ଅଭିନୟ ପାଇଁ ମାତ୍ର ୧୬ ବର୍ଷ ବୟସରେ ପାଠ ପଢ଼ା ଛାଡିଥିଲେ ଏହି ଅଭିନେତ୍ରୀ, ରାତାରାତି ପାଲଟି ଥିଲେ ସୁପର ହିଟ ଆକ୍ଟ୍ରେସ
ବିଗତ ଦିନ ମାନଙ୍କରେ ନିଜ ଚୁଲବୁଲି ପଣ ତଥା ନିଖୁଣ ଅଭିନୟରେ ଏକ ସ୍ୱତନ୍ତ୍ର ଛାପ ଛାଡିଥିଲେ ଅଭିନେତ୍ରୀ ଦିବ୍ୟା ଭାରତୀ । ଆଜି ହେଉଛି ତାଙ୍କର ଜନ୍ମଦିନ । ୯୦ ଦଶକରେ ସେ ଜଣେ ଏମିତି ଅଭିନେତ୍ରୀ ଥିଲେ ଯିଏ ମାତ୍ର କିଛି ହାତ ଗଣତି ଫିଲ୍ମରେ ଅଭିନୟ କରି ମଧ୍ୟ ରାତାରାତି ପ୍ରସିଦ୍ଧି ଲାଭ କରିଥିଲେ । ନିଜର ଏହି ସ୍ୱଳ୍ପ ସମୟର କ୍ୟାରିୟରରେ ବି ଦିବ୍ୟା ଅନେକ ବଡ ବଡ କଳାକାରଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଆଜି ତାଙ୍କ ଜନ୍ମ ଦିନରେ ତାଙ୍କ ସହ ଜଡିତ କିଛି ଖାସ କଥା ଆପଣଙ୍କ ସହ ଆମେ ସେୟାର କରିବାକୁ ଯାଉଛୁ । ଦିବ୍ୟାଙ୍କ ଜନ୍ମ ୧୯୭୪ମସିହା ଫେବୃଆରୀ ମାସ ୨୫ ତାରିଖରେ ହୋଇଥିଲା । ପିଲାଟି ଦିନରୁ ହିଁ ଅଭିନୟ ଜଗତ ପ୍ରତି ଆକୃଷ୍ଟ ଥିଲେ । ଆଉ ବୋଧ ହୁଏ ସେହି କାରଣରୁ ମାତ୍ର ୧୬ ବର୍ଷ ବୟସରେ ପାଠପଢା ଛାଡି ଅଭିନୟ କ୍ଷେତ୍ରରେ ପାଦ ଥାପିଥିଲେ । ୧୯୯୦ରେ ତେଲୁଗୁ ସିନେମା “ବୋବବିଲି ରାଜା”ରୁ ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ ।
ଏହା ପରେ ସାଉଥର ଅନେକ ସିନେମାରେ ଅଭିନୟ କରିଛନ୍ତି । ଆଉ ମାତ୍ର ୧୯ ବର୍ଷ ବୟସରେ ୧୯୯୨ରେ “ବିଶ୍ୱାତ୍ମା” ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିଥିଲେ । ଆଉ ପ୍ରଥମ ସିନେମାରୁ ହିଁ ଦର୍ଶକଙ୍କ ହୃଦୟରେ ରାଜ କରି ବସିଥିଲେ ସୁନ୍ଦରୀ ଦିବ୍ୟା । ଆଉ ଏହି ଚଳଚିତ୍ରର ଗୋଟେ ଗୀତ “ସାତ ସମନ୍ଦର ପାର”କୁ ଫ୍ୟାନ୍ସ ମାନେ ଏବେ ବି ମନେ ରଖିଛନ୍ତି । ଏହା ପରେ ପରେ ରୁଷି କପୁର, ଶାହରୁଖ ଖାଁ ଓ ସୁନୀଲ ସେଟ୍ଟୀଙ୍କ ପରି ବଡ ବଡ ହସ୍ତୀ ମାନଙ୍କ ସହ କାମ କରିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ । ଦିଲ କା କ୍ୟା କସୁର, ଶୋଲା ଔର ଶବନମ, ଦିବାନା, ବଳବାନ, ଦିଲ ହି ତୋ ହେ ପରି ଅନେକ ସୁପରହିଟ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି । ନିଜ କାମ ବ୍ୟତୀତ ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଅଧିକ ଜୋର ଧରିଥିଲା । ଶୁଣାଯାଏ କି ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ ସାଜିଦ ନାଡୀୱାଲାଙ୍କ ସହ ଲୁଚାଛପାରେ ବିବାହ କରିଥିଲେ ।
ଆଉ ତାଙ୍କର ଏହି ବିବାହକୁ ତାଙ୍କ ପରିବାର ଲୋକେ ବିରୋଧ କରିଥିଲେ । କିନ୍ତୁ ୧୯୯୩ ଏପ୍ରିଲ ୫ ରେ ଏମିତି କିଛି ଘଟିଥିଲା ଯାହା ଦିବ୍ୟାଙ୍କ ଫ୍ୟାନ୍ସ ମାନଙ୍କୁ ଦୋହଲାଇ ଦେଇଥିଲା । ସେହି ରାତିରେ ମୁମ୍ବାଇ ସ୍ଥିତ ବରସୋବା ଅଂଚଳରେ ଏକ ପାଞ୍ଚ ମହଲା ବିଲଡିଂଗରୁ ପଡି ତାଙ୍କର ମୃତ୍ୟୁ ହୋଇଥିଲା । କିଛି ଜଣ ଏହାକୁ ଆତ୍ମହତ୍ୟା ବୋଲି ଧରିଥିବା ବେଳେ କିଛି ଜଣ ଏହାକୁ ହତ୍ୟାର ବୋଲି ଦାବି କରି ଆସୁଥିଲେ । ଏହି ମାମଲାକୁ ନେଇ ପ୍ରମାଣ ଏକାଠି କରିବାରେ ମୁମ୍ବାଇ ପୋଲିସ ବିଫଳ ହୋଇଥିବା ବେଳେ ଘଟଣାର ପାଖାପାଖି ପାଞ୍ଚ ବର୍ଷ ପରେ ୧୯୯୮ ମସିହାରେ କେଶ ଟିକୁ ବନ୍ଦ କରି ଦିଆଯାଇଥିଲା ।