ଗତକାଲି ଟିକାକରଣ ପାଇଁ Co-Win ପୋର୍ଟାଲ୍ରେ ୨୫ ଲକ୍ଷ ପଞ୍ଜୀକରଣ, ୪ ଲକ୍ଷ ୨୭ ହଜାର ଜଣଙ୍କୁ ଦିଆଗଲା ଭ୍ୟାକ୍ସିନ୍
ନୂଆଦିଲ୍ଲୀ: ସାରା ଦେଶରେ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ । ଅନେକ ଲୋକ ଟିକା ନେଇଥିବା ବେଳେ ଲକ୍ଷ ଲକ୍ଷ ଲୋକ CoWIN ପୋର୍ଟାଲ୍ରେ ପଞ୍ଜୀକରଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ମାର୍ଚ୍ଚ ୧ ତାରିଖରେ CoWIN ପୋର୍ଟାଲ୍ରେ ୨୫ ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି ।
ଏଥିରେ ୨୪.୫ ଲକ୍ଷ ସାଧାରଣ ନାଗରିକ ଥିବା ବେଳେ ବାକି ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ୍ ଓ୍ଵାର୍କର ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ୪ ଲକ୍ଷ ୨୭ ହଜାର ୭୨ ଭ୍ୟାକ୍ସିନ୍ ଡୋଜ୍ ଦିଆଯାଇଛି । ୩ ଲକ୍ଷ ୨୫ ହଜାର ୪୮୫ ପ୍ରଥମ ଡୋଜ୍ ଓ ୧ ଲକ୍ଷ ୧ ହଜାର ୫୮୭ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଗତକାଲି ରାତି ୭ଟା ସୁଦ୍ଧା ୧ କୋଟି ୪୭ ଲକ୍ଷ ୨୮ ହଜାର ୫୬୯ ଜଣ ଟିକା ନେଇଛନ୍ତି ।