ରିହାତି ଚତୁର୍ଥ ଏବଂ ପଞ୍ଚମ ବର୍ଷରେ ମଧ୍ୟ ମିଳିବା ଜାରି ରହିବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂଆ ଇଲେକ୍ଟ୍ରିକ୍‌ ଯାନ ନିର୍ମାଣ ଏବଂ ଗତିଶୀଳତା ନୀତି-୨୦୨୨କୁ ଅନୁମୋଦିତ କରାଯାଇଛି। ଏହା ଅଧୀନରେ ଇଲେକ୍ଟ୍ରିକ୍‌ ଗାଡ଼ି କ୍ରୟ ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା ଭାରୀ ସବସିଡି ପ୍ରଦାନ କରାଯିବ। ସରକାର ଏହା ଅଧୀନରେ ରାଜ୍ୟରେ ୩୦,୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯଦ୍ଦ୍ଵାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପାଖାପାଖି ୧୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳି ପାରିବ।

କେଉଁ ଗାଡ଼ି ଉପରେ କେତେ ସବ୍‌ସିଡି

ରାଜ୍ୟରେ କିଣା ଯାଇଥିବା ଇଲେକ୍ଟ୍ରିକ୍‌ ଗାଡ଼ି ଗୁଡ଼ିକର ଫ୍ୟାକ୍ଟ୍ରି ମୂଲ୍ୟ ଉପରେ ୧୫ ପ୍ରତିଶତ ସବସିଡି ଦିଆଯିବ। ଏଥିରେ ପ୍ରଥମ ଦୁଇ ଲକ୍ଷ ଇଲେକ୍ଟ୍ରିକ୍‌ ଦୁଇ ଚକିଆ ଯାନ ପାଇଁ ଗାଡ଼ି ପିଛା ୫୦୦୦ ଟଙ୍କା, ପ୍ରଥମ ୫୦ ହଜାର ଇଲେକ୍ଟ୍ରିକ୍‌ ତିନି ଚକିଆ ଯାନ ପାଇଁ ସର୍ବାଧିକ ୧୨,୦୦୦ ଟଙ୍କା ଏବଂ ପ୍ରଥମ ୨୫ ହଜାର ଇଲେକ୍ଟ୍ରିକ୍‌ ଚାରି ଚକିଆ ଯାନ ପାଇଁ ଗାଡ଼ି ପିଛା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ। ସେହିପରି ରାଜ୍ୟରେ କିଣା ଯାଇଥିବା ପ୍ରଥମ ୪୦୦ ବସ୍ ଉପରେ ପ୍ରତି ଇ-ବସ୍ ପିଛା ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯିବ।

ରାଜ୍ୟରେ ଏକ ଇକୋ ଫ୍ରେଣ୍ଡଲି ପରିବହନ ସିଷ୍ଟମ୍‌ ବିକଶିତ ସାଙ୍ଗକୁ ଇଲେକ୍ଟ୍ରିକ୍‌ ଗାଡ଼ି, ବ୍ୟାଟେରୀ ଓ ସମ୍ବନ୍ଧିତ ଉପକରଣ ଗୁଡ଼ିକର ଉତ୍ପାଦନ ପାଇଁ ଉତ୍ତର ପ୍ରଦେଶକୁ ଏକ ଗ୍ଲୋବାଲ ହବ୍ ରୂପେ ଗଢ଼ି ତୋଳିବା ହେଉଛି ଏହି ଇଭି ନୀତିର ମୂଳ ଉଦ୍ଦେଶ୍ୟ। ତେବେ ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କୁ ଇଲେକ୍ଟ୍ରିକ୍‌ ଯାନ କିଣିବା ପାଇଁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ରାଜ୍ୟ ସରକାର କର୍ମଚାରୀ ମାନଙ୍କୁ ଆଡ୍‌ଭାନ୍ସ ନେବାକୁ ମଧ୍ୟ ଅନୁମତି ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.