ପାୱାର ଷ୍ଟାରଙ୍କୁ ଜଙ୍ଗଲ ବିଭାଗର ଶ୍ରଦ୍ଧାଞ୍ଜଳି, ହାତୀ ଛୁଆର ନାଁ ରଖାଗଲା ପୁନିତ ରାଜକୁମାର

ପୁନିତ ରାଜକୁମାରଙ୍କ ଅକାଳ ମୃତ୍ୟୁ ପରେ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯେମିତି ଏକ ବଡ ଝଟକା ଲାଗିଛି । ପୁନିତଙ୍କ ଫ୍ୟାନ୍ସ ମାନେ ବି ତାଙ୍କ ସ୍ମୃତି ସବୁକୁ ଏଯାବତ ମନରୁ ପାସୋରି ପାରି ନାହାନ୍ତି । କହିରଖୁଛୁକି ଅକ୍ଟୋବର ୨୯  ତାରିଖ ଦିନ ହୃଦଘାତରେ ପୁନିତଙ୍କର ମାତ୍ର ୪୬ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ଏମିତି ଏକ ଘଟଣାରେ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ରାଜନୀତି କ୍ଷେତ୍ର ପର୍ଯ୍ୟନ୍ତ ବ୍ୟକ୍ତିବିଶେଷ ମାନେ ଯେମିତି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛନ୍ତି । କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି ଏକ ଅପୂରଣୀୟ କ୍ଷତିକୁ ହୁଏତ ଆଉ କେହି ବି ଭରିପାରିବେ ନାହିଁ । କିନ୍ତୁ ପୁନିତଙ୍କ ଭଳି ନିଖୁଣଙ୍କ ଅଭିନେତାଙ୍କ ସ୍ମୃତି ସବୁକୁ ମନେରଖିବା ପାଇଁ କର୍ଣ୍ଣାଟକ ଜଙ୍ଗଲ ବିଭାଗ ପକ୍ଷରୁ ଏକ ଛୋଟ ଚେଷ୍ଟା କରାଯାଇଛି । ଶ୍ରୀଭମୋଗା ତାଲୁକ ନିକଟସ୍ଥ ସକ୍ରେବାଇଲୁ ଜଙ୍ଗଲର ୨ ବର୍ଷର ଛୋଟ ହାତୀ ଛୁଆର ନାଁ ପୁନିତ କୁମାର ବୋଲି ରଖାଯାଇଛି ।

 

 

ଏବାବଦରେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛିକି, କିଛି ମାସ ତଳେ ପୁନିତ ଏକ ସରକାରୀ ବିଜ୍ଞାପନର ସୁଟିଂ କାର୍ଯ୍ୟରେ ସେହି ଜଙ୍ଗଲକୁ ଯାଇଥିଲେ । ଆଉ ଏହି ସମୟରେ ୨ ବର୍ଷର ହାତୀ ଛୁଆ ସହିତ ଖୁବ ଖେଳିଥିଲେ । ତା ସହିତ ଅନେକ ସମୟ ବି ବିତେଇଥିଲେ । ଏହି କାରଣରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଶ୍ରୀଭମୋଗା ଜଙ୍ଗଲ ଅଧିକାରୀ ଆହୁରି ମଧ୍ୟ କହିଛନ୍ତିକି, ପୁନିତ ଏଠାରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ କାଟିଥିଲେ । ଜଙ୍ଗଲ ବିଭାଗ କର୍ମଚାରୀ ତଥା ସାଧାରଣ ଜନତାଙ୍କ ଅନୁରୋଧ ପରେ ଏପରି ଏକ ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି ।

କହିରଖୁଛୁଯେ ପୁନିତ ଖାଲି ଜଣେ ଅଭିନେତା ନଥିଲେ ସେଜଣେ ପ୍ଲେ ବ୍ୟାକ ସିଙ୍ଗର ମଧ୍ୟ । ଏହା ବାଦ ସେ ଆଙ୍କରିଂ ଓ ପ୍ରଯୋଜନା ମଧ୍ୟ କରନ୍ତି । କନ୍ନଡ ସିନେମାକୁ ତାଙ୍କର ଦାନ ଅତୁଳନୀୟ । ସେ ପ୍ରାୟ ୨୯ରୁ ଅଧିକ ସଂଖ୍ୟକ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେ ଜଣେ ଶିଶୁ କଳାକାର ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ସ୍ନେହରେ ପାୱାର ଷ୍ଟାର ବୋଲି ଡାକନ୍ତି ।

Leave A Reply

Your email address will not be published.