କଷ୍ଟଡି ମାଗିବାରୁ ଏନ୍‌ସିବିକୁ ଓକିଲ ମାନସିନ୍ଦେଙ୍କ ଜବାବ- ‘ଆର୍ଯ୍ୟନ୍‌ଙ୍କୁ ସିପ୍‌ରେ ଡ୍ରଗ୍ସ ବିକିବା ଦରକାର ନାହିଁ, ସେ ଚାହିଁଲେ ପୂରା ସିପ୍‌ କିଣିପାରିବେ’

ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ଏବେ ଏନ୍‌ସିବି କବ୍‌ଜାରେ ଅଛନ୍ତି। ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍‌ ସିପ୍‌ରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଚଢ଼ଉ ବେଳେ ଏନ୍‌ସିବି ଆର୍ଯ୍ୟନ୍‌ଙ୍କୁ ଧରିଥିଲା। ପଚରାଉଚରା ପରେ ରବିବାର ଦିନ ତାଙ୍କୁ ଗିରଫ କରାଯାଇଛି। ସୋମବାର ଦିନ ଆର୍ଯ୍ୟନ୍‌ ଖାନ୍‌, ଅରବାଜ ମର୍ଚ୍ଚାଣ୍ଟ ଓ ମୁନ୍‌ମୁନ୍‌ ଧମେଚାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଅକ୍ଟୋବର ୭ ଯାଏଁ ସମସ୍ତଙ୍କୁ ଏନ୍‌ସିବି କଷ୍ଟଡିରେ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟରେ ଆର୍ଯ୍ୟନ୍‌ ଖାନ୍‌ ହାଜର ହେବା ପରେ ମାଜିଷ୍ଟେଟ୍‌, ଏନ୍‌ସିବି ଓ ଆର୍ଯ୍ୟନ୍‌ଙ୍କ ଓକିଲ ସତୀଶ ମାନସିନ୍ଦେଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଏନ୍‌ସିବି ଆର୍ଯ୍ୟନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲା ଯେ ତାଙ୍କ ଫୋନ୍‌ରୁ ଆପତ୍ତିଜନକ ଡ୍ରଗ୍ସ ଚାଟ୍‌ ଜବତ ହୋଇଛି। ଅନ୍ୟପଟେ ସତୀଶ ମାନସିନ୍ଦେ ଜବାବରେ ଗୋଟିଏ ପରେ ଗୋଟିଏ ଦଲିଲ ଦାଖଲ କରିଥିଲେ।

ଏନ୍‌ସିବି କହିଥିଲା ଯେ ଆର୍ଯ୍ୟନ୍‌ଙ୍କୁ କଷ୍ଟଡିରେ ନେଲେ ଜଣାପଡ଼ିବ ଯେ ସେ ସିପ୍‌ରେ ଡ୍ରଗ୍ସ କାହିଁକି ବିକ୍ରି କରୁଥିଲେ। ଏହାର ଜବାବରେ ଓକିଲ କହିଥିଲେ ଯେ ଆର୍ଯ୍ୟନ୍‌ଙ୍କୁ ସିପ୍‌ରେ ଡ୍ରଗ୍ସ ବିକ୍ରି କରିବାର ଆବଶ୍ୟକତା ନାହିଁ। ସେ ସିପ୍‌କୁ କାହିଁକି ଗଲେ ତାହା ଏନ୍‌ସିବି ଜାଣିବାର ଆବଶ୍ୟକତା ନାହିଁ। ଆର୍ଯ୍ୟନ୍‌ ଚାହିଁଲେ ପୂରା ସିପ୍‌ କିଣିପାରିବେ।

ଅନ୍ୟପଟେ କୋର୍ଟରେ ସତୀଶ କହିଥିଲେ ଯେ ଏନ୍‌ସିବି ଯଦି ଆର୍ଯ୍ୟନ୍‌ଙ୍କୁ ଗିରଫ କରିବାକୁ ଚାହୁଁଛି ତେବେ ଠୋସ୍‌ ପ୍ରମାଣ ଦେଉ। ଆଉ କାହା ନିକଟରୁ ଡ୍ରଗ୍ସ ମିଳିବାର ଅର୍ଥ ଆର୍ଯ୍ୟନ୍‌ଙ୍କ ଠାରୁ ମିଳିବା ନୁହେଁ। ଆଉ ଯଦି ଏନ୍‌ସିବିକୁ ଆର୍ଯ୍ୟନ୍‌ଙ୍କ ଫୋନ୍‌ରୁ ଡ୍ରଗ୍ସ ଚାଟ୍‌ ବିଷୟରେ କିଛି ସୂଚନା ମିଳିଛି ତେବେ ତାହାକୁ କୋର୍ଟଙ୍କୁ ଦେଖାନ୍ତୁ। ଆର୍ଯ୍ୟନ୍‌ ଡ୍ରଗ୍ସ ବିଷୟରେ ଜାଣି ନାହାନ୍ତି ବୋଲି ସତୀଶ କୋର୍ଟରେ ଯୁକ୍ତି ବାଢ଼ିଥିଲେ। ସୂଚନା ଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ କେସ୍‌ ବି ଓକିଲ ସତୀଶ ମାନସିନ୍ଦେ ଲଢ଼ିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.