ଦିନେ ସମୁଦ୍ରକୁ ଡେଇଁ ଜୀବନ ହାରିବାକୁ ଚାହୁଁଥିଲେ କମେଡିଆନ୍‌ କପିଲ ଶର୍ମା

କମେଡି ଦୁନିଆର ଏବେ ବେତାଜ୍‌ ବାଦଶାହ ହେଉଛନ୍ତି କପିଲ ଶର୍ମା। କପିଲ ଶର୍ମାଙ୍କ ଲୋକପ୍ରିୟତା ଏତେ ଯେ କେବଳ ଦେଶ ନୁହେଁ, ବିଦେଶରେ ବି ତାଙ୍କର ଅନେକ ଫ୍ୟାନ୍‌ ଅଛନ୍ତି। ଷ୍ଟାଣ୍ଡ୍‌ ଅପ୍‌ କମେଡି ଯୋଗୁ ପ୍ରଚୁର ଲୋକପ୍ରିୟତା ହାସଲ କରିଛନ୍ତି ଏହି ସ୍ମଲ ଟାଉନ୍‌ ଯୁବକ। ଗୋଟିଏ ସ୍ଥାନରେ ଠିଆ ହୋଇ ସେ ଲୋକଙ୍କୁ ହସାଇବା କ୍ଷମତା ରଖନ୍ତି। ଏଣୁ ସମସ୍ତେ କପିଲ ଶର୍ମାଙ୍କୁ ଖୁବ୍‌ ଭଲ ପାଆନ୍ତି। କପିଲ ଶର୍ମା ନିଜ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ଲୋକଙ୍କୁ ହସାଇବା କଳା ଶିଖିଛନ୍ତି। ତାଙ୍କର ଏହି ଗୁଣ ହିଁ ତାଙ୍କୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର କରେ।

ତେବେ ବର୍ତ୍ତମାନ ବଲିଉଡ୍‌ରେ ସଫଳତାର ଶୀର୍ଷରେ ପହଞ୍ଚିଥିବା କପିଲ ଦିନେ ନିଜ ଜୀବନ ହରାଇବାକୁ ଉଦ୍ୟମ କରିଥିଲେ। ଆଉ ତାଙ୍କୁ ମରଣ ମୁହଁରୁ ବଞ୍ଚାଇଥିଲେ ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନ୍‌। ଆଜି କପିଲ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ସେଠାରେ ପହଞ୍ଚିବାରେ ଶାହାରୁଖ ତାଙ୍କୁ ଖୁବ୍‌ ସାହାଯ୍ୟ କରିଥିଲେ। ଏକ ଇଣ୍ଟରଭ୍ୟୁରେ ଏହି ଖୁଲାସା କରିଛନ୍ତି କପିଲ ଶର୍ମା।

ଇଣ୍ଟରଭ୍ୟୁରେ କପିଲ କହିଛନ୍ତି ଯେ ଇଣ୍ଡଷ୍ଟ୍ରୀକୁ ଆସିବା ପରେ ତାଙ୍କ ଜୀବନରେ ଏମିତି ସମୟ ଆସିଥିଲା, ଯେତେବେଳେ ସେ ସମ୍ପୂର୍ଣ୍ଣ ହାରି ଯାଇଥିଲେ। ଜୀବନ ଉପରୁ ବି ତାଙ୍କ ମନ ଛାଡ଼ି ଯାଇଥିଲା। ଲୋକଙ୍କ ଟାହି ଟାପରା ଶୁଣି ଶୁଣି ସେ ଏତେ ମାତ୍ରାରେ ଭାଙ୍ଗି ପଡ଼ିଥିଲେ ଯେ ଆଉ ବଞ୍ଚିବାକୁ ଚାହୁଁ ନଥିଲେ। ସମୁଦ୍ରକୁ ଡେଇଁ ଜୀବନ ହାରିବାକୁ ଚିନ୍ତା କରିଥିଲେ କପିଲ ଶର୍ମା।

କିନ୍ତୁ ଏହି ସମୟରେ ଦେବଦୂତ ଭଳି ଶାହାରୁଖ ଖାନ୍‌ ତାଙ୍କ ଜୀବନକୁ ଆସିଥିଲେ ଓ କପିଲଙ୍କୁ ଏହି ଡିପ୍ରେସନ୍‌ ଭିତରୁ ବାହାର କରିଥିଲେ। ଇଣ୍ଟରଭ୍ୟୁ କପିଲ କହିଛନ୍ତି, ତାଙ୍କ ଶୋ’ ଭଲ ଚାଲୁନଥିବାରୁ ସେ ଗୋଟେ ପ୍ରକାରର ଡିପ୍ରେସନ୍‌ ଭିତରକୁ ଚାଲିଯାଇଥିଲେ। ମଦ ପିଇ ପିଇ ସେ ନିଜକୁ ସାରି ଦେବା ଉପରେ ଥିଲେ। ଏହି ସମୟରେ ସେ ଘରକୁ ବି ଯାଉ ନଥିଲେ।

ଅଫିସରେ ସେ ନିଜ ପୋଷା କୁକୁର ସହ ୨୪ ଘଣ୍ଟା ବସି ରହୁଥିଲେ। ଶାହାରୁଖ ଖାନ୍‌ ଏ ସମ୍ପର୍କରେ ଜାଣିବା ପରେ କପିଲଙ୍କୁ ବୁଝାଇଥିଲେ ଓ ମଦ ଛାଡ଼ି ନିଜ କାମରେ ମନ ଦେବାକୁ ପରାମର୍ଶ ଦେଇଥିଲେ। ଶାହାରୁଖଙ୍କର ଏହି ପରାମର୍ଶ ପରେ କପିଲ ଶର୍ମା ଧୀରେ ଧୀରେ ନିଜ କାମରେ ମନ ଦେଲେ। ଫଳ ସ୍ୱରୂପ ସେ ଆଜି ଏହି ସ୍ଥାନରେ ପହଞ୍ଚିପାରିଛନ୍ତି। ଏଣୁ ଶାହାରୁଖଙ୍କୁ ଜଣେ ଗୁରୁ ତଥା ମେଣ୍ଟର ଭାବେ ସମ୍ମାନ କରନ୍ତି କପିଲ।

କପିଲ କହିଛନ୍ତି, ଶୋ’ ଭଲ ନ ଚାଲିବାରୁ ଲୋକମାନେ ତାଙ୍କ କାର୍ଯ୍ୟକ୍ରମକୁ ଆସିବା ବନ୍ଦ କରିଦେଇଥିଲେ। ଏଥିସହ ସୋସିଆଲ ମିଡିଆରେ ବି ତାଙ୍କୁ ପ୍ରବଳ ଟ୍ରୋଲ କରାଗଲା। ସେ ଯାହା ନୁହେଁ ତାଙ୍କୁ ତାହା କୁହାଗଲା। ଏଣୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। କିନ୍ତୁ ଶାହାରୁଖ ତାଙ୍କୁ ବୁଝାଇଥିଲେ। ଫଳରେ ସେ ଡିପ୍ରେସନ୍‌ରୁ ବାହାରକୁ ଆସିପାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.