ଡ୍ରଗ୍ସ ମାମଲାରେ ନିରବତା ଭାଙ୍ଗିଲେ ଅକ୍ଷୟ କୁମାର, କହିଲେ- ଛାତିରେ ହାତ ରଖି କେମିତି ମିଛ କହିବି…; ଦେଖନ୍ତୁ ଭିଡିଓ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିଭିନ୍ନ ମାମଲାକୁ ନେଇ ଚର୍ଚ୍ଚାରେ ରହିଛି ବଲିଉଡ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏବେ ଡ୍ରଗ୍ସ ଆଙ୍ଗଲ ସାମ୍ନାକୁ ଆସିଛି। ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଏହା ରୋଚକ ମୋଡ଼ ନେଇଛି। ତେବେ ଏହି ମାମଲାରେ ଅକ୍ଷୟ କୁମାରଙ୍କ ନାଁ ବି ସାମ୍ନାକୁ ଆସିଛି। ଏବେ ଏହି ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଖିଲାଡି କୁମାର।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଅକ୍ଷୟ ଡ୍ରଗ୍ସ ମାମଲାକୁ ନେଇ ନିଜ ମନ କଥା କହିଛନ୍ତି। ଅକ୍ଷୟ କହିଛନ୍ତି ଗତ କିଛି ଦିନ ହେଲା ମୋ ମନ ବହୁତ ଦୁଃଖ ଅଛି। କିନ୍ତୁ କାହାକୁ କହିବି କେମିତି କହିବି ବୁଝିପାରୁନାହିଁ। ସୁଶାନ୍ତଙ୍କ ମୃତ୍ୟୁ ପରେ ସମସ୍ତେ ଏବେ ବଲିଉଡକୁ ଭିନ୍ନ ନଜରରେ ଦେଖୁଛନ୍ତି। ମୁଁ ମାନୁଛି ଏଠାରେ କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ଛୋଟ ଦେଖାନ୍ତି। କିନ୍ତୁ ସମସ୍ତେ ନୁହେଁ।

ଦେଖନ୍ତୁ ଭିଡିଓ:

ସେ କହିଛନ୍ତି ଛାତିରେ ହାତ ରଖି କେମିତି ମିଛ କହିବି ଯେ ଏହା ସତ ନୁହେଁ। ଏହା ସତ। ମାତ୍ର ଡ୍ରଗ୍ସ ଏକ ଆଇନ ମାମଲା। ମୋର ବିଶ୍ୱାସ ଅଛି ଯେ ଏହି ମାମଲାରେ ପୂରା ଇଣ୍ଡଷ୍ଟ୍ରୀ ତଦନ୍ତରେ ସାହାଯ୍ୟ କରିବ। କିନ୍ତୁ କେହି ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ତାକୁ ଦୋଷୀ ବୋଲି କୁହନ୍ତୁ ନାହିଁ। ଜଣଙ୍କ ପାଇଁ ପୂରା ଇଣ୍ଡଷ୍ଟ୍ରୀକୁ ବଦନାମ କରନ୍ତୁ ନାହିଁ। କାରଣ ଆପଣଙ୍କ ଏହି ଛୋଟ କଥା ଯୋଗୁ କାହା ଜୀବନ ବି ନଷ୍ଟ ହୋଇପାରେ।

ଅକ୍ଷୟ କହିଛନ୍ତି ମିଡିଆଙ୍କୁ ବି ମୁଁ ଅନୁରୋଧ କରୁଛି ସେମାନେ ସବୁ ଖବର ପ୍ରକାଶ କରନ୍ତୁ। କିନ୍ତୁ କେବଳ ସତ। ନିଜ ସନ୍ଦେହକୁ ଖବର କରି ପ୍ରସାରଣ କରି କାହା ବର୍ଷ ବର୍ଷର କ୍ୟାରିଅରକୁ ଖରାପ କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ଖିଲାଡି କୁମାର।