ପ୍ରାୟ ୫୦ ବର୍ଷ ପରେ ଜିତେନ୍ଦ୍ରଙ୍କ ବିରୋଧରେ ଆସିଥିଲା ଏଇ ଗୁରୁତର ଅଭିଯୋଗ

ବଲିଉଡର ସବୁଠୁର ହ୍ୟାଣ୍ଡସମ ହିରୋ ଥିଲେ ସେ । ସତୁରୀରୁ ନବେ ଦଶକ ଯାଏ ବହୁ ହିଟ୍ ଫିଲ୍ମ ଦେଇଛନ୍ତି । ବିଶେଷ କରି ଶ୍ରୀଦେବୀଙ୍କ ସହ ତାଙ୍କର ଯୋଡ଼ି ଥିଲା ସୁପରହିଟ୍ । ସେ ଆଉ କେହି ନୁହନ୍ତି ‘ଜମ୍ପିଂ ଜ୍ୟାକ୍’ ଭାବେ ପରିଚିତ ଜିତେନ୍ଦ୍ର ଓ ଓରଫ ରବି କପୁର । ଏବେ ଜିତେନ୍ଦ୍ର ଆଉ ଅଭିନୟ ଦୁନିଆରେ ସକ୍ରିୟ ନୁହନ୍ତି । ତାଙ୍କ ଝିଅ ଏକତା କପୁର ମେଗା ଧାରାବାହିକ କରି ବେଶ୍ ସଫଳତା ଅର୍ଜନ କରୁଥିବା ବେଳେ ପୁଅ ତୁଷାର କପୁର ଖୁବ୍ କମ୍ ଫିଲ୍ମରେ ଅଭିନୟ କରୁଛନ୍ତି । ଏପଟେ ଜିତେନ୍ଦ୍ର ନିଜ ଘରେ ସମୟ ବିତାଉଛନ୍ତି । ଶେଷ ଥର ସେ ନଜର ଆସିଥିଲେ ହେମାମାଳିନୀଙ୍କ ଜନ୍ମ ଦିନରେ ଗତ ଅକଟୋବର ୧୨ ତାରିଖରେ । କହିଥିଲେ କିଭଳି ପରିବାର ସହ ସମୟ କଟାଉଛନ୍ତି । ଏବେ ତାଙ୍କ ବୟସ ୭୫ ବର୍ଷ ।

jeetendra family

ତେବେ ଏକଦା ବଲିଉଡର ସବୁଠାରୁ ଭଦ୍ର ନାୟକ ବୋଲି କୁହାଯାଉଥିବା ଜିତେନ୍ଦ୍ରଙ୍କ ବିରୋଧରେ ମଧ୍ୟ ଆସିଥିଲା ମି-ଠୁ ଅଭିଯୋଗ । ଅବଶ୍ୟ ଯେତେବେଳେ ଏହି ଅଭିଯୋଗ ଆସିଥିଲା ସେତେବେଳେ ଏଇ ମି-ଠୁ ଶବ୍ଦଟି ବାହାରକୁ ଆସିନଥିଲା ।

ଏବେ ଘଟଣାଟି କହୁଛୁ । ଗତ ମାର୍ଚ୍ଚ ୭ ତାରିଖରେ ଗଣମାଧ୍ୟମରେ ଖବର ପ୍ରକାଶ ହେଲା ଯେ ଶିମଳା ପୋଲିସ୍ ନିକଟରେ ଜିତେନ୍ଦ୍ର ବିରୋଧରେ ଜଣେ ମହିଳା ଆଣିଛନ୍ତି ଯୌନ ଶୋଷଣ ଅଭିଯୋଗ । ଅଭିଯୋଗକାରିଣୀ ହେଲେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ । କଥା କଣ ବୁଝିଲା ବେଳକୁ ଜଣାପଡ଼ିଲା ଯେ ଘଟଣାଟି ହେଉଛି ୪୭ ବର୍ଷ ତଳର । ୧୯୭୧ ମସିହା ଜାନୁଆରୀ ମାସରେ ଏକ ଫିଲ୍ମ ସୁଟିଂ ସାରି ଶିମଳାରୁ ତାଙ୍କ ଦିଲ୍ଲୀ ସ୍ଥିତ ଘରକୁ ଆସିଥିଲେ । ଘରେ ପହଞ୍ଚିବା ପରେ ତାଙ୍କୁ ଧରି ସେ ରହୁଥିବା ହୋଟେଲ ରୁମକୁ ନେଇ ଅସଦାଚରଣ କରିଥିଲେ । ସେତେବେଳେ ଜିତେନ୍ଦ୍ର ପୂରା ମଦ ନିଶାରେ ଚୁର୍ ଥିଲେ । ଏସବୁ ଦୁଇ ପୃଷ୍ଠାର ଏତଲାରେ ଲେଖା ଯାଇଥିଲେ ମଧ୍ୟ ହୋଟେଲର ନାଁ ଉଲ୍ଲେଖ ହୋଇ ନଥିଲା । ଏପରିକି ପୋଲିସ୍ ସେହି ଅଭିଯୋଗକାରିଣୀଙ୍କ ପରିଚୟ ମଧ୍ୟ ଦେଇ ନଥିଲା । ମହିଳା ଜଣକ କହିଥିଲେ ଯେ ଘଟଣା ସମୟରେ ତାଙ୍କୁ ୧୮ ବର୍ଷ ଓ ଜିତେନ୍ଦ୍ରଙ୍କୁ ୨୮ ବର୍ଷ ବୟସ ହୋଇଥିଲା ।

ଦିଲ୍ଲୀର ଜଣେ ଓକିଲଙ୍କ ଜରିଆରେ ଅଭିଯୋଗପତ୍ର ପଠା ଯାଇଥିଲା । ତାଙ୍କ ଅଭିଯୋଗ କ୍ରମେ ନ୍ୟୁ ସିମଲା ମହିଳା ଥାନା ଜିତେନ୍ଦ୍ରଙ୍କ ବିରୋଧରେ ଆଇପିସି ଧାରା ୩୫୪ ଅନୁଯାୟୀ ମାମଲା ରୁଜୁ କରିଥିଲା । ଏହା ପରେ ସ୍ଥାନୀୟ ଏସପି ଭିଡିଓ କନଫରେନସିଂରେ ଅଭିଯୋଗକାରିଣୀଙ୍କ ସହ କଥା ହୋଇ ତାଙ୍କ ଷ୍ଟେଟମେଣ୍ଟ ରେକର୍ଡ଼ କରିଥିଲେ ।

ଅନ୍ୟପକ୍ଷରେ ଜିତେନ୍ଦ୍ର ତାଙ୍କ ଓକିଲ ଜରିଆରେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା ବୋଲି ସ୍ପଷ୍ଟ କରିଥିଲେ ।

ନିୟମ କଣ କହୁଛି

ତେବେ ଆଇନ୍ ଅନୁଯାୟୀ ଏଭଳି କୌଣସି ଭିତ୍ତିହୀନ ଅଭିଯୋଗକୁ କୋର୍ଟ ଗ୍ରହଣ କରନ୍ତି ନାହିଁ । ଯଦିବି ସେଭଳି କିଛି ଗୁରୁତର ଅଭିଯୋଗ ରହିଛି ତାକୁ ଅତି ବେଶିରେ ତିନି ବର୍ଷ ମଧ୍ୟରେ ପୋଲିସରେ ଜଣାଇବାକୁ ପଡ଼ିବ । ଯାହାଫଳରେ ଘଟଣାର ସଠିକ ତଦନ୍ତ ହୋଇ ପାରିବ । କିନ୍ତୁ ଜିତେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ହେଉଛି ପ୍ରାୟ ୫୦ ବର୍ଷ ତଳର । ତେଣୁ ଏହାର କୌଣସି ବାସ୍ତବତା ନାହିଁ ବୋଲି ତାଙ୍କ ଓକିଲ କହିଥିଲେ ।

ଶ୍ରୀଦେବୀ କାହିଁକି ଦୂରେଇ ଯାଇଥିଲେ ଜିତେନ୍ଦ୍ରଙ୍କ ଠାରୁ

SRILATA

ପ୍ରଥମେ ’ସୋଲୱା ସାୱନ’ ଫିଲ୍ମ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ଶ୍ରୀଦେବୀ। ଏହି ଫିଲ୍ମଟି କିନ୍ତୁ ଫ୍ଲପ୍ ହୋଇ ଯାଇଥିଲା । ତା ପରେ ଶ୍ରୀ ଫେରି ଯାଇଥିଲେ ତାଙ୍କ ନିଜସ୍ବ ଦକ୍ଷିଣ ଭାରତୀୟ ଫିଲ୍ମ ଦୁନିଆକୁ । ଏହା ପରେ ନିର୍ଦ୍ଦେଶକ କେ. ରାଘବେନ୍ଦ୍ର ରାଓ ‘ହିମ୍ମତୱାଲା’ରେ ଶ୍ରୀଦେବୀଙ୍କୁ ଆଣିଲେ ଜିତେନ୍ଦ୍ରଙ୍କ ନାୟିକା କରି । ଫିଲ୍ମ ସହ ରାତାରାତି ସୁପର ହିଟ୍ ହୋଇଗଲେ ଶ୍ରୀଦେବୀ । ତା ପରେ କିନ୍ତୁ ଜିତେନ୍ଦ୍ର-ଶ୍ରୀଦେବୀ ଫିଲ୍ମର ଧାଡ଼ି ଲାଗିଲା । ଉଭୟ ପ୍ରାୟ ୧୫ଟି ଫିଲ୍ମରେ ହିରୋ-ହିରୋଇନ୍ ଭାବେ କାମ କରିବା ପରେ ଅଚାନକ ଅଲଗା ହୋଇଗଲେ । ଏହାର ରହସ୍ୟ ଏବେବି କେହି ଖୋଜି ନାହାନ୍ତି ।

ତେବେ ଶୁଣିବାକୁ ମିଳିଲା ଯେ ସେତେବେଳେ ସୁଟିଂରେ ଶ୍ରୀଦେବୀଙ୍କ ସହ ସବୁ ବେଳେ ତାଙ୍କ ସାନ ଭଉଣୀ ଶ୍ରୀଲତା ଯାଉଥିଲେ । ସେ ବି ଶ୍ରୀଦେବୀଙ୍କ ଭଳି ସୁନ୍ଦର ଥିଲେ । ତାଙ୍କୁ ଫିଲ୍ମରେ ଅଭିନୟ କରିବାକୁ ପ୍ରବର୍ତ୍ତାଇଲେ ଜିତେନ୍ଦ୍ର । ଏହା ସହିତ ତାଙ୍କୁ ଫସାଇବାକୁ ଚେଷ୍ଟା କଲେ । ଜିତେନ୍ଦ୍ରଙ୍କ ମତିଗତି ଦେଖି ଶ୍ରୀ ତାଙ୍କ ଠାରୁ ଦୂରେଇ ଗଲେ ।

ନିକଟରେ ଜଣେ ଫିଲ୍ମ ସାମ୍ବାଦିକ ଶ୍ରୀଦେବୀଙ୍କ ମନ୍ତବ୍ୟକୁ ଉଦ୍ଧାର କରି ଲେଖିଥିଲେ ଯେ ଶ୍ରୀଦେବୀ କହିଥିଲେ ବଲିଉଡରେ ପୁନଃପ୍ରବେଶ ବେଳେ ‘ହିମ୍ମତୱାଲା’ରେ ଅଭିନୟ କରିବା ଥିଲା ତାଙ୍କର ସବୁଠାରୁ ବଡ଼ ଭୁଲ । ଯେଉଁଥିପାଇଁ ତାଙ୍କର ସଦମା ଭଳି ଫିଲ୍ମ ସେତେ ଚାଲିଲା ନାହିଁ କି ତାଙ୍କୁ ମଧ୍ୟ ଭଲ ଅଭିନୟ କରିବାର ସୁଯୋଗ ଥିବା ଚରିତ୍ର ମିଳିଲା ନାହିଁ । ଅବଶ୍ୟ ତାଙ୍କର ଇଙ୍ଗିତ ଭଲ ଚରିତ୍ରରେ ଅଭିନୟ ପ୍ରତି ଥିଲା କି ଜିତେନ୍ଦ୍ରଙ୍କ ପ୍ରତି ରହିଥିଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଶ୍ରୀଲତାଙ୍କ ଘଟଣା ଜିତେନ୍ଦ୍ରଙ୍କ କ୍ୟାରିୟରରେ ଏକ କଳାଦାଗ ବୋଲି କୁହାଯାଏ । ଜିତେନ୍ଦ୍ରଙ୍କ ଠାରୁ ଅଲଗା ହେବା ପରେ ଶ୍ରୀଦେବୀ ଆଉ ତାଙ୍କ ସହିତ ସମ୍ପର୍କ ରଖି ନଥିଲେ । କେବଳ କୌଣସି ପାଟର୍ଇରେ ଦେଖା ହେଲେ ସାମନା ସାମନି ହେଉଥିଲେ । ଆଶ୍ଚର୍ଯ୍ୟ ଲାଗେ, ବଲିଉଡରେ ପାଦ ଥାପିବାକୁ ତାଙ୍କୁ ଯିଏ ଏତେ ସାହାଯ୍ୟ କରିଥିଲେ, ସେ ଲୋକ ପ୍ରତି ଏତେ ବିମୁଖ କାହିଁକି ହେଲେ ଶ୍ରୀ ? ଏଇ ପ୍ରଶ୍ନର ଉତ୍ତର ଶ୍ରୀଲତାଙ୍କ ଘଟଣା ନୁହେଁ ତ? ଅବଶ୍ୟ ଶ୍ରୀଦେବୀଙ୍କ ଶେଷକୃତ୍ୟ ବେଳେ ଶ୍ମଶାନକୁ ଯାଇଥିଲେ ଜିତେନ୍ଦ୍ର ।

ମୀନାକ୍ଷି ବି ଆପତ୍ତି କରିଥିଲେ

JEETENDRA-MEENAKHI

କାହାର ଚରିତ୍ର ସଂହାର କରିବା ଆମର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ଅଭିଯୋଗ ଆସିଲେ ଚର୍ଚ୍ଚା ହୁଏ । ଅବଶ୍ୟ ଜିତେନ୍ଦ୍ରଙ୍କୁ ଅନେକ ହିରୋଇନ୍ ଅତି ଭଦ୍ର ବୋଲି କୁହନ୍ତି । ଏମିତିକି ସୁଟିଂ ବେଳେ ମହିଳାଙ୍କ ପ୍ରତି ତାଙ୍କ ବ୍ୟବହାରକୁ ତାରିଫ କରନ୍ତି । ତଥାପି ଶ୍ରୀଦେବୀଙ୍କ ଭଳି ମୀନାକ୍ଷୀ ଶେଷାଦ୍ରି ମଧ୍ୟ ଜିତେନ୍ଦ୍ରଙ୍କ ଠାରୁ ଦୂରେଇ ଯାଇଥିଲେ । ଗୋଟିଏ ଦୁଇଟି ଫିଲ୍ମ ପରେ ଆଉ ତାଙ୍କ ସହ ନାୟିକା ଭାବେ ଅଭିନୟ କରିନଥିଲେ । ସୁଟିଂ ବେଳେ ଆପତ୍ତି ଉଠାଇଥିଲେ ଜିତେନ୍ଦ୍ରଙ୍କ ବ୍ୟବହାର ନେଇ । ଯାହା ତାଙ୍କ ପ୍ରତି ଅସଦାଚରଣକୁ ସୂଚାଉଥିଲା ।

ଲଭର ବୟ

jitendra'

ନିଜ ଯୁବା ଅବସ୍ଥାରେ ଜିତେନ୍ଦ୍ରଙ୍କ ନାଁ ହେମା ମାଳିନୀ, ବବିତା, ଲୀନା ଚନ୍ଦ୍ରୱାକରଙ୍କ ସହ ଯୋଡ଼ା ଯାଇଥିଲା । ସେ ଅନେକ ନୂଆ ହିରୋଇନଙ୍କ ସହିତ ମଧ୍ୟ କାମ କରିଛନ୍ତି । ଏମିତିକି ସେ ହେମାମାଳିନୀଙ୍କୁ ବିବାହ କରିବେ ବୋଲି ଜୋର ଚର୍ଚ୍ଚା ହେଲା । କିନ୍ତୁ ଶେଷରେ ସେ ବାହା ହେଲେ ଶୋଭାଙ୍କୁ । ଯାହାଙ୍କର ଫିଲ୍ମ ସହିତ ସିଧାସଳଖ ସମ୍ପର୍କ ନଥିଲା । ତାଙ୍କ ନିକଟତମ ବନ୍ଧୁଙ୍କ ଠାରୁ ଏମିତି କିଛି ଶୁଣା ଯାଉଥିଲା ଯେ ଜିତେନ୍ଦ୍ର କାହାକୁ ବାହା ହେବେ ସେ ନିଷ୍ପତ୍ତି ନେବା ପାଇଁ ଅନେକ ଦିନ ଚିନ୍ତାରେ ପଡ଼ି ଯାଇଥିଲେ । ଶେଷରେ ଶୋଭାଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.