ନିରବିଗଲେ ରାଇମୋହନ : ସବୁଦିନ ପାଇଁ ମନେ ରହିବ ତାଙ୍କର ଦମ୍‌ଦାର ଡାଇଲଗ୍‌- ହେଇ… ଅନାନି…

ଭୁବନେଶ୍ୱର (କେନ୍ୟୁଜ): ଓଲିଉଡ ସିନେ ଜଗତର ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ାଙ୍କ ଆଉ ନାହାନ୍ତି। ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ବାସ ଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ମିଳିଛି। ଏହି ଖବର ସାରା ଓଡ଼ିଆ ସିନେ ଜଗତଠୁ ଆରମ୍ଭ କରି ଯାତ୍ରା ଜଗତକୁ ସ୍ତବ୍ଧ କରିଦେଇଛି। ସେ ଚାଲିଗଲେ ସତ ହେଲେ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ପଡ଼ିବ ତାଙ୍କର ଦମଦାର ଡାଇଲଗ୍‌ ଓ ବିଚକ୍ଷଣ ଅଭିନୟ ।

ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତରେ ଜଣେ ଦୁର୍ଦ୍ଦାନ୍ତ ଖଳନାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ରାଇମୋହନ। ୧୯୬୩ ମସିହା କେନ୍ଦୁଝର ଜିଲ୍ଲାର ଉଦୟପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ସେ ପାଠ ପଢିଥିଲେ। ମଞ୍ଚ ନାଟକରୁ ଅଭିନୟର ଜୀବନ ଆରମ୍ଭ ହୋଇଥିଲା। ପିଲାଦିନରୁ ଅଭିନୟ ପ୍ରତି ରହିଥିବା ଦୁର୍ବଳତା। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଗାଁ ନାଟକରେ ଅଭିନୟ କରିଥିଲେ।

୧୯୮୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ପକା କମ୍ବଳ ପୋତ ଛତାରୁ ଖଳନାୟକ ଭାବେ ଓଡିିଆ ସିନେମାରେ ଅଭିନୟ ଆରମ୍ଭ କରିଥିଲେ। ଶହେରୁ ଅଧିକ ଓଡ଼ିଆ ସିନେମାରେ ବଳିଷ୍ଠ ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଥିଲେ। ୨୦୦୨ରୁ ସେ ଯାତ୍ରା ଜଗତ ସହ ଯୋଡ଼ି ହୋଇଥିଲେ । ସାଗର, ବନ୍ଧନ, ରଣଭୂମି, ସିଂହବାହିନୀ, ଆସିବୁ କେବେ ସାଜି ମୋ ରାଣୀ, ତୁ ଥିଲେ ମୋ ଡର କାହାକୁ, ନେଇଜା ରେ ମେଘ ମୋତେ, ଛାତି ଚିରିଦେଲେ ତୁ, କାଳିଶଙ୍କର, ତୋ ବିନା ମୋ କାହାଣୀ ଅଧା, ତୋ ପାଇଁ ନେବି ମୁଁ ଶହେ ଜନମ, ଦେ ମା’ ଶକ୍ତି ଦେ’, ରକତେ ଲେଖିଛି ନାଁ, ମୋ ମନ ଖାଲି ତୁମରି ପାଇଁ, ଉଦଣ୍ଡି ସୀତା ଆଦି ଫିଲ୍ମରେ ସେ ବେଶ ନିଖୁଣ ଅଭିନୟ କରିଛନ୍ତି । କେତେବେଳେ ସେ ନାଗିନା ତ ଆଉ କେତେବେଳେ ଚାମୁଣ୍ଡା। ରାଇମୋହନ ‘ରଣଭୂମି’, ‘ସିଂହବାହିନୀ’, ‘ସରପଞ୍ଚ ବାବୁ’, ‘କୁଳ ନନ୍ଦନ’, ‘ବିଧାତା’, ‘ଆସିବୁ କେବେ ସାଜି ମୋ ରାଣୀ’ ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କର ‘ହେଇ ଅନାନି’, ‘ମୁଁ ନାଗିନା’ ଭଳି କିଛି ଡାଇଲଗ ଦର୍ଶକଙ୍କ ମନରେ ସବୁବେଳେ ଘର କରି ରହିବ। ଏହାଛଡ଼ା ସେ ଟିଭି ସିରିଏଲ୍ ଜଗତରେ ମଧ୍ୟ ବେଶ୍ ପରିଚିତ ଥିଲେ । ସେହିପରି ଯାତ୍ରା ଜଗତରେ ମଧ୍ୟ ସେ ଅନ୍ୟତମ ଲୋକପ୍ରିୟ କଳାକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.