କରୋନାକୁ ନେଇ ଆସିଲା ସାଂଘାତିକ ତଥ୍ୟ: ୨୦୧୫ରେ ଭାଇରସକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚୀନ ବୈଜ୍ଞାନିକ କରିଥିଲେ ଆଲୋଚନା

ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ତୃତୀୟ ବିଶ୍ୱ ଯୁଦ୍ଧ ଲଢ଼ି ହେବ । ୨୦୧୫ ରେ ଏଭଳି ଆଲୋଚନା କରିଥିଲେ ଚୀନ୍ ବୈଜ୍ଞାନିକ । ଅଷ୍ଟ୍ରେଲିଆର ଓ୍ଵିକେଣ୍ଡ ମାଗାଜିନ୍ରେ ଏଭଳି ବିସ୍ଫୋରକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, କରୋନା ଭାଇରସ୍କୁ କିଭଳି ଅସ୍ତ୍ର କରିହେବ ସେ ନେଇ ୫ ବର୍ଷ ତଳେ ଆଲୋଚନା କରିଥିଲେ ଚୀନ୍ର ସେନା ବୈଜ୍ଞାନିକ । ଏ ନେଇ ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଥିଲା ।
ଅପ୍ରାକୃତିକ ମାନବ କୃତ ସାର୍ସ ଭୂତାଣୁକୁ ଜେନେଟିକ୍ ଅସ୍ତ୍ର ଭାବେ ବ୍ୟବହାର କରି କିପରି ତୃତୀୟ ବିଶ୍ୱଯୁଦ୍ଧ ଲଢ଼ିହେବ ତାହା ଏହି ଡକ୍ୟୁମେଣ୍ଟରେ ଉଲ୍ଲେଖ ରହିଛି। ଅଷ୍ଟ୍ରେଲିଆର ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟ୍ -ASPI ର ନିର୍ବାହୀ ନିର୍ଦ୍ଦେଶକ ପିଟର ଜେନିଙ୍ଗ୍ସ କହିଛନ୍ତି, ଚୀନ୍ ବୈଜ୍ଞାନିକଙ୍କ ଏହି ତଥ୍ୟ ତାଙ୍କ ହାତରେ ଲାଗିଛି । ସେ କହିଛନ୍ତି, ଦୈବାତ ଏହି ଭୂତାଣୁ ଲିକ୍ ହୋଇ ଯାଇଛି ।
ବାହାର ତଦନ୍ତକୁ କାହିଁକି ଚୀନ୍ ବିରୋଧ କରୁଥିଲା ତାହା ଏଥିରୁ ସ୍ପଷ୍ଟ। ଯଦି ଉହାନ୍ ଆମିଷ ବଜାରରୁ ଏହାର ଉତ୍ପତ୍ତି ହୋଇଥାନ୍ତା, ତେବେ ସହଯୋଗ କରିବାକୁ ଚୀନ୍ ଆଗ୍ରହ ପ୍ରକାଶ କରିଥାନ୍ତା । ଲିକ୍ ହୋଇଥିବା ଚୀନ୍ ସରକାରଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ ସାଇବର ସିକ୍ୟୁରିଟି ବିଶେଷଜ୍ଞ ରବର୍ଟ ପିଟରଙ୍କୁ କହିଥିଲେ ଅଷ୍ଟ୍ରେଲିଆ ସରକାର । ଏହି ଡକ୍ୟୁମେଣ୍ଟ କଦାପି ମିଥ୍ୟା ନୁହେଁ ବୋଲି ସେ କହିଛନ୍ତି ।