ସୁଟିଂ ସେଟରେ ହୃଦଘାତର କରୁଥିଲେ ଅଭିନୟ, କିନ୍ତୁ ସତରେ ହୋଇଗଲା ହାର୍ଟଷ୍ଟ୍ରୋକ୍‌

ସୁଟିଂ ଚାଲିଥିଲା । ଅଭିନୟରେ ମଜ୍ଜି ଯାଇଥିଲେ ସେ । ସିନ୍‌ ଥିଲା ଧାରାବାହିକର ହିରୋଙ୍କୁ କହୁଛନ୍ତି ମୋତେ ହାର୍ଟଷ୍ଟ୍ରୋକ୍‌ ହୋଇଗଲା ବୋଲି । ଛାତିକୁ ଜାବୁଡ଼ି ଧରି ଅଭିନୟ କରୁଥିଲେ । ହେଲେ ସେଇଠି ହୋଇଗଲା ସତ ସତିକା ହାର୍ଟଷ୍ଟ୍ରୋକ୍‌ । ଇଏ ହେଉଛି ଓଲିଉଡ୍‌ର ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ଜୀବନ ନାଟକର ଶେଷ ଦୃଶ୍ୟ । ଗତକାଲି ରାତିରେ ଧାରାବହିକ ‘ହେ ପ୍ରଭୁ’ର ସୁଟିଂ ଚାଲିଥିବା ବେଳେ ତାଙ୍କ ଅଭିନୟ ହୁଏତ ଏତେ ନିଖୁଣ ଥିଲା ଯେ ତାଙ୍କୁ ପ୍ରଭୁ ନିଜ ପାଖକୁ ନେଇଗଲେ ।

rabiଗତକାଲି ରାତି ପ୍ରାୟ ୧୦ଟା ବେଳେ ଅଭିନୟ କରୁ କରୁ ସତରେ ଟଳି ପଡ଼ିଥିଲେ ଅଭିନେତା ରବି ମିଶ୍ର । ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା । ସକାଳୁ ଚାରିଆଡ଼େ ଖବର ପ୍ରଚାର ହୋଇଗଲା ଯେ ସେ ଅସୁସ୍ଥ ଅଛନ୍ତି । ହେଲେ ଏହି ଖବରର ଅଳ୍ପ ସମୟ ପରେ ଆସିଲା ଦୁଃଖଦ ଖବର, ରବି ମିଶ୍ର ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା। ତାଙ୍କ ହାର୍ଟରେ ୮୦ ପ୍ରତିଶତ ବ୍ଲକେଜ୍ ଥିଲା ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଆଶ୍ଚର୍ଯ୍ୟ ଲାଗେ, ଏ ଅବସ୍ଥାରେ ବି ସେ ଲଗାତର ଭାବେ ସୁଟିଂ କରୁଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

ଉଭୟ ମଞ୍ଚ, ଚଳଚ୍ଚିତ୍ର ଓ ଟେଲି ସିରିୟଲରେ ସେ ନିଜ ଅଭିନୟର ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ । ସେ କମେଡ଼ି ହେଉ ଅବା ଚରିତ୍ର ଅଭିନୟ କିମ୍ବା ଖଳନାୟକ, ସବୁଥିରେ ତାଙ୍କ ସ୍ୱତନ୍ତ୍ର ଅଭିନୟ ବାରି ହୋଇପଡ଼େ । ତେବେ ଟେଲି ସିରିୟଲ୍ ‘ଗୋପାଳ ରହସ୍ୟ’ର ମୁଖ୍ୟ ଚରିତ୍ରରେ ତାଙ୍କ ଅଭିନୟ ତାଙ୍କୁ ବିଶେଷ ପରିଚୟ ଦେଇଥିଲା । ହସେଇ ହସେଇ ବେଦମ କରୁଥିଲେ ଦର୍ଶକଙ୍କୁ। ରବି ମିଶ୍ର ଅନେକ ଫିଲ୍ମ ଓ ଟେଲିଭିଜନ ଧାରାବାହିକରେ ଅଭିନୟ କରିଛନ୍ତି । ସକାଳ ତୀର୍ଥ ତୋ ଚରଣେ, ଲଷ୍ମୀ ଅଭିସାର ପାଇଁ ସେ ରାଜ୍ୟ ପୁରସ୍କାର ପାଇଥିଲେ । ବାପା ତମେ ଭାରି ଦୁଷ୍ଟ ଫିଲ୍ମରେ ଅଭିନୟ କରିଥିଲେ। ପ୍ରାୟ ୭୦ରୁ ୮୦ଟି ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ରବି ମିଶ୍ର ।

କଟକରେ ରବି ମିଶ୍ରଙ୍କ ବାସସ୍ଥାନ ହୋଇଥିବାବେଳେ ଜନ୍ମସ୍ଥାନ ହେଉଛି ଯାଜପୁର ଜିଲ୍ଲା ଦଶରଥପୁର ଗାଁକୁ ନିଆଯିବ। ତେବେ ଯାହା ସୂଚନା ରହିଛି ଭୁବନେଶ୍ୱର ଘରୋଇ ହସପିଟାଲରୁ ଅଭିନେତାଙ୍କ ମର ଶରୀରକୁ କଟକ ପଞ୍ଚମୁଖୀ ହନୁମାନ ନିକଟ ବାସସ୍ଥାନକୁ ନିଆଯିବ। ସେଠାରେ ଶେଷ ଦର୍ଶନ ପରେ ଶେଷକୃତ୍ୟ ସମ୍ପନ୍ନ ହେବ।

ସତରେ ରାଜ କପୁରଙ୍କ ମେରାନାମ ଜୋକର୍‌ ଫିଲ୍ମ ଗୀତଟି ଯେମିତି ରବିଙ୍କ ପାଇ ଏକଦମ୍‌ ଖାପ ଖାଇଗଲା । ଜୀନା ୟାହାଁ ମରନା ୟାହାଁ ଇସକେ ସିବା ଯାନା କାହାଁ ।… ଜଣେ ଭଲ ମଣିଷ ଓ ଜଣେ ଭଲ ଅଭିନେତାଙ୍କୁ କେନ୍ୟୁଜ୍‌ର ବିନମ୍ର ଶ୍ରଦ୍ଧାଞ୍ଜଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.