ନାସିକ୍‌: କରୋନାକୁ ରୋକିବା ପାଇଁ ଲାଗୁ ହେଲା ନୂଆ ନିୟମ, ବଜାରରେ ୧ ଘଣ୍ଟାରୁ ଅଧିକ ସମୟ ରହିଲେ ଦେବାକୁ ପଡ଼ିବ ୫୦୦ ଟଙ୍କା

ଦେଶରେ କରୋନା ଭାଇରସ୍‌ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। କିନ୍ତୁ ସବୁଠାରୁ ଅଧିକ ସଙ୍ଗୀନ ପରିସ୍ଥିତି ରହିଛି ମହାରାଷ୍ଟ୍ରରେ। କରୋନା ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ରର ଅନେକ ଜିଲାରେ ନାଇଟ୍‌ କର୍ଫ୍ୟୁ ଏବଂ ଲକ୍‌ଡାଉନ ଲଗାଯାଇଛି। ଏଥି ସହିତ ଲୋକଙ୍କୁ ଅଧିକ ଗହଳି ଜାଗାକୁ ନ ଯିବାକୁ ପରାମର୍ଶ ଦିଆଯାଉଛି। କିନ୍ତୁ କେତେକ ଜାଗାରେ ଲୋକେ ସୋସିଆଲ ଡିସ୍‌ଷ୍ଟାନିଂ ପାଳନ କରୁନାହାନ୍ତି।

ନାସିକ୍‌ରେ ଲୋକେ ଯେପରି ସୀମିତ ସଂଖ୍ୟାରେ ବଜାର ଯିବେ ଏବଂ ବଜାରରେ ସୋସିଆଲ ଡିସ୍‌ଷ୍ଟାନିଂ ପାଳନ କରିବେ, ସେଥିପାଇଁ ନୂଆ ନିୟମ ଲାଗୁ କରାଯାଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ବଜାର ଯିବା ଉପରେ ୫ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ଏକ ଟିକେଟ୍‌ ଦିଆଯିବ, ଯାହାକି ୧ ଘଣ୍ଟା ପାଇଁ ବୈଧ ରହିବ।
୧ ଘଣ୍ଟାରୁ ଅଧିକ ସମୟ ରହିଲେ ଦେବାକୁ ହେବ ୫୦୦ ଟଙ୍କା

ରିପୋର୍ଟ ଅନୁସାରେ, ୫ ଟଙ୍କାର ଟିକେଟ ନେବା ପରେ ଜଣେ କେବଳ ଗୋଟିଏ ଘଣ୍ଟା ପାଇଁ ବଜାରରେ ରହିପାରିବ। ୧ ଘଣ୍ଟାରୁ ଅଧିକ ସମୟ ହେଲେ ଜରିମାନା ଦେବାକୁ ହେବ। ଏହି ଶୁଳ୍କକୁ ନାସିକ ନଗର ନିଗମ ସଂଗ୍ରହ କରିବ ଏବଂ ପୋଲିସ ନିୟମକୁ କଡ଼ାକଡ଼ି ଲାଗୁ କରେଇବାର କାମ କରିବ।

ବର୍ତ୍ତମାନ ଏହି ନିୟମ ନାସିକର ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନ ଯେପରି ଶାଲିମାର, ତିଲକ ରୋଡ୍‌, ବାଦଶାହୀ କର୍ନର, ଧୁମାଲ ପଏଣ୍ଟ, ମେନ୍‌ ରୋଡ୍‌, ଶିବାଜୀ ରୋଡ୍‌, ମେନ୍‌ ମାର୍କେଟ କମିଟି, ସିଟି ସେଣ୍ଟର ମଲ୍‌ ଆଦିରେ ଲାଗୁ କରାଯାଇଛି। ସମସ୍ତ ବଜାରକୁ ପ୍ରବେଶ ନିମନ୍ତେ କେବଳ ଗୋଟିଏ ହିଁ ରାସ୍ତା ରହିବ। ଏଠି ଲୋକଙ୍କୁ ୫ ଟଙ୍କାର ଟିକେଟ୍‌ କାଟିବାକୁ ହେବ। ସେହିପରି ମାର୍କେଟ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପରିଚୟ ପତ୍ର ଦେଖାଇବା ପରେ ହିଁ ପ୍ରବେଶ ଅନୁମତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.