ଜୀବିକା ଉଜାଡ଼ି ଦେଲା କରୋନା, କାମ ମିଳୁନଥିବାରୁ ବିଷ ପିଇଲେ କପିଲ ଶର୍ମାଙ୍କ କୋ-ଷ୍ଟାର ଏହି ଲୋକପ୍ରିୟ ଅଭିନେତା

କରୋନା ଯୋଗୁ ଲୋକଙ୍କ ଜୀବନ ଯାପନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ମହାମାରୀ କିଛି ଲୋକଙ୍କ ଜୀବନ ନେଇଥିବା ବେଳେ ଅନେକ ଲୋକଙ୍କର ଜୀବିକା ଉଜାଡ଼ି ଦେଇଛି। ଏହି କାରଣରୁ ଲୋକମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଥିବାର ଅନେକ ନଜିର ରହିଛି। ତେବେ ନିକଟରେ ଜଣେ ବଲିଉଡ୍‌ ଅଭିନେତା ଆର୍ଥିକ ଅଭାବ ଯୋଗୁ ସୁଇସାଇଡ୍‌ କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଛି। ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ପରେ ଏବେ ଉକ୍ତ ଅଭିନେତା ସୁସ୍ଥ ଥିବା ଜଣାଯାଇଛି।

ଏହି ଅଭିନେତା ଜଣକ ହେଉଛନ୍ତି କମେଡିଆନ୍‌ କପିଲ ଶର୍ମାଙ୍କ କୋ-ଷ୍ଟାର ତୀର୍ଥାନନ୍ଦ। ତୀର୍ଥାନନ୍ଦ ଇଣ୍ଡଷ୍ଟ୍ରୀରେ ଦ୍ୱିତୀୟ ନାନା ପାଟେକର ଭାବେ ଜଣାଶୁଣା। ସେ ନାନା ପାଟେକରଙ୍କୁ ଫଲୋ କରିବା ସହ ତାଙ୍କ ଭଳି ଗେଟ୍‌ଅପ୍‌ ବି ରଖିଛନ୍ତି। ଏଣୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ୧୫ ବର୍ଷ ହେଲା ନାନା ପାଟେକର ଭାବେ ବେଶ୍‌ ପରିଚିତ। କିନ୍ତୁ କରୋନା ଯୋଗୁ ତୀର୍ଥାନନ୍ଦଙ୍କ ରୋଜଗାର ଚାଲିଗଲା। ପାଖରେ ଯାହା ସଞ୍ଚୟ ଥିଲା ତାହା ବି ଏବେ ଧୀରେ ଧୀରେ ସରିଗଲାଣି। ସେହି ଚିନ୍ତାରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପଡ଼ୋଶୀମାନେ ତାଙ୍କୁ ବଞ୍ଚାଇ ଦେଇଛନ୍ତି।

ତେବେ ତୀର୍ଥାନନ୍ଦଙ୍କ କହିବାନୁସାରେ, ତାଙ୍କ ପରିବାରରେ ମା’ ଓ ଭାଇ ତାଙ୍କୁ ପଚାରନ୍ତି ନାହିଁ। ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିଛନ୍ତି। ତାଙ୍କର ଏକ ଝିଅ ଥିଲା, ଯାହାର ବିବାହ ନିକଟରେ ସରିଛି। ସେ ବି ତୀର୍ଥାନନ୍ଦଙ୍କ ସହ କଥା ବାର୍ତ୍ତା କରନ୍ତି ନାହିଁ। ଏଭଳି ସ୍ଥିତିରେ ଅଭିନୟ କରି ସେ ପେଟ ପୋଷୁଥିଲେ। କିନ୍ତୁ କରୋନା ଯୋଗୁ ତାଙ୍କ ରୋଜଗାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏଣୁ ହତାଶ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିଲେ। କିନ୍ତୁ ପୋଲିସ, ଡାକ୍ତର ଓ ବନ୍ଧୁ ବାନ୍ଧବମାନେ ବୁଝାଇବା ପରେ ଏବେ ସେ ଏହି କାମ ପାଇଁ ଲଜ୍ଜା ଅନୁଭବ କରୁଥିବା କହିଛନ୍ତି।

ପ୍ରକାଶ ଯେ ୨୦୧୬ ମସିହାରେ ତୀର୍ଥାନନ୍ଦ କପିଲ ଶର୍ମାଙ୍କ ସହ ଷ୍ଟେଜ୍‌ ସେୟାର କରିଥିଲେ। ସେ ଗୁଜୁରାଟୀ, ହିନ୍ଦୀ, ତାମିଲ ଫିଲ୍ମରେ ବି ଅଭିନୟ କରିଛନ୍ତି। କପିଲ ଶର୍ମାଙ୍କ ଶୋ’ ପାଇଁ ମଧ୍ୟ ତାଙ୍କୁ ଅଫର ମିଳିଥିଲା। କିନ୍ତୁ ଅନ୍ୟ କାମ ଥିବାରୁ ସେ ଏହି କାମ କରିପାରିନଥିଲେ। ଏଣୁ ଦେହ ଟିକେ ଭଲ ହେଲେ ସେ କପିଲ ଶର୍ମାଙ୍କୁ କାମ ମାଗିବେ ବୋଲି କହିଛନ୍ତି ତୀର୍ଥାନନ୍ଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.