କରୋନା ଭାଇରସରେ ଭାରତର ତୃତୀୟ ମୃତ୍ୟୁ, ସାଉଦିଆରବରୁ ଫେରିଥିଲେ ୭୧ ବର୍ଷୀୟ ବୃଦ୍ଧ

ସାଉଦି ଆରବରୁ ନିକଟରେ ଫେରିଥିବା ୭୧ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କର ମହାରାଷ୍ଟ୍ରର ବୁଲଢାଣ ଜିଲ୍ଲାରେ ଆଜି ମଧ୍ୟାହ୍ନରେ ମୃତ୍ୟୁ ଘଟିଛି । ଡାକ୍ତରଙ୍କ କହିବା ଅନୁଯାୟୀ ମୃତକ ଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ଥିଲେ । କିଛିଦିନ ତଳେ ତାଙ୍କୁ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କଠାରେ କରୋନା ଭାଇରସର ଲକ୍ଷଣ ଦେଖାଯିବାରୁ ତାଙ୍କୁ ବୁଲଢାଣର ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ମୃତକଙ୍କ ନମୁନା ପରୀକ୍ଷା କରାଇବା ପାଇଁ ପଠାଯାଇଥିବାବେଳେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ ଏଭଳି ମାମଲା ବଢ଼ୁଥିବାର ଦେଖି ସରକାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାପୂର୍ବରୁ ମଧ୍ୟ ଗତକାଲି ଦିଲ୍ଲୀରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ୬୯ ବର୍ଷୀୟ ମହିଳା ମୃତ୍ୟୁବରଣ କରିଥିଲେ ।

କର୍ଣ୍ଣାଟକରେ ଚାରିଦିନ ପୂର୍ବରୁ କରୋନା ଆକ୍ରାନ୍ତ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଭାରତର ପ୍ରଥମ କରୋନା ମୃତ୍ୟୁ ଥିଲା । ଏହି ସମ୍ବନ୍ଧରେ ରାଜ୍ୟ ସରକାର ସୂଚନା ଦେଇଥିଲେ ଯେ ଏହି ବ୍ୟକ୍ତିଙ୍କୁ କରୋନା ଭାଇରସ ସଂକ୍ରମିତ ହୋଇଥିବା ସନ୍ଦେହ ରହିଥିଲା ଏବଂ ସେଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ କରାଯାଉଥିଲା । ତେବେ ମୃତ୍ୟୁ ପୂର୍ବରୁ ତାଙ୍କଠାରୁ ନିଆଯାଉଥିବା ସାମ୍ପଲ ଯାଞ୍ଚ କରାଯିବା ପରେ (COVID-19) ସଂକ୍ରମଣ ଚିହ୍ନଟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.