ରହସ୍ୟ ଉନ୍ମୋଚିତ! ସୋନାଲି ଫୋଗଟ୍‌ଙ୍କୁ କରାଯାଇଛି ଯୋଜନାବଦ୍ଧ ହତ୍ୟା; ଦୋଷ ସ୍ୱୀକାର କଲେ ପିଏ ସୁଧୀର ସାଙ୍ଗଓ୍ଵାନ

ମୃତ୍ୟୁର ଅନେକ ଦିନ ପରେ ସୋନାଲି ଫୋଗଟ୍‌ ହତ୍ୟା ମାମଲାର ରହସ୍ୟ ଉନ୍ମୋଚିତ ହୋଇଛି। ଗୋଆ ପୋଲିସ ଖୁଲାସା କରିଛି କି, ଅଭିଯୁକ୍ତ ସୁଧୀର ସାଙ୍ଗଓ୍ଵାନ ହିଁ ସୋନାଲି ଫୋଗଟ୍‌ଙ୍କୁ ହତ୍ୟା କରିଛନ୍ତି। ଷଡ଼ଯନ୍ତ୍ର କରି ସେ ତାଙ୍କୁ ମାରି ଦେଇଥିବା କଥା ନିଜେ ସ୍ୱୀକାର କରିଛନ୍ତି। ପୋଲିସର ପଚରାଉଚରା ବେଳେ ସୁଧୀର କହିଛନ୍ତି ଯେ କେବଳ ହତ୍ୟା ପାଇଁ ସୋନାଲି ଫୋଗଟ୍‌ଙ୍କୁ ଗୁଡ୍‌ଗାଓଁରୁ ଗୋଆ ଅଣାଯାଇଥିଲା। ଗୋଆରେ କୌଣସି ଶୁଟିଂର ଯୋଜନା ନ ଥିଲା, ବରଂ ସୋନାଲିଙ୍କୁ ହତ୍ୟା କରିବାକୁ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର ରଚାଯାଇଥିଲା।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସୋନାଲି ଫୋଗଟ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ବହୁତ ପୂର୍ବରୁ ହିଁ ରଚାଯାଇଥିଲା। ଏହାରି ଭିତରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ଚାର୍ଜଶିଟ୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ କହିଛି, ସମସ୍ତ ପ୍ରାସଙ୍ଗିକ ଦସ୍ତାବିଜ୍‌ ଜବତ କରି ନିଆଯାଇଛି ଏବଂ ଏହା ସୋନାଲି ହତ୍ୟା ମାମଲାରେ ସୁଧୀର ସାଙ୍ଗଓ୍ଵାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ।

ପୋଲିସ ଆଶା କରିଛି ଯେ କୋର୍ଟରେ ଶୁଣାଣି ସମୟରେ ଏହା ମଜଭୁତ ପ୍ରମାଣ ହୋଇ ପାରିବ ଏବଂ ସୋନାଲି ଫୋଗଟ୍‌ଙ୍କ ହତ୍ୟା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବ। ସେପଟେ ସୋନାଲିଙ୍କ ଦୁଇ ଭାଇ ବତନ ଢାକା ଓ ରିଙ୍କୁ ଢାକା କହିଛନ୍ତି, ଗୋଆ ପୋଲିସ ସହ ସେମାନଙ୍କର କଥାବର୍ତ୍ତା ହୋଇଛି। ପୋଲିସ ଆଜି ସୁଧୀରଙ୍କ ରୋହତକସ୍ଥିତ ଘରକୁ ଯାଇପାରେ। ସେଠାରେ ତାଙ୍କ ପରିବାରକୁ ପଚରାଉଚରା କରି ପାରେ। ଏଥି ସହିତ ତାଙ୍କ ଘରର ଯାଞ୍ଚ ମଧ୍ୟ ହୋଇପାରେ।

କହି ରଖୁଛୁ, ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ସୋନାଲିଙ୍କ ହତ୍ୟା ମାମଲାରେ ନିକଟରେ ଆଉ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଥିଲା। ଗୋଆ ମେଡିକାଲ ସୂତ୍ରରୁ ଜଣାପଡ଼ିଥିଲା କି, ସୋନାଲିଙ୍କ ଶରୀରରେ ୪୬ଟି ଆଘାତ ଚିହ୍ନ ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ ସୋନାଲିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଶବଗୃହକୁ ଅଣାଯାଇଥିଲା, ସେତେବେଳେ ଶରୀରରେ କୌଣସି ବି ଆଘାତ ଚିହ୍ନ ନ ଥିବା କୁହାଯାଇଥିଲା।

ସୂଚନାଥାଉ କି, ପୂର୍ବରୁ ସୋନାଲିଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତରୁ ଜଣାପଡ଼ିଥିଲା ଯେ ଅଭିନେତ୍ରୀଙ୍କ ମୃତ୍ୟୁ ହୃଦଘାତରେ ହୋଇନାହିଁ, ବରଂ ତାଙ୍କ ପିଏ ଏବଂ ଘନିଷ୍ଠ ସହଯୋଗୀଙ୍କର ଏହା ଥିଲା ସୁପରିକଳ୍ପିତ ଷଡ଼ଯନ୍ତ୍ର। ପରେ ସୋନାଲିଙ୍କର ଜଣେ ଘନିଷ୍ଠ ବନ୍ଧୁ ଦାବି କରିଥିଲେ କି, ପିଏ ସୁଧୀର ସାଙ୍ଗଓ୍ଵାନ ସୋନାଲିଙ୍କ ଉପରେ ଗୁଣିଗାରେଡ଼ି କରୁଥିଲେ।

ସୋନାଲିଙ୍କ ବନ୍ଧୁ ଋଷଭ ବେନିଓ୍ଵାଲ କହିଥିଲେ, ସୁଧୀର, ସୋନାଲିଙ୍କୁ ବଶୀଭୂତ କରି ରଖିବା ପାଇଁ ତନ୍ତ୍ରବିଦ୍ୟା ଉପଯୋଗ କରୁଥିଲେ। ଏଥିପାଇଁ ସେ ବାରମ୍ବାର ସୋନାଲିଙ୍କ ଫାର୍ମ ହାଉସ୍‌କୁ ଜଣେ ତାନ୍ତ୍ରିକକୁ ଡକାଉଥିଲେ। ଏତିକି ନୁହେଁ, ସୋନାଲିଙ୍କ ଝିଅ ପ୍ରତି ମଧ୍ୟ ସୁଧୀରଙ୍କଠାରୁ ବିପଦ ରହିଛି ବୋଲି ଋଷଭ କହିଥିଲେ।

ପୋଲିସ ତଦନ୍ତ ବେଳେ ରେଷ୍ଟୁରାଣ୍ଟର ଯେଉଁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା, ସେଥିରେ ସୁଧୀର, ସୋନାଲିଙ୍କୁ ଜବରଦସ୍ତି ବୋତଲରେ କିଛି ପିଆଉଥିବାର ଦେଖିବାକୁ ମିଳିଥିଲା, ଯାହାକୁ ପିଇବା କ୍ଷଣି ସୋନାଲି ଥୁକି ଦେଇଥିଲେ। ଅନ୍ୟ ଏକ ଭିଡିଓରେ ସୁଧୀର, ସୋନାଲିଙ୍କୁ କେଉଁଆଡ଼େ ନେଇଯାଉଥିବାର ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.