Below header

ଆଜିଠୁ କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ୍

ଫୁଲବାଣୀ: ଫୁଲବାଣୀରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନ ତଥା ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ କିମ୍‌ସ ଦାୟିତ୍ୱରେ ଦିଆଯାଇଥିବା କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାରେ ୨ଟି କୋଭିଡ୍‌ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫଲବାଣୀଠାରେ ଥିବା ନର୍ସିଂ କଲେଜରେ ୧୫୦ ଆଇସୋଲେସନ୍‌ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କିମ୍‌ସ ପକ୍ଷରୁ କାର୍ଯ୍ୟକ୍ଷମ ହୋଇଛି । ଏକ ସପ୍ତାହ ମଧ୍ୟରେ ୧୦ଟି ଆଇସିୟୁ ଶଯ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

hospitalସେହିପରି ବଲାଙ୍ଗିର ନିକଟରେ ଉଦ୍‌ଘାଟିତ ହୋଇଥିବା କିସ୍‌ର ବିରାଟ କ୍ୟାମ୍ପସ୍‌ ମଧ୍ୟରେ ୨ ଶହ ଆଇସୋଲେସନ୍‌ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । କିସ୍‌ର ଏହି କ୍ୟାମ୍ପସ୍‌ରେ ପୂର୍ବରୁ ଏକ ଅତ୍ୟାଧୁନିକ ଡିସ୍‌ପେନ୍‌ସାରୀ ନିର୍ମାଣ କରାଯାଇଥିଲା । ଏବେ ସମସ୍ତ ଆଇସୋଲେସନ୍‌ ଶଯ୍ୟା କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଏକ ସପ୍ତାହ ମଧ୍ୟରେ ୨୦ଟି ଆଇସିୟୁ ଶଯ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କୋଭିଡ୍‌ ହସ୍ପିଟାଲର ଦାୟିତ୍ୱ କିମ୍‌ସ ନେଇଥିବା ବେଳେ ଏଥିରେ କାମ କରିବା ପାଇଁ କିମ୍‌ସର ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ବାୟୋମେଡିକାଲ ଇଞ୍ଜିନିୟର, ଇଲେକ୍ଟ୍ରିକାଲ ଇଞ୍ଜିନିୟର, ହାଉସ୍‌କିପିଂ ଏବଂ ଅନ୍ୟାନ୍ୟ ପ୍ରାୟ ୫୦ରୁ ୬୦ ଜଣ କର୍ମଚାରୀ ଭୁବନେଶ୍ୱରରୁ ଯାଇ କୋଭିଡ୍‌ ହସ୍ପିଟାଲରେ ଯୋଗଦେଇଛନ୍ତି । ଜିଲ୍ଲା ପ୍ରଶାସନର ସହଯୋଗରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି । ସେମାନେ ସେଠାରେ ରହି ହସ୍ପିଟାଲ ପରିଚାଳନା କରୁଛନ୍ତି । କିଟ୍‌ ବିଶ୍ୱବିଦ୍ୟାଳୟର କୁଳାଧିପତି ଡାକ୍ତର ସୁବ୍ରତ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ, କିମ୍‌ସର ସିଇଓ ଡାକ୍ତର ବିଷ୍ଣୁ ପ୍ରସାଦ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ କିମ୍‌ସର ଡେପୁଟି ରେଜିଷ୍ଟ୍ରାର ଦିଲ୍ଲୀପ ପଣ୍ଡା କୋଭିଡ୍‌ ହସ୍ପିଟାଲର ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି ।

doctorଏହି ଦୁଇଟି ହସ୍ପିଟାଲରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସୁବିଧା ରହିଥିବା ବେଳେ ଏଥିରେ ହାଇ-ଏଣ୍ଡ ଆମ୍ବୁଲାନ୍ସ, ୨ଟି ଇନୋଭା ଗାଡି ଓ ୨୪ ଘଣ୍ଟିଆ ବିଜୁଳି ବ୍ୟାକ୍‌ଅପ୍‌ ବ୍ୟବସ୍ଥା କରାଯାଇଛି । ଏଠାରେ କୋଭିଡ୍‌ ହସ୍ପିଟାଲ ଖୋଲିବା ପାଇଁ କିମ୍‌ସକୁ ସୁଯୋଗ ଦେଇଥିବାରୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଡକ୍ଟର ସାମନ୍ତ ସମସ୍ତ ଡାକ୍ତର, ପାରାମେଡିକାଲ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.