ସୋନୁ ସୁଦଙ୍କ ନାମରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା, ଆକ୍ଟର ପହଞ୍ଚି କଲେ ଉଦ୍‌ଘାଟନ

କରୋନା ଲକ୍‌ଡାଉନ ସମୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଗରିବ, ଦିନ ମଜୁରିଆ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ସମସ୍ତଙ୍କ ହୃଦୟରେ ଘର କରିନେଇଛନ୍ତି। ସାରା ଦେଶରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଏବେ ସୋନୁ ସୁଦଙ୍କ ନାଁରେ ହାଇଦ୍ରାବାଦରେ ଏକ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି, ଯାହାର ନାଁ ‘ସୋନୁ ସୁଦ ଆମ୍ବୁଲାନ୍ସ ସେବା’ ରଖାଯାଇଛି।

ପ୍ରକୃତ କଥା ହେଲା, ହାଇଦ୍ରାବାଦର ଶିବା ନାମକ ବ୍ୟକ୍ତି ଏକ ଆମ୍ବୁଲାନ୍ସ କିଣିଛନ୍ତି ଏବଂ ସେ ସୋନୁଙ୍କ କାମରେ ଏତେ ଅନୁପ୍ରେରିତ ଯେ ନିଜ ଆମ୍ବୁଲାନ୍ସର ନାଁ ସୋନୁଙ୍କ ନାମ ଅନୁସାରେ ହିଁ ରଖିଦେଇଛନ୍ତି। ସୂଚନାଥାଉ କି, ଶିବା ମଧ୍ୟ ଲୋକଙ୍କୁ ନିଃସ୍ୱାର୍ଥ ସେବା ଦେବାରେ ହାଇଦ୍ରାବାଦରେ ବେଶ୍‌ ଜଣାଶୁଣା। ସେ ପେସାରେ ଜଣେ ସନ୍ତରଣକାରୀ। ଏ ପର୍ଯ୍ୟନ୍ତ ପାଣିରେ ବୁଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ୧୦୦ରୁ ଅଧିକ ଲୋକଙ୍କର ସେ ଜୀବନ ବଞ୍ଚାଇ ସାରିଛନ୍ତି।

ଶିବାଙ୍କର ଏଭଳି ସେବା ମନୋଭାବ ଦେଖି ଲୋକେ ଦାନରେ ପଇସା ଦେବାରେ ଲାଗିଥାଆନ୍ତି। ଏବେ ସେ ଏହି ପଇସାରେ ଏକ ଆମ୍ବୁଲାନ୍ସ କିଣି ତାକୁ ସୋନୁଙ୍କ ନାଁ ଅନୁସାରେ ନାମକରଣ କରିଛନ୍ତି। ସୋନୁ ନିଜେ ଏହାକୁ ଉଦ୍‌ଘାଟନ କରିବା ପାଇଁ ସେଠାରେ ପହଞ୍ଚିଥିଲେ ଏବଂ ଏ ନେଇ ବହୁତ ଗର୍ବ ଅନୁଭବ କରିଥିଲେ।

Leave A Reply

Your email address will not be published.