ଓମିକ୍ରନ ଭାରିଏଣ୍ଟ : ଭାରତରେ ଓମିକ୍ରନ ର ପ୍ରଥମ ରୋଗୀଙ୍କ ଠାରେ ଦେଖାଗଲା ଏହି ଲକ୍ଷଣ, ଆପଣ ହୋଇଯାଆନ୍ତୁ ସତର୍କ

ଭାରତର କର୍ଣ୍ଣାଟକ ରାଜ୍ୟରେ କୋରୋନା ଭାଇରସ ର ଓମିକ୍ରନ ଭାରିଏଣ୍ଟର ଦୁଅଟି ମାମଲା ଆସିବା ପରେ ଲୋକଙ୍କ ଚିନ୍ତା ବଢିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କୁ ନଡରିବା ପାଇଁ ଓ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଏହି ଓମିକ୍ରନ ଭାରିଏଣ୍ଟ ଆସିବା ପରେ ଅନେକ ଦେଶରେ କିଛି କ୍ଷେତ୍ରରେ ପ୍ରତିବନ୍ଧ ଲଗାଗଲାଣି । ଭାରତରେ ମଧ୍ୟ ଏହାର ଦୁଇଟି କେସ ସାମ୍ନାକୁ ଆସିବା ପରେ ସବୁ ସ୍ଥାନରେ ସତର୍କତା ଅବଲମ୍ବନ କରାଗଲାଣି ।

ଭାରତରେ କେମିତି ପହଞ୍ଜିଥିଲା ଓମିକ୍ରନ ଭାରିଏଣ୍ଟର ଦୁଇଟି କେସ ?

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକରଙ୍କ ଅନୁଯାୟୀ ଏହି ଦୁଇଟି ମାମଲା ଡେଲଟା ଭାରିଆଣ୍ଟ ସହିତ ମେଳ ଖାଉ ନାହିଁ। ସେହି ଅନୁଯାୟୀ କେନ୍ଦ୍ରକୁ ମଧ୍ୟ ସତର୍କ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ୬୬ ବର୍ଷ ବୟସ୍କ ପୁରୁଷ ଯିଏ ଦକ୍ଷିଣ ଆଫ୍ରିକାର ନାଗରିକ | ସେ ୨୦ ନଭେମ୍ବରରେ ବେଙ୍ଗାଲୁରୁକୁ ଆସିଥିଲେ ଯେଉଁଠାରେ ତାଙ୍କର କରୋନା ପରୀକ୍ଷା ପଜିଟିଭ ବୋଲି ଜଣା ପଡିଥିଲା।ତାଙ୍କୁ ଏକ ହୋଟେଲରେ ଆଇସୋଲେଟେଡ କରାଯାଇଥିଲା । ୨୩ ନଭେମ୍ବରରେ ପୁଣିଥରେ କୋଭିଡ ଟେଷ୍ଟ କରାଯାଇଥିଲା ଓ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଏହା ପରେ ସେ ୨୭ ନଭେମ୍ବରରେ ଦୁବାଇ ଚାଲିଯାଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କ ଟେଷ୍ଟ ନେଗେଟିଭ ଆସିଥିଲା ।  ଓମିକ୍ରନ ର ଦ୍ୱିତୀୟ  ମାମଲା ୪୬ ବର୍ଷର ଜଣେ ଡାକ୍ତରଙ୍କ କ୍ଷେତ୍ରରେ ଦେଖାଯାଇଥିଲା । ଯିଏ କି ସରକାରୀ ହସ୍ପିଟାଲରେ କାମ କରୁଛନ୍ତି । ତେବେ ଡାକ୍ତରଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା ।


ଜାଣନ୍ତୁ ଓମିକ୍ରନ ଭାରିଏଣ୍ଟର ଲକ୍ଷଣ

ତେବେ ୪୬ ବର୍ଷର ଡାକ୍ତର ଅଧିକ ଥକାପଣ ଓ ରୁଗ୍ଣ ଅନୁଭବ କରୁଥିଲେ । ଏହା ସହିତ ତାଙ୍କୁ ଜ୍ୱର ହୋଇଥିଲା ତେଣୁ ସେ ଟେଷ୍ଟ କରିବା ପରେ ପଜିଟିଭ ବୋଲି ଜଣା ପଡିଥିଲେ । ରିପୋର୍ଟ ଅନୁଯାୟୀ ତାଙ୍କ ସାଇକେଲ ଥ୍ରେସ୍‌ହୋଲ୍ଡ ଭାଲ୍ୟୁ (CT value) କମ ଥିଲା , ଯାହା ପରେ ତାଙ୍କ ସାମ୍ପୁଲ ଲ୍ୟାବ ପଠାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ଦକ୍ଷିଣ ଆଫିକ୍ରାର ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଓମିକ୍ରନ ଭାରିଆଣ୍ଟର ଲକ୍ଷଣ ଏତେ ମାରାତ୍ମକ ନୁହେଁ । ନରମାଲ ଲକ୍ଷଣ ଥିବାରୁ ଅଧିକ ଲୋକଙ୍କୁ ଜଣା ପଡୁନି ଓ ସଂକ୍ରମଣ  ଶୀଘ୍ର ବ୍ୟାପି ଯାଉଛି । ସେଥିପାଇଁ ଆପଣଙ୍କୁ ଯଦି ଅଧିକ ଥକାପଣ ଅନୁଭବ ହେବ , ଜ୍ୱର ହେବ ଓ ରୋଗିଣା ଲାଗିବ ଆପଣ ତୁରନ୍ତ ହସ୍ପିଟାଲ ଯାଇ ଟେଷ୍ଟ କରନ୍ତୁ ।

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଏହା ଜଣା ପଡିନାହିଁ ଯେ ଏହି ଓମିକ୍ରନ କେମିତି ବ୍ୟାପୁଛି । ତେବେ ଅଧିକ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ କାରଣ ଭାରତରେ ଦେଖାଯାଇଥିବା ଓମିକ୍ରନ ମାମଲାରେ ସବୁପ୍ରକାର ଟେଷ୍ଟ ସରିଛି । ଏହା ସେତେ ଘାତକ ନୁହେଁ ଯେମିତି ଡେଲ୍ଟା ଭାରିଏଣ୍ଟରେ ନିଶ୍ୱାସ ପ୍ରଶ୍ୱାସ ନେବା ଅସୁବିଧା ହେଉଥିଲା । ତେବେ କର୍ଣ୍ଣାଟକର ଅଧିକାରୀଙ୍କ କହିବା ଅନୁସାରେ ଏହି ଓମିକ୍ରନ ମାମଲା ହୁଏତ ଅଧିକ ଦେଖାଯାଇ ପାରେ କାରଣ ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଅତି ଶିଘ୍ର ସଂକ୍ରମିତ ହେଉଛି । ହୁଏତ ଏହାର ଲକ୍ଷଣ ଏତେ ମାରାତ୍ମକ ନାହିଁ । ତେବେ ଟେଷ୍ଟ ହୋଇଥିବା ରୋଗୀମାନଙ୍କର ସିଟି ଭାଲ୍ୟୁ କମ ରହିଥିବା ଜଣାପଡିଛି । ତେଣୁ ବିଦେଶରୁ ଆସିଥିବା ସମସ୍ତ ପଜିଟିଭ କେସ ର ଜିନୋମ ସିକ୍ୱେସିଙ୍ଗ ପାଇଁ ପଠାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.