ମହାଦେବଙ୍କ ତୃତୀୟ ନେତ୍ର ଖୋଲିଲେ କ’ଣ ହେବ ?

ମହାଦେବଙ୍କ ତୃତୀୟ ନେତ୍ର କାହାକୁ ଦର୍ଶାଏ? ଯଦି ଏହା ଖୋଲିଯିବ ତେବେ କ'ଣ ହେବ? ଆଜି ଜାଣନ୍ତୁ ଏହାକୁ ନେଇ କ'ଣ କହୁଛି ବେଦଶାସ୍ତ୍ର

ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି। ସତୀ ଏବଂ ପାର୍ବତୀଙ୍କ ପତି ଭଗବାନ ଶଙ୍କରଙ୍କୁ ସଦାଶିବଙ୍କ କାରଣରୁ ଶିବ ମଧ୍ୟ କୁହାଯାଇଥାଏ। ସନତାନ ଧର୍ମର ପ୍ରମୁଖ ଆଦି ପଞ୍ଚ ଦେବତାଙ୍କ ମଧ୍ୟରେ ଭଗବାନ ଶଙ୍କରଙ୍କ ସ୍ଥାନ ରହିଛି। ସେହିଭଳି ଶଙ୍କରଙ୍କୁ ଦେବାଧି ଦେବ ମହାଦେବ ମଧ୍ୟ କୁହାଯାଇଥାଏ।

ଭଗବାନ ଶିବ ଯେତିକି ଶୀଘ୍ର ପ୍ରସନ୍ନ ହୁଅନ୍ତି ସେତିକି ଶୀଘ୍ର କ୍ରୋଧିତ ମଧ୍ୟ ହୋଇଥାନ୍ତି। ସବୁ ଦେବତାଙ୍କ ମଧ୍ୟରୁ ମହାଦେବ ପ୍ରଚଣ୍ଡ ରାଗି । ସବୁ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ବଡ ବଡ ପୂଜା କରାଯାଇଥାଏ । କିନ୍ତୁ ଭାଗବାନ ଶିବ କେବଳ ଶିବଲିଙ୍ଗରେ ଶ୍ରଦ୍ଧାର ସହ ଜଳ ଅର୍ପଣ କଲେ ମଧ୍ୟ ପ୍ରସନ୍ନ ହୋଇ ନିଜ ଭକ୍ତଙ୍କ କଲ୍ୟାଣ କରିଥାନ୍ତି ।

ଭଗବାନ ଶିବଙ୍କ ମଥାରେ ତୃତୀୟ ନୟନ ଥିବା କଥା ପୁରାଣରେ ଅଛି । ସେ ତୃତୀୟ ନୟନରେ ସବୁକିଛି ଦେଖିପାରନ୍ତି । ଯେତେବେଳେ ଶିବ ନିଜ ତୃତୀୟ ନୟନ ଖୋଲନ୍ତି ସେଥିରୁ ବହୁତ ତୀକ୍ଷ୍ଣ ଆଲୋକ ବାହାରିଥାଏ । ସେହି ଆଲୋକରେ ସବୁ ଭସ୍ମ ହୋଇଯାଏ।ଏଭଳି ସ୍ଥିତିରେ ଶିବ ଯେକୌଣସି ଜାଗାକୁ ଦେଖିପାରନ୍ତି ଏବଂ କାହା ସହ ମଧ୍ୟ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନା କରିପାରିଥାନ୍ତି ।

ଭଗବାନ ଶିବଙ୍କ ତୃତୀୟ ନୟନକୁ ପ୍ରଳୟ ବୋଲି କୁହାଯାଏ। ଭଗବାନ ଶିବଙ୍କ ତୃତୀୟ ନୟନରୁ ବାହାରୁଥିବା କ୍ରୋଧ ଅଗ୍ନିରେ ପୃଥିବୀ ଧ୍ବଂସ ହୋଇଯିବ । ଶିବଙ୍କ ୩ଟି ଆଖିର ଗୁଣ ଅଲଗା ଅଲଗା । ଭଗବାନ ଶିବଙ୍କ ତୃତୀୟ ନୟନ ତାଙ୍କ ମଥାରେ ଥାଏ ଯେଉଁଥିପାଇଁ ତାଙ୍କୁ ତ୍ରିନେତ୍ର କୁହାଯାଇଥାଏ । ଗୋଟିଏ ନୟନକୁ ଚନ୍ଦ୍ର, ଦ୍ୱିତୀୟକୁ ସୂର୍ଯ୍ୟ ଏବଂ ଶିବଙ୍କ ତୃତୀୟ ଚକ୍ଷୁ ଆଜ୍ଞାଚକ୍ର ବୋଲି କୁହାଯାଏ ।ବେଦ ଶାସ୍ତ୍ର ଅନୁସାରେ ଧରାପୃଷ୍ଠରେ ରହୁଥିବା ସମସ୍ତ ଜୀବଙ୍କ ୩ଟି ଚକ୍ଷୁ ରହିଛି । ୨ ଚକ୍ଷୁରେ ସମସ୍ତ ଜୀବ ଭୌତିକ ବସ୍ତୁ ଦେଖିଥାନ୍ତି ଏବଂ ତୃତୀୟ ଚକ୍ଷୁକୁ ବିବେକ ବୋଲି ବିଚାର କରାଯାଏ । କିନ୍ତୁ ତୃତୀୟ ଚକ୍ଷୁ ଦେଖାଯାଏନାହିଁ ।

ମହାଭାରତର ଷଷ୍ଠ ଖଣ୍ଡ ଅନୁଶାସନ ପର୍ବ ଅନୁସାରେ ଏକଦା ଭଗବାନ ଶିବ ହିମାଳୟ ପର୍ବତ ରେ ସଭା କରୁଥିଲେ। ଏଥିରେ ସମସ୍ତ ଦେବତା, ଋଷି ମୁନି ଥିଲେ। ସେହି ସମୟରେ ମାତା ପାର୍ବତୀ ସେଠାକୁ ଆସିଲେ ଓ ଭୋଳାନାଥଙ୍କ ଆଖିରେ ଦୁଇ ହାତ ରଖିଦେଲେ। ଭଗବାନ ଶିବଙ୍କ ଆଖି ଲୁଚିଯିବା କାରଣରୁ ସୃଷ୍ଟିରେ ଅନ୍ଧାର ହୋଇଗଲା। ଏମିତି ଲାଗିଲା ଯେମିତି ଭଗବାନଙ୍କ ଗୁରୁତ୍ୱ କିଛି ଆଉ ସତେ ନାହିଁ। ଏହାପରେ ଧରାପୃଷ୍ଠରେ ସମସ୍ତ ପ୍ରାଣୀ ବଞ୍ଚିରହିବା କଷ୍ଟ ହୋଇଗଲା। ସଂସାର ର ଏହି ଅବସ୍ଥା ଦେଖି ପ୍ରଭୁ ବ୍ୟାକୁଳ ହୋଇ ଉଠିଲେ। ଏହାପରେ ସେ ତାଙ୍କ ମଥାରେ ଏକ ଜ୍ୟୋତିପୁଞ୍ଜ ପ୍ରକଟ କଲେ। ଯାହା ପ୍ରଭୁଙ୍କର ତୃତୀୟ ନୟନ ହୋଇ ସାମ୍ନାକୁ ଆସିଲା। ପରେ ମାତା ପାର୍ବତୀ ପଚାରିବା ପରେ ଭଗବାନ ଶିବ କହିଲେ ଯେ ସେ ଯଦି ଏଭଳି ନକରିଥାନ୍ତେ ତେବେ ସଂସାର ନାଶ ବା ସରିଯାଇଥାନ୍ତା। କାରଣ ପ୍ରଭୁଙ୍କ ଆଖି ହିଁ ପାଳନହାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.