Below header

କରୋନା ଲକ୍‌ଡାଉନ୍‌ : ଏକ ଅଭିଶାପ ହେଲେ ବି ପରୋକ୍ଷରେ କିଛି ଆଶୀର୍ବାଦ ମଧ୍ୟ

ଲକ୍‌ଡାଉନ୍‌ । ଅର୍ଥାତ୍‌ ତାଲା ବନ୍ଦ । ଯଦି ତାକୁ ଟିକେ ବୁଲେଇ କରି ଭାବିବା ଅର୍ଥାତ୍‌ lock କୁ ଆମେluck ଭାବେ ନେବା ତେବେ ଏହାର ଆକ୍ଷରିକ ଓଡ଼ିଆ ହେବ ‘ଭାଗ୍ୟ ନିମ୍ନଗାମୀ’ । କରୋନା ଆମକୁ ଏଇ ସ୍ତରକୁ ଆଣିବା ପାଇଁ ଚେଷ୍ଟା ଚଳାଇଛି । ଆଉ ଯଦି ଆମେ ଏ ପରିସ୍ଥିତିରେ କରୋନାକୁ ଠିକଣା ଜବାବ ଦିଅନ୍ତେ ତେବେ ଏ ସମସ୍ୟାରୁ ମୁକୁଳି ଯାଆନ୍ତେ । ଆମେ ଦେଖାଇ ଦିଅନ୍ତେ ଆମ ଲକ୍‌ ଡାଉନ୍‌ ନୁହେଁ, ଅପ୍‌ । ହେଲେ ଆମେ ସମସ୍ତେ କଣ ନିୟମ ମାନୁଛେ ? ଏହି ସଂକଟ ସମୟରେ କିଛି କଥାକୁ ଗୁରୁତ୍ୱ ନଦେଲେ ଆମ ଜୀବନ ସଂକଟରେ ପଡ଼ିବ । ଆମ ପରିବାର ମଧ୍ୟ ସଂକଟର ସାମନା କରିବ । ଆଉ ସେଥିପାଇଁ ଆମେ ହିଁ ଦାୟୀ ରହିବା ।

badambadi
ଏବେ ଲକ୍‌ଡାଉନ୍‌ ଯୋଗୁଁ ରାସ୍ତାରେ ଗାଡ଼ି ମଟରର ପେଁପାଁ ଶବ୍ଦ ଶୁଭୁ ନାହିଁ, ଛକ ଜାଗାରେ ଫାଷ୍ଟଫୁଡ୍‌ର ବାସ୍ନା ନାହିଁ, ପାନ କି ଚା ଦୋକାନରେ ଆଉ ଖଟି ହେଉନି। ଲାଲ ପାନ ପିକ ଇଆଡ଼େ ସିଆଡ଼େ ପଡୁନି କି ସିଗାରେଟ୍‌ ଧୂଆଁ କିମ୍ବା ଏହାର ବଳକା ଅଂଶ ଦେଖିବାକୁ ମିଳୁ ନାହିଁ । ଗୁଟ୍‌ଖା ଜରି ଇଆଡ଼େ ସିଆଡ଼େ ଉଡୁ ନାହିଁ ।
ମନ୍ଦିରରେ ଘଣ୍ଟି ଶୁଭୁନି କି ମନ୍ଦିର ଦୁଆରେ କେହି ହାତ ପତେଇ ବସି ନାହାନ୍ତି । ସମସ୍ତେ କହି ସାରିଲେଣି ଯେ ନିତିଦିନିଆ ବ୍ୟସ୍ତବହୁଳ ଜୀବନ ଏବଂ ସୋରଶବ୍ଦରେ ହଜି ଯାଇଥିବା ପକ୍ଷୀଙ୍କ କାକଳି ଶୁଣିବାକୁ ମିଳିଛି । ସେ ଜାତୀୟ ରାଜପଥର ଫ୍ଲାଏଓଭର ହେଉ କି ସହର ଭିତର ରାସ୍ତା, ସବୁଠି ଶୂନ୍ୟତା ଓ ନିରବତା ରାଜୁତି କରୁଛି । ଟ୍ରାଫିକ୍‌ ପୋଲିସ୍‌ଙ୍କୁ ଜଗିବା ପାଇଁ ପଡୁନି ନିୟମ କାନୁନ ।

police mask

କମିଛି ପ୍ରଦୂଷଣ, କମିଛି ତେଲ ଓ ଯାନବାହନର ବ୍ୟବହାର ଓ ବଢ଼ିଛି ପାଣି ଖର୍ଚ୍ଚ । ସବୁଠାରୁ ଅଧିକ ବଢ଼ିଛି ହାତ ଧୋଇବାର ଅଭ୍ୟାସ । ସମସ୍ତଙ୍କ ଦିନଚର୍ଯ୍ୟାରେ ସାମିଲ ହୋଇଛି ପରିସ୍କାର ପରିଚ୍ଛନ୍ନ ରହିବାର ଆଗ୍ରହ । ଜିନିଷପତ୍ର କିଣାକିଣି କରିବାରେ ଶୃଙ୍ଖଳିତ ହୋଇଛୁ । ଆକଟରେ ଅଛନ୍ତି ଦୈନିକ ଗାଡ଼ି ଧରି ବାହାରେ ଖଟି କରିବାକୁ ଦୌଡୁଥିବା ଯୁବବର୍ଗ । ପରିବାର ଭିତରେ ସମସ୍ତଙ୍କ ସହିତ ସମୟ କାଟିବାର ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛନ୍ତି ଈଶ୍ୱର ।

gutkha

ସେହିଭଳି ଅଯଥା ଖର୍ଚ୍ଚ ବି ବଞ୍ଚୁଛି ସମସ୍ତଙ୍କର । ପାନ କି ପାନ ମସଲା ମିଳୁନାହିଁ । ସମୟ କାଟିବାକୁ ଦରକାର ନଥିଲେ ବି ଚା ପିଇବା ଏବଂ ସିଗାରେଟ୍‌ ଟାଣିବା ଅଭ୍ୟାସରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏମିତି ଅନେକ ବଦଅଭ୍ୟାସ ଦୂର ହେଉଛି ।
ଏମିତି ଅନେକ କଥା ଅଛି ଯେଉଁଥି ପାଇଁ ଆମେ କରୋନା କଟକଣାକୁ ଧନ୍ୟବାଦ ଦେବା । ଯେମିତିକୁ ଏହା ବିରୋଧରେ ଲଢ଼େଇ ପାଇଁ ସାରା ବିଶ୍ୱ ଏକାଠି ହୋଇଛି । ପରୋକ୍ଷରେ ଏକସୂତ୍ରରେ ବାନ୍ଧି ହୋଇଛି ଏ ଦୁନିଆ । ନୂଆ ଟେକନୋଲଜିରେ ରୋଗ ସହିତ ଲଢ଼ିବାକୁ ଚାଲିଛି ଗବେଷଣା ।

NAMASKARତେବେ ତାଠାରୁ ଆହୁରି ଏକ ବଡ଼ କଥା ହେଉଛି କରୋନା ଏକାନ୍ତବାସ ନିଜକୁ ଚିହ୍ନିବାର ସୁଯୋଗ ଆଣି ଦେଇଛି । ଆପଣଙ୍କ ଜୀବନ ଆପଣଙ୍କ ପରିବାର ପାଇଁ ଯେତିକି ମୂଲ୍ୟବାନ ସେତିକି ମୂଲ୍ୟବାନ ଏ ସମାଜ, ଏ ରାଜ୍ୟ ଓ ଦେଶ ପାଇଁ । ସାମାନ୍ୟ କେତୋଟି ଭୁଲ ପାଇଁ ତାକୁ କରୋନା ହାତକୁ ଟେକି ଦିଅନ୍ତୁ ନାହିଁ ।

ହିମାଂଶୁ ଶେଖର ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.