ସାରା ବିଶ୍ୱର ୧୧୦୦ଟି ହଲ୍‌ରେ ରିଲିଜ୍‌ ହେବ ରଜନୀକାନ୍ତଙ୍କ ଫିଲ୍ମ ‘ଅନ୍ନାଥେ’, ଭାଙ୍ଗିବ ସବୁ ରେକର୍ଡ

ସାଉଥ୍‌ ମେଗାଷ୍ଟାର ରଜନୀକାନ୍ତଙ୍କ କ୍ରେଜ୍‌ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରହିଛି। ଏଣୁ ତାଙ୍କ ଫିଲ୍ମ ଫରେନ୍‌ରେ ମଧ୍ୟ ରିଲିଜ୍‌ ହୋଇଥାଏ। ତେବେ ବର୍ତ୍ତମାନ ଉକ୍ତ ଧାରାକୁ ବଜାୟ ରଖି ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଅନ୍ନାଥେ’ ମଧ୍ୟ ବିଦେଶରେ ରିଲିଜ୍‌ ହେବାକୁ ପ୍ରସ୍ତୁତ ହୋଇଛି। ଦୀପାବଳିରେ ଏହି ଫିଲ୍ମ ୧୧୦୦ରୁ ଅଧିକ ବିଦେଶୀ ସିନେମା ଘରେ ରିଲିଜ୍‌ ହେବ। ଏହି ଫିଲ୍ମର ରିଲିଜ୍‌କୁ ନେଇ ସନ୍‌ ପିକ୍‌ଚର୍ସ ଦାବି କରିଛି ଯେ କୌଣସି ତାମିଲ ଫିଲ୍ମ ପ୍ରଥମ ଥର ପାଇଁ ବିଦେଶ ମାଟିରେ ଏତେ ଅଧିକ ହଲ୍‌ରେ ରିଲିଜ୍‌ ହେଉଛି।

ପ୍ରଡକ୍ସନ୍‌ ହାଉସ୍‌ ପକ୍ଷରୁ ଟ୍ଵିଟ୍‌ କରାଯାଇ କୁହାଯାଇଛି, ‘ଅନ୍ନାଥେ’ଙ୍କୁ କେବଳ ସଂଯୁକ୍ତ ରାଜ୍ୟ ଆମେରିକାର ୬୭୭ଟି ଫିଲ୍ମ ହଲ୍‌ରେ ପ୍ରଦର୍ଶିତ କରାଯିବ। ସେହିପରି ସଂଯୁକ୍ତ ଅରବ ଅମିରାତରେ ୧୧୭ଟି ସ୍କ୍ରିନ୍‌ରେ ଏହି ଫିଲ୍ମ ରିଲିଜ୍‌ ହେବ। ମାଲେସିଆରେ ଫିଲ୍ମକୁ ୧୧୦ଟି ସିନେମା ଘରେ ପ୍ରଦର୍ଶିତ କରାଯିବ। ସେହିପରି ପଡ଼ୋଶୀ ସିଙ୍ଗାପୁରରେ ଏହାକୁ ୨୩ଟି ଫିଲ୍ମ ହଲ୍‌ରେ ପ୍ରଦର୍ଶିତ କରାଯିବ।


ଅନ୍ୟପଟେ କାନାଡ଼ାରେ ୧୭ଟି ଫିଲ୍ମ ହଲ୍‌ରେ ଓ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ୩୫ଟି ଫିଲ୍ମ ହଲ୍‌ରେ ଏହି ଫିଲ୍ମ ରିଲିଜ୍‌ ହେବ। ସେହିପରି ୟୁରୋପର ୪୩ଟି ଫିଲ୍ମ ହଲ୍‌ରେ ଓ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ୮୫ ଟି ହଲ୍‌ରେ ରଜନୀକାନ୍ତଙ୍କ ଫିଲ୍ମ ‘ଅନ୍ନାଥେ’ ରିଲିଜ୍‌ ହେବ।

ଫିଲ୍ମ ‘ଅନ୍ନାଥେ’ରେ ରଜନୀକାନ୍ତଙ୍କ ବ୍ୟତୀତ ନୟନତାରା, ଖୁସ୍‌ବୁ, ମୀନା, କୀର୍ତ୍ତି ସୁରେଶ ଓ ଜଗପତି ବାବୁ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।

ସୂଚନାଯୋଗ୍ୟ ଯେ ଅକ୍ଟୋବର ୨୮ରେ ରଜନୀକାନ୍ତଙ୍କୁ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପତ୍ନୀ ଲତା ଓ ଟିମ୍‌ର କହିବାନୁସାରେ, ରଜନୀକାନ୍ତଙ୍କୁ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଆଡମିଟ୍‌ କରାଯାଇଥିଲା। କିନ୍ତୁ ପରେ ଜଣାପଡ଼ିଥିଲା ଯେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ମୁଣ୍ଡ ବୁଲାଉଥିଲା। ଏଣୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚେକ୍‌ଅପ୍‌ କରିବା ପରେ Carotid Artery Revascularisation ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ।

ସର୍ଜରୀ ପରେ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ରଜନୀକାନ୍ତ ଏବେ ସୁସ୍ଥ ଅଛନ୍ତି ଓ ଧୀରେ ଧୀରେ ରିକଭରି କରୁଛନ୍ତି। ତାଙ୍କୁ କିଛି ଦିନ ଭିତରେ ହିଁ ଡିସଚାର୍ଜ କରାଯିବ। ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ତାଙ୍କୁ ଦେଖା କରିବାକୁ କାବେରୀ ହସ୍ପିଟାଲ ଯାଇଥିଲେ। ଏହା ପରେ ଅକ୍ଟୋବର ୩୧ରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ରବିବାର ବିଳମ୍ବିତ ରାତିରେ ସେ ଘରକୁ ଫେରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.