ବିଶ୍ୱରେ ପ୍ରଥମ ! ଜୀବିତ ଡୋନରଙ୍କ ଫୁସ୍‌ଫୁସ୍‌ କୋଭିଡ୍‌ ରୋଗୀଙ୍କଠାରେ ହେଲା ପ୍ରତ୍ୟାରୋପିତ, ସ୍ୱାମୀ ଓ ପୁଅ କଲେ ଦାନ

ଜାପାନୀ ଡାକ୍ତରମାନେ କରୋନା ଆକ୍ରାନ୍ତ ଜଣେ ମହିଳାଙ୍କର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଫୁସ୍‌ଫୁସ୍‌କୁ ପ୍ରତ୍ୟାରୋପଣ କରିବାରେ ବଡ଼ ସଫଳତା ହାସଲ କରିଛନ୍ତି। ପୂର୍ବରୁ ମୃତ ଡୋନରଙ୍କ ଫୁସ୍‌ଫୁସ୍‌ ପ୍ରତ୍ୟାରୋପଣ କରିବାର ଅନେକ ସଫଳ ଅସ୍ତ୍ରୋପଚାର ବିଶ୍ୱରେ ହୋଇସାରିଛି। କିନ୍ତୁ ଏହା ଏମିତି ଏକ ଘଟଣା, ଯାହାକି ପ୍ରଥମ ଥର ହୋଇଛି। ଏଠାରେ ଦୁଇଜଣ ଜୀବିତ ଡୋନର ନିଜ ଫୁସ୍‌ଫୁସ୍‌ର କିଛି ଅଂଶ ଦାନ କରିଛନ୍ତି।

ଟୋକିଓର କ୍ୟୁଟୋ ୟୁନିଭର୍ସିଟି ହସ୍ପିଟାଲ ପକ୍ଷରୁ କୁହାଯାଇଛି, ୩୦ ଜଣିଆ ଏକ ଡାକ୍ତରୀ ଟିମ୍‌ ୧୧ ଘଣ୍ଟାର ପରିଶ୍ରମ ପରେ ଏଥିରେ ସଫଳତା ହାସଲ କରିଛନ୍ତି। ମହିଳାଙ୍କ ଫୁସ୍‌ଫୁସ୍‌ରେ ତାଙ୍କ ସ୍ୱାମୀ ଏବଂ ପୁଅର ଫୁସ୍‌ଫୁସ୍‌ର କିଛି ଅଂଶ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି। ଡାକ୍ତରୀ ଟିମ୍‌ର ନେତୃତ୍ୱ ନେଇଥିବା ଡା. ହିରୋଶୀଙ୍କ ଅନୁସାରେ, କରୋନା ଆକ୍ରାନ୍ତ ରୋଗୀ, ଯାହାଙ୍କ ଫୁସ୍‌ଫୁସ୍‌ ଖରାପ ହୋଇଯାଇଥିଲା, ଏହା ତାଙ୍କ ପାଇଁ ଆଶାର କିରଣ। ଆମେ ଦେଖାଇ ଦେଲୁ କି, ଜୀବିତ ଡୋନରଙ୍କ ଅଙ୍ଗରୁ ବି କିଛି ଅଂଶ ନେଇ ଫୁସ୍‌ଫୁସ୍‌କୁ ସୁସ୍ଥ କରାଯାଇପାରେ।

ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି, ମହିଳା ରୋଗୀ ଜାପାନର କଂସାଇରେ ରୁହନ୍ତି ଏବଂ ତାଙ୍କୁ ଗତବର୍ଷ କରୋନା ସଂକ୍ରମଣ ହୋଇଥିଲା। ସେ କିଛି ମାସ ଧରି ଜୀବନ ରକ୍ଷକ ପ୍ରଣାଳୀରେ ଥିଲେ। ବର୍ତ୍ତମାନ ମହିଳାଙ୍କ ସ୍ୱାମୀ ଏବଂ ପୁଅର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସମସ୍ତଙ୍କୁ ଦୁଇ ମାସ ଭିତରେ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.