ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ନିଜ ଆଗାମୀ ଫିଲ୍ମ‘‘ଦ ସ୍କାଏ ଇଜ୍ ପିଙ୍କ୍’’ର ପ୍ରମୋସନ୍ରେ ବ୍ୟସ୍ତ ଅଛନ୍ତି। ସୋନାଲି ବୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅକ୍ଟୋବର ୧୧ ତାରିଖରେ ରିଲିଜ୍ ହେବାକୁ ଯାଉଛି। ନିକଟରେ ପ୍ରିୟଙ୍କା କପିଲଙ୍କ ଶୋ’ରେ ଫିଲ୍ମର ପ୍ରମୋସନ୍ ପାଇଁ ପହଞ୍ଚିଥିଲେ। ସେଠାରେ କପିଲ ପ୍ରିୟଙ୍କାଙ୍କ ସହ ବହୁତ ମଜାମସ୍ତି କରିଥିଲେ। କପିଲଙ୍କ ମଜାଳିଆ ପ୍ରଶ୍ନ ଶୁଣି ପ୍ରିୟଙ୍କା ହସିହସି ବେଦମ୍ ହୋଇଯାଇଥିବା ଦେଖିବାକୁ ମିଳିଥିଲା।
ଶୋ’ରେ କପିଲ ପ୍ରିୟଙ୍କାଙ୍କୁ ନିକ୍ଙ୍କ ବିଷୟରେ ପ୍ରଶ୍ନ ପଚାରିଥିଲେ। ସବୁ ଜ୍ୱାଇଁଙ୍କ ଭଳି ନିକ୍ ମଧ୍ୟ ପ୍ରିୟଙ୍କାଙ୍କ ମା’ ବା ନିଜ ଶାଶୁଙ୍କୁ ପାଦ ଛୁଇଁଥାନ୍ତି ନା କିସ୍ କରିଥାନ୍ତି ବୋଲି କପିଲ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନ ଶୁଣି ଦର୍ଶକଙ୍କ ସମେତ ପ୍ରିୟଙ୍କା ମଧ୍ୟ ହସି ହସି ବେଦମ୍ ହୋଇଯାଇଥିଲେ। ପ୍ରିୟଙ୍କା ଜବାବରେ କହିଥିଲେ ଯେ, ‘ଦୁଇଟି ଯାକର ମଝି କାମ ନିକ୍ କରିଥାନ୍ତି, ସେ ମମିଙ୍କୁ ଆଲିଙ୍ଗନ କରିଥାନ୍ତି।’
ସୂଚନାଯୋଗ୍ୟ ଯେ, ପ୍ରିୟଙ୍କାର ମା’ମଧୁ ଚୋପ୍ରା ସେତେବେଳେ ଦର୍ଶକଙ୍କ ମଧ୍ୟରେ ବସି କପିଲଙ୍କ ଶୋ’ର ମଜା ନେଉଥିଲେ। ସେ ମଧ୍ୟ ପ୍ରିୟଙ୍କା କଥାରେ ସମ୍ମତି ପ୍ରକାଶ କରି ହସିଥିବା ଦେଖିବାକୁ ମିଳିଥିଲା। ପ୍ରିୟଙ୍କାଙ୍କ ଆଗାମୀ ଫିଲ୍ମ ଦ ସ୍କାଏ ଇଜ୍ ପିଙ୍କ୍ର ପ୍ରିମିୟର ଟରଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ରଖାଯାଇଥିଲା। ଏ ଅବସରରେ ପ୍ରିୟଙ୍କା ଚୋପ୍ରା, ଫରହାନ ଅଫତର ଓ ସୋନାଲି ବୋଷଙ୍କ ସମେତ ଅନ୍ୟ କଳାକାର ଉପସ୍ଥିତ ଥିଲେ।