୬୨ ବର୍ଷୀୟା ଏହି ଡ୍ୟାନ୍ସିଂ ଦାଦିଙ୍କ ନାଚ ଦେଖି ତାଙ୍କ ଫ୍ୟାନ୍ ହୋଇଗଲେ କୋରିଓଗ୍ରାଫର ଟେରେନ୍ସ, ମାଗଣାରେ ଦେଉଛନ୍ତି କୋଚିଂ

ସ୍ୱପ୍ନ ପୂରଣ କରିବାର କୌଣସି ବୟସ ନଥାଏ। ମନରେ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଯେକୌଣସି ବୟସରେ ବି ଜଣେ ନିଜ ସ୍ୱପ୍ନ ପୂରଣ କରିପାରିବ। ଏବେ ସୋସିଆଲ ମିଡିଆରେ ଜଣେ ଡ୍ୟାନ୍ସିଂ ଦାଦିଙ୍କ ଭିଡିଓ ବେଶ୍ ଭାଇରାଲ ହେଉଛି। ୬୨ ବର୍ଷୀୟା ଏହି ଦାଦି ବଲିଉଡ୍ ଗୀତରେ ଡ୍ୟାନ୍ସ କରି ଏମିତି ଧମାଲ କଲେ ଯେ ବଡ଼ ବଡ଼ କୋରିଓଗ୍ରାଫର ବି ଆଶ୍ଚର୍ଯ୍ୟ ହୋଇଗଲେ। ଦିଲଜିତ୍ ଦୋସାଞ୍ଝ ଓ ଟେରେନ୍ସ ଲୁଇସ୍ଙ୍କ ଭଳି ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ସେୟାର କରିଛନ୍ତି।
ଏହି ଡ୍ୟାନ୍ସିଂ ଦାଦିଙ୍କ ନାଁ ରବିବାଲା ଶର୍ମା ଓ ସେ ମୁମ୍ବାଇରେ ରୁହନ୍ତି। ରବିବାଲାଙ୍କର ଦୁଇଟି ସନ୍ତାନ। ସମସ୍ତେ ବିବାହ କରିସାରିଲେଣି ଓ ଏବେ ଦିଲ୍ଲୀରେ ରହୁଛନ୍ତି। ସେ ଜଣେ ସଙ୍ଗୀତ ଶିକ୍ଷୟିତ୍ରୀ ଭାବେ ୨୭ ବର୍ଷ କାମ କରିଛନ୍ତି। କିନ୍ତୁ ଡ୍ୟାନ୍ସିଂ ତାଙ୍କ ପ୍ୟାସନ୍ ବୋଲି କହିଛନ୍ତି ରବିବାଲା। ସେ ତାଙ୍କ ବାପାଙ୍କ ଠାରୁ କଥକ ଶିକ୍ଷା କରିଛନ୍ତି।
ଏବେ ପିଲାମାନେ ବଡ଼ ହୋଇଯାଇଥିବାରୁ ତାଙ୍କ ଉପରେ କୌଣସି ଦାୟିତ୍ୱ ନାହିଁ। ଏଣୁ ଏବେ ସେ କେବଳ ନିଜ ପାଇଁ ବଞ୍ଚିବାକୁ ଚାହାଁନ୍ତି ବୋଲି କହିଛନ୍ତି ରବିବାଲା। ସେ ପିଲାବେଳର ଡ୍ୟାନ୍ସ କରିବା ଇଚ୍ଛାକୁ ଏବେ ପୂରଣ କରୁଛନ୍ତି ବୋଲି କହିଛନ୍ତି। ସେ ନିଜ ଡ୍ୟାନ୍ସ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ତା ପରେ ତାଙ୍କ ଭିଡିଓକୁ ଟେରେନ୍ସ ମଧ୍ୟ ନିଜ ଷ୍ଟୋରୀରେ ସେୟାର କରିଥିଲେ। ଏଥିସହ ଟେରେନ୍ସ ତାଙ୍କୁ ବଲିଉଡ୍ରେ ଡ୍ୟାନ୍ସ ଶିଖିବାକୁ ମଉକା ବି ଦେଇଛନ୍ତି ବୋଲି ରବିବାଳା କହିଛନ୍ତି। ଏବେ ସେ ଟେରେନ୍ସଙ୍କ ଠାରୁ ଅନ୍ଲାଇନ୍ରେ ମାଗଣାରେ ଡ୍ୟାନ୍ସ ଶିଖୁଛନ୍ତି।