ଦୁଃଖର ପାହାଡ଼ ଉପରେ ବସି, ହସର ସୌଦାଗର ସାଜିଥିଲେ ଏହି ଅଭିନେତା, ୩୦୦ ରୁ ଅଧିକ ଫିଲ୍ମରେ କରିଛନ୍ତି ଅଭିନୟ

ଶିଶୁ କଳାକାର ଭାବେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ମେହେମ୍ମୁଦ ନିଜର ମଜାଳିଆ ଚରିତ୍ର, ହାବ ଭାବ ଓ ଆଓ୍ଵାଜ ପାଇଁ ବେଶ ଚର୍ଚ୍ଚିତ । ବଲିଉଡରେ ଦୀର୍ଘ ଦିନ ଧରି ଲୋକଙ୍କୁ ହସାଉଥିବା ଏହି କଳାକାର ନିଜ ଜୀବନରେ ଗଭୀର ଦୁଃଖ ମଧ୍ୟରେ ସମୟ କାଟୁଥିଲେ ଏହା ଖୁବ୍‌ କମ୍‌ ଲୋକେ ବୋଧହୁଏ ଜାଣି ଥିବେ ।

୧୯୯୩ ରେ ଜନ୍ମ ଗ୍ରହଣ କରିଥିବା ମେହେମ୍ମୁଦଙ୍କ ପିତା ମୁମତାଜ ଅଲି ବମ୍ବେ ଟକିଜ ଷ୍ଟୁଡିଓରେ କାମ କରୁଥିଲେ । ଘରର ଆର୍ଥିକ ଆବଶ୍ୟକତା ପାଇଁ ମେହେମ୍ମୁଦ ମଲାଡ ଓ ବିରାର ମଧ୍ୟରେ ଚାଲୁଥିବା ଲୋକାଲ ଟ୍ରେନ୍‌ ରେ ଟଫି ବିକ୍ରି କରୁଥିଲେ । ପିଲାଦିନରୁ ମେହେମ୍ମୁଦଙ୍କର ଅଭିନୟ ପ୍ରତି ଦୁର୍ବଳତା ଥିଲା । ସେ ଅଭିନେତା ହେବାକୁ ଚାହୁଁଥିଲେ । ପିତାଙ୍କ ସୁପାରିଶରେ ମେହେମ୍ମୁଦଙ୍କୁ ବମ୍ବେ ଟକିଜରେ ୧୯୪୩ରେ ପ୍ରଦର୍ଶିତ ଫିଲ୍ମ ‘କିସମ୍ମତ’ ରେ ଅଭିନେତା ଅଶୋକ କୁମାରଙ୍କ ପିଲାଦିନ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।

ଯେତେ ଡ୍ରାମା (ଅଭିନୟ) ମେହେମ୍ମୁଦଙ୍କ ଫିଲ୍ମରେ ଦେଖିବାକୁ ମିଳିଥିଲା, ତା ଠାରୁ ଅଧିକ ଡ୍ରାମା ତାଙ୍କ ଅସଲ ଜୀବନରେ ଚାଲୁଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ହସାଉଥିବା ମେହେମ୍ମୁଦ ନିଜ ଜୀବନରେ ଯେ କେତେ କାନ୍ଦୁଥିଲେ ତାହା କେହି ଜାଣି ନଥିଲେ । ତାଙ୍କର ଦୁଃଖ କାହାଣୀ ନିଜ ହସ ହସ ମୁହଁ ପଛରେ ଲୁଚାଇ ରଖିଥିଲେ ।

ପୁଅକୁ ହୋଇଥିଲା ପୋଲିଓ

ମେହେମ୍ମୁଦ ଅଲ୍ଲୀ ନିଜ ସମୟର ଜଣେ ଭଲ କମେଡିଆନ ଥିଲେ । ସେ ବହୁ ସୁନ୍ଦର ଫିଲ୍ମରେ ଅଭିନୟ କରିଛନ୍ତି । ସେଥିରୁ ଏକ ଫିଲ୍ମ ହେଉଛି ‘କୁଆରା ବାପ’ । ଏହା କମ ଲୋକଙ୍କୁ ଜଣା ଯେ ଏହା ତାଙ୍କ ନିଜ ଜୀବନୀ ଉପରେ ଆଧାରିତ ଥିଲା । ଏହି ଫିଲ୍ମରେ ମେହେମୁଦ ଜଣେ ଗରୀବ ରିକ୍ସା ବାଲା ଭୂମିକାରେ ଅଭିନୟ କରିଥିଲେ । ଏଥିରେ ୧୫ ବର୍ଷର ପୋଲିଓ ଆକ୍ରାନ୍ତ ପୁଅ ଭୂମିକାରେ ତାଙ୍କର ନିଜ ତୃତୀୟ ପୁଅ ମକଦୁମ୍‌ ଅଭିନୟ କରିଥିଲେ, ଯେ କି ବାସ୍ତବରେ ଜଣେ ପୋଲିଓ ଆକ୍ରାନ୍ତ ଥିଲେ । ମେହେମୁଦ ପୁଅର ଚିକିତ୍ସା ପାଇଁ ବହୁତ କିଛି ଖର୍ଚ୍ଚ କରିଥିଲେ । ବିଦେଶରେ ଚିକିତ୍ସା କରିଥିଲେ । ହେଲେ ସେ ଭଲ ହୋଇ ନଥିଲେ । ଯାହାକି ଏହି ଫିଲ୍ମରେ ଦେଖାଯାଇଛି ।

ରାଜେଶ ଖାନ୍ନାଙ୍କ ଦେଇଥିଲେ ଶକ୍ତ ଚାପୁଡା

ଫିଲ୍ମ ଜନତା ହଲବଦାର ରେ ମେହେମ୍ମୁଦ ନିଜର ଫିଲ୍ମ ପାଇଁ ରାଜେଶ ଖାନ୍ନାଙ୍କୁ ନେଇଥିଲେ । ମେହେମ୍ମୁଦ ନିଜ ଫାର୍ମ ହାଉସରେ ଫିଲ୍ମର ସୁଟିଂ କରୁଥିଲେ । ସେହି ସମୟରେ ମେହେମ୍ମୁଦଙ୍କ ପୁଅ ରାଜେଶ ଖାନ୍ନାଙ୍କୁ ଭେଟିଲେ ଓ ସଲାମ କରି ଚାଲିଗଲେ । ରାଜେଶ ଏଥିରେ ରାଗିଗଲେ ଯେ କେବଳ ହ୍ୟାଲୋ କାହିଁକି କହିଲା । ଏହା ପରଠାରୁ ରାଜେଶ ସେଟକୁ ବିଳମ୍ବରେ ଆସିବାକୁ ଲାଗିଲେ ।

ଏଥିପାଇଁ ସୁଟିଂରେ ଅସୁବିଧା ସୃଷ୍ଟି ହେଲା । ମେହେମ୍ମୁଦଙ୍କୁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା । ମେହେମ୍ମୁଦ ଏହି ଫିଲ୍ମରେ ଡାଇରେକ୍ଟର ଥିଲେ ଓ ଆକ୍ଟର ମଧ୍ୟ ଥିଲେ । ଏମିତି ଦିନେ ମେହେମ୍ମୁଦ ରାଜେଶ ଖାନ୍ନାଙ୍କୁ ସମସ୍ତଙ୍କ ଆଗରେ ଏକ ଚାପୁଡା ମାରିଦେଲେ । କହିଲେ, ଆପଣ ସୁପରଷ୍ଟାର ହେବେ ଆପଣଙ୍କ ଘରେ, ମୁଁ ଫିଲ୍ମ ପାଇଁ ଆପଣଙ୍କୁ ପୁରା ଟଙ୍କା ଦେଇଛି, ଆପଣଙ୍କୁ ଫିଲ୍ମ ପୁରା କରିବାକୁ ପଡିବ ।

ମେହେମ୍ମୁଦ ନିଜ ଫିଲ୍ମ କାରିଅରରେ ୩ ଥର ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଦୀର୍ଘ ୫ ଦଶନ୍ଧୀ ଧରି ଫିଲ୍ମ କାରିଅରରେ ୩୦୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଶେଷ ଜୀବନରେ ସେ ହାର୍ଟ ରୋଗରେ ପୀଡିତ ହୋଇ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ୨୦୦୪ ଜୁଲାଇ ୨୩ ତାରିଖରେ ଶୋଇଥିବା ସମୟରେ ହାର୍ଟ ଆଟାକରେ ଆମେରିକାରେ ଶେଷ ନିଶ୍ୱାଃଓ ତ୍ୟାଗ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.