ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ହାର୍ଟ ଆଟାକ୍‌ରେ ଦେହାନ୍ତ, ଦୁଇଦିନ ତଳେ ସାଙ୍ଗଙ୍କ ସହ କରିଥିଲେ ପାର୍ଟି

ଛୋଟ ପରଦାରୁ ନେଇ ବଡ଼ ପରଦା ଏବଂ କ୍ରିକେଟ ଜଗତ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଜୀବନରେ ହଠାତ୍‌ କଳା ବାଦଲ ମାଡ଼ି ଆସିଛି। ବୁଧବାର ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ଦେହାନ୍ତ ହୋଇଯାଇଛି। ହେଲେ ଏ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଅଫିସିଆଲି ସୂଚନା ସାମ୍ନାକୁ ଆସିନି। ତେବେ ଖବର ମୁତାବକ, ହାର୍ଟ ଆଟାକ୍‌ ଯୋଗୁ ରାଜଙ୍କ ମୃତ୍ୟୁ ଘଟିଛି।

ଏହି ଖବର ମଧ୍ୟ ସାମ୍ନାକୁ ଆସିଛି ଯେ ରାଜ ରବିବାର ଦିନ ନିଜ ସାଙ୍ଗମାନଙ୍କ ସହ ପାର୍ଟି କରିଥିଲେ। ଏହି ପାର୍ଟିର ଫଟୋଗୁଡ଼ିକୁ ସେ ସୋସିଆଲ ମିଡିଆରେ ସେୟାର ବି କରିଥିଲେ। କହି ରଖୁଛୁ, ପେସାରେ ରାଜ ଜଣେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଥିଲେ। ସେ ‘ପ୍ୟାର ମେଁ କଭି କଭି’, ‘ଶାଦୀ କା ଲଡ୍‌ଡୁ’ ଭଳି ଫିଲ୍ମକୁ ନିର୍ଦ୍ଦେଶନା ଏବଂ ପ୍ରଯୋଜନା କରିଥିଲେ।

ମନ୍ଦିରା ବେଦୀ ଓ ରାଜ କୌଶଲ୍‌ଙ୍କ ପ୍ରଥମ ଦେଖା ମୁକୁଲ ଆନନ୍ଦଙ୍କ ଘରେ ହୋଇଥିଲା। ମନ୍ଦିରା ସେଠାକୁ ଅଡିଶନ ଦେବାକୁ ପହଞ୍ଚିଥିଲେ ଏବଂ ରାଜ, ମୁକୁଲ ଆନନ୍ଦଙ୍କ ଆସିଷ୍ଟାଣ୍ଟ ରୂପେ କାମ କରୁଥିଲେ। ସେହିଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମନ୍ଦିରା ବେଦୀ ୧୪ ଫେବୃୟାରୀ ୧୯୯୯ରେ ରାଜ କୌଶଲଙ୍କୁ ବିବାହ କରିଥିଲେ। ଯଦିଓ ମନ୍ଦିରାଙ୍କ ମାଆ, ବାପା ଏହି ବିବାହ ପାଇଁ ରାଜି ନ ଥିଲେ, କିନ୍ତୁ ସେମାନଙ୍କ ଭଲ ପାଇବା ଦୁହିଁଙ୍କୁ ଅଲଗା କରିପାରି ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.